ପୁରୀ : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ଵୟର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଚଳିତ ରଥଯାତ୍ରାରେ ଅଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନ ଆଶା କରାଯାଉଛି। ତେଣୁ ଆମକୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା।ଏହାଦ୍ଵାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଜିଲ୍ଲାପାଳ କହିଥିଲେ।ଏସପି ଡଃ. କନୱର ବିଶାଲ ସିଂ ସମସ୍ତ ବିଭାଗ ତାଙ୍କର ଦାୟିତ୍ଵକୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି କହିଥିଲେ। ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ମକଡ୍ରିଲ ସମ୍ପର୍କରେ ସବିଶେଷ ସୂଚନା ଓ ଆବଶ୍ୟକତା ତଥ୍ୟ ପ୍ରଦାନ କରି ଏହା ରଥଯାତ୍ରା ସମୟରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।ଓସଡମାର ଡିଜିଏମ ସୁନୀଲ କୁମାର ସାହୁ, ସାର୍ଥକ ସୌରଭ ମହାପାତ୍ର ମକଡ୍ରିଲର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ମକ ଡ୍ରିଲ ପରିଚାଳନା କରିଥିଲେ।
ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡ଼ଃ. ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ରାକେଶ କୁମାର ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ, ସ୍ଵେଛାସେବୀ ମାନେ ଏହି ମକଡ୍ରିଲରେ ଯୋଗ ଦେଇଥିଲେ। ପରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲର କାର୍ଯ୍ୟକୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା।ରଥଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା କରାଯାଇପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now