ସମ୍ବଲପୁର : ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଆଜି ସମ୍ବଲପୁର ଜ଼ିଲ୍ଲାରେ ଶାଳ ମଞ୍ଜି ସଂଗ୍ରହ ଆରମ୍ଭ ହୋଇଛି । ଆଦିବାସୀ ଉନ୍ନୟନ ସମବାୟ ନିଗମ ସମ୍ବଲପୁର ଶାଖା ପରିଚାଳକ ରମାକାନ୍ତ ଜେନା, ପଣ୍ଯାଗାର ନିଗମ ପରିଚାଳକ ସୁରେଶ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ଶାଳ ମଞ୍ଜି କିଣାର ଶୁଭାରମ୍ଭ କରିଥିଲେ । ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଅନୁମୋଦିତ ୬୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି ଶାଳ ମଞ୍ଜି କିଣାଯାଇ ଧନକଉଡା ବ୍ଲକ କଳାମାଟି ପଞ୍ଚାୟତରେ ଥିବା କେନ୍ଦୀୟ ପଣ୍ୟାଗାର ନିଗମ ଠାରେ ମହଜୁଦ ରଖାଯାଉଛି । ଏହି ଅବସରରେ କ୍ଷେତ୍ର ନିରୀକ୍ଷକ ବାୟା ମାରାଣ୍ଡି, ଅଜୟ କୁମାର ସାହୁ, ପ୍ରୀତି ରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ଏହି ଶାଳ ମଞ୍ଜି ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ବନ ସୁରକ୍ଷା ସମିତି, ବନ୍ଧନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରଡ୍ୟୁସର କମ୍ପାନୀ ଜରିଆରେ କିଣା ହେଉଛି ଓ ସରକାରୀ ଦର ଧାର୍ଯ୍ୟ କ୍ୱିଣ୍ଟାଲ ପ୍ରତି ୨ ହଜାର ଟଙ୍କା ରହିଥିବା ବେଳେ କମିଶନ, ଭଡା, ବସ୍ତା ବାବଦର ଟଙ୍କା ସିଧାସଳଖ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୭ ଦିନ ମଧ୍ୟରେ ପଠାଇ ଦିଆଯିବ ବୋଲି ଶାଖା ପରିଚାଳକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଜି ଜ଼ିଲ୍ଲାର କୁଚିଣ୍ଡା, ଜମନକିରା, ରେଢ଼ାଖୋଲ, ଯୁଯୋମୁରା ଏବଂ ବାମରା ବ୍ଲକରୁ ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଶାଳ ମଞ୍ଜି ବିକ୍ରୟ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now