ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ @2047 ଅନ୍ତର୍ଗତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ଦେଶରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସହିତ ତିନୋଟି ପ୍ରମୁଖ ଯୋଜନାର ଘୋଷଣା କରିଛନ୍ତି –
1) ରାଜ୍ୟରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ
2) ସହରରେ ବନ୍ୟାର ବିପଦକୁ ହ୍ରାସ କରିବା ଲାଗି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସାତଟି ମହାନଗର- ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ପୁଣେ ପାଇଁ ୨୫୦୦ କୋଟି ଟଙ୍କାର ପରିଯୋଜନା ଏବଂ
3) ଭୂ-ସ୍ଖଳନ ପ୍ରଶମନ ଲାଗି ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୮୨୫ କୋଟି ଟଙ୍କାର ଜାତୀୟ ଭୂ-ସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପ
ସେ କହିଥିଲେ ଯେ, ବିପର୍ଯ୍ୟୟ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନହାନି ଯେପରି ନହୁଏ ସେଥିପାଇଁ ଆମର ପ୍ରୟାସ ହେବା ଉଚିତ୍, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୫ ବର୍ଷ ମଧ୍ୟରେ ସବୁ ରାଜ୍ୟ ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ ପ୍ରୟାସ କରିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ହୋଇଥିବା ଆଲୋଚନା ଜାତୀୟ ସ୍ତରରେ ନୀତି ପ୍ରସ୍ତୁତ କରିବା ଏବଂ ସେଥିରେ ପରିବର୍ତ୍ତନ ଆଣିବା ଲାଗି ମହତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ସଫଳତା ହାସଲ କରିଛନ୍ତି, କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବା ଉଚିତ୍ ନୁହେଁ । ସେ ଆହୁରି କହିଥିଲେ ଯେ, ‘‘ବିପର୍ଯ୍ୟୟର ସ୍ୱରୂପ ବଦଳିଛି, ସେଗୁଡ଼ିକୁ ଫ୍ରିକୁଏନ୍ସି ଏବଂ ତୀବ୍ରତା ମଧ୍ୟ ବଢ଼ିଛି, ସେଥିପାଇଁ ଆମକୁ ନିଜ ପ୍ରସ୍ତୁତିକୁ ଅଧିକ ଦକ୍ଷ ଏବଂ ବ୍ୟାପକ କରିବାକୁ ହେବ । ଏବେ ଅନେକ ସ୍ଥାନରେ ନୂଆ ବିପର୍ଯ୍ୟୟ ଆସୁଛି, ସେଥିପାଇଁ ମଧ୍ୟ ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ୍।
ଶ୍ରୀ ଶାହା କହିଥିଲେ ଯେ ୨୦୦୪ ପରେ ଭାରତରେ ବିପର୍ଯ୍ୟୟ ପ୍ରଶମନ ଉପରେ ରାଷ୍ଟ୍ରୀୟ ସ୍ତରରେ ବ୍ୟାପକ ବିଚାରବିମର୍ଶ ପରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏହା ଉପରେ ଏକ ସାମୂହିକ ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କୋଭିଡ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ସଙ୍ଗେ ମିଶି ଶତାବ୍ଦୀର ସବୁଠୁ ଭୀଷଣ ମହାମାରୀକୁ ସଫଳତା ପୂର୍ବକ ମୁକାବିଲା କରିଥିଲେ। ଏହି କଠିନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର, ରାଜ୍ୟ ଓ ଜନସାଧାରଣ ମିଶି ମୁକାବିଲା କରିବାର ଏକ ଉତ୍କୃଷ୍ଟ ଉଦାହରଣ ବିଶ୍ୱ ସମ୍ମୁଖରେ ରଖିଥିଲେ । ଶ୍ରୀ ଶାହା କହିଥିଲେ ଯେ, ମୋଦୀ ସରକାର ୨୨୦ କୋଟିରୁ ଅଧିକ ମାଗଣା କରୋନା ଟିକା ଦେଇଥିଲେ, କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ବ୍ୟବସ୍ଥା କରିଥିଲେ, ଲକ୍ଷାଧିକ ଶ୍ରମିକମାନଙ୍କୁ ସେମାନଙ୍କ ବାସସ୍ଥାନକୁ ଫେରିବାରେ ସହଯୋଗ କରିଥିଲେ ଏବଂ ଡିବିଟି ଜରିଆରେ ସେମାନଙ୍କ ଚିନ୍ତା ଦୂର କରିବାର ବ୍ୟବସ୍ଥା କରିଥିଲେ ।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଥିଲେ ଯେ, କିଛି ବର୍ଷ ପୂର୍ବରୁ ବିପର୍ଯ୍ୟୟ ପ୍ରତି ଆମର ଦୃଷ୍ଟିକୋଣ ସହାୟତା କୈନ୍ଦ୍ରିକ ଏବଂ ପ୍ରତିକ୍ରିୟାଶୀଳ ରହୁଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ୯ ବର୍ଷରେ ଆଗୁଆ ଚେତାବନୀ ପ୍ରଣାଳୀ, ନିରାକରଣ, ପ୍ରଶମନ ଏବଂ ପୂର୍ବ ପ୍ରସ୍ତୁତି ଆଧାରିତ ବିପର୍ଯ୍ୟୟ ପ୍ରଶମନକୁ ଆମେ ସାମୂହିକ ପରିଶ୍ରମ ଏବଂ ପ୍ରୟାସ ସହିତ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିଛୁ । ସେ କହିଥିଲେ, ମୋଦୀ ସରକାର ୩୫୦ ରୁ ଅଧିକ ଉଚ୍ଚ ବିପଦ ସମ୍ଭାବ୍ୟ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ଆମକୁ ବହୁତ ଭଲ ପରିଣାମ ମିଳୁଛି ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now