ରଥ ନିର୍ମାଣରେ ଓଝା ସେବକ

ପୁରୀ : ଜୁନ ୨୦ରେ ବିଶ୍ଵପ୍ରସିଦ୍ଧ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଚତୁର୍ଦ୍ଧାମୂର୍ତି ଜନ୍ମବେଦିକୁ ବିଜେ କରିବେ । ଏଥିପାଇଁ ତିନୋଟି ରଥ ନିର୍ମାଣ କରାଯାଉଛି । ଅକ୍ଷୟ ତୃତୀୟା ଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟରେ ବିଭିନ୍ନ ସେବକ କାର୍ଯ୍ୟ କରୁଛନ୍ତି । ସେଥି ମଧ୍ୟରୁ ଓଝା ବା କମାର ସେବକ ଅନ୍ୟତମ । ଶ୍ରୀମନ୍ଦିର ନିକଟସ୍ଥ ଦୋଳବେଦି ପରିସରରେ ଅସ୍ଥାୟୀ କମାର ଶାଳରେ ବିଭିନ୍ନ ପ୍ରକାର କଂଟା ନିର୍ମାଣ କରାଯାଉଛି । ଅରକଂଟା, ତୁମ୍ବ ପନ୍ଦାରି, ପନ୍ଦାରି ଚାବି, ତୁମ୍ବ ବାହାର ବଳା, ମୁହଁ ବିଡ଼ିଆ, ଦଣ୍ଡା ବିଡ଼ିଆ, ଗରଗରା, ଗୟଳ, ଛନ୍ଦା ଗୟଳ, ଯୋଖା, କଇଁଚି, ଭୂଇଁ କଣ୍ଟା ନିର୍ମାଣ କରାଯାଉଛି । ସେହିପରି ଚାରପରିଚ୍ଛା, କତରା, ଧମକ, ବାହୁଟି ପଠାଲିଆ, ସିଂହାସନରାୟ, ଜଗତଭୂଷଣ ଶେଣି, ସିଂହାସନ ଗୁଣ୍ଠି, ନାରାଜ, ଶିଖର ଡ଼ମ୍ବରୁ, ଅନ୍ଧାରିତାଗ, ଧ୍ୱଜବଣ, କଞ୍ଚାଧମକ, କାଣ୍ଡଚୁନାଟ, ଧୂଳିଦଣ୍ଡା, ପ୍ରଭା, ସିଙ୍ଗଡ଼ା, ତେର ପରସ୍ତ ପୋଟଳ କଂଟା ଆଦି କମାର ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଏ । ସମସ୍ତ କଣ୍ଟା ନିର୍ମାଣ ପାଇଁ ପ୍ରାୟ ୪ ଟନ ଲୁହା ଆବଶ୍ୟକ ହୋଇଥାଏ ।

ଅସ୍ଥାୟୀ କମାର ଶାଳରେ ତିନୋଟି ବାଡ଼ରେ ତିନି ଜଣ ମୁଖ୍ୟ ଓଝା ସେବକଙ୍କ ନିର୍ଦ୍ଦେଶରେ ଅନ୍ୟ ଓଝା ସେବକମାନେ କମାର ଶାଳରେ କାର୍ଯ୍ୟ କରୁଛନ୍ତି । ତିନୋଟି ଭାଟିରେ କାଠ ଅଙ୍ଗାର ରଖାଯାଇ ହୁତୁହୁତୁ ନିଆଁରେ କଂଟା ସମେତ ସମସ୍ତ ବ୍ୟବହୃତ ଲୁହା ସାମଗ୍ରୀ ନିର୍ମାଣ କରାଯାଉଛି । ଶ୍ରୀବଳଭଦ୍ରଙ୍କ ବାଡ଼ରେ ମୁଖ୍ୟ ଓଝା ସେବକ ଭାବେ ଜଗନ୍ନାଥ ମହାରଣା କାର୍ଯ୍ୟ କରୁଥିବା ସମୟରେ କହିଛନ୍ତି ସବୁ ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି । କାହାପରେ କେଉଁ କଂଟା ଓ ଲୁହା ସାମଗ୍ରୀ ନିର୍ମାଣ କରାଯିବ ତାହା ପିଢି ଅନୁସାରେ ପିଢି ମନେରଖି କାର୍ଯ୍ୟ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୁଖ୍ୟ ଓଝା ସେବକ ଭାବେ ଦାସରଥୀ ମହାରଣା କାର୍ଯ୍ୟ କରୁଛନ୍ତି । ସେହିପରି ସୁଭଦ୍ରାଙ୍କ ବାଡ଼ରେ କେଦାର ମହାରଣା କାର୍ଯ୍ୟ କରୁଛନ୍ତି । କମାର ଶାଳରେ ବିଭିନ୍ନ କଂଟା ନିର୍ମାଣ ପାଇଁ ଅନେକ ସରଳ ଯନ୍ତ୍ର ବ୍ୟବହାର କରାଯାଉଛି । ସେଥିମଧ୍ୟରୁ ହାତୁଡ଼ି, ଛେଣି, ଷଣ୍ଢୁଆସି,ପଞ୍ଛ, ନେହି, ବଡ଼ ହାତୁଡ଼ା ଓ ସାନ ହାତୁଡ଼ା ବ୍ୟବହାର କରାଯାଉଛି । ଯୁଗ ବଦଳି ଥିଲେ ମଧ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହୃତ କରାଯାଇନାହିଁ । ମହାପ୍ରଭୁଙ୍କ ସେବାରେ ନିୟୋଜିତ ଓଝା ସେବକମାନେ ନିଷ୍ଠା ଓ ପବିତ୍ରତା ସହ ହବିଷ୍ୟ ପାଳନ କରି କମାର ଶାଳରେ କାର୍ଯ୍ୟ କରିଥାନ୍ତି । ରଥର ବିଭିନ୍ନ କାଠର ନାମ ଅନୁସାରେ ସେହି କଂଟା ନିର୍ମାଣ କରାଯାଏ । ଦିନ ତମାମ ଖରା ତାତି ସହ ନିଆଁ ଧାସରେ ବସି ହାତୁଡ଼ିରେ ଲୁହା ବାଡ଼େଇ କାର୍ଯ୍ୟ କରୁଥିଲେ ମଧ୍ୟ ମହାପ୍ରଭୁଙ୍କ ମହିମାରୁ କଷ୍ଟ ଜଣାପଡ଼ିନଥାଏ । କଂଟା ଗୁଡ଼ିକ ବିଭନ୍ନ ଇଂଚ ମାପରେ ନିର୍ମାଣ କରାଯାଏ । ୫ ଇଂଚିଆ, ୬ ଇଂଚିଆ ବିଶିଷ୍ଟ ଅର କଂଟା ନିର୍ମାଣ ହୋଇଥାଏ । ସେହିପରି ଦଣ୍ଡା କଂଟା ୧୫ ରୁ ୨୦ ଇଂଚ ମଧ୍ୟରେ ନିର୍ମାଣ କରାଯାଏ । ସବୁଠାରୁ ବଡ଼ କଣ୍ଟା ହେଉଛି ଗରଗରା କଣ୍ଟା ଯାହାର ଉଚ୍ଚତା ୩ ଫୁଟ । ଗୟଳ କଂଟା ୧୦

ଇଞ୍ଚରୁ ୧୨ ଇଞ୍ଚ, ଭୂଇଁ କଣ୍ଟା ଓ ଧୂଳିକଣ୍ଟା ୧୫ରୁ ୨୦ ଇଞ୍ଚ ମଧ୍ୟରେ ହୋଇଥାଏ । ସେହିପରି ଚାର ପରିଚା ଓ ପ୍ରଭା ମଧ୍ୟ ୧୫ ଇଞ୍ଚରୁ ୨୦ ଇଞ୍ଚ ମଧ୍ୟରେ ନିର୍ମାଣ କରାଯାଏ । ୨୦ଟି ଧମକ କଣ୍ଟା ୩ ରଥର ସିଂହାସନରେ ବାଡ଼ିଆ ଯାଇଥାଏ । ୪୪୦ଟି ତାଗ କଣ୍ଟା ପିଣ୍ଡିତଳ ଓ ଗଣ୍ଠି ଉପରପଟା ବାଡ଼ିଆରେ ବ୍ୟବହାର ହୋଇଥାଏ । ଯୋଖା କଂଟା ଓ ଚାରି ନାହାକୁ ବାନ୍ଧି ରଖିବା ପାଇଁ ୧୫୦ରୁ ଉର୍ଦ୍ଧ୍ଵ କଇଁଚି କଣ୍ଟା ବ୍ୟବହାର କରାଯାଏ । ୫୦ରୁ ଉର୍ଦ୍ଧ୍ଵ ବାହୁଟି ଫାଳିଆ କଣ୍ଟା ରଥର ପ୍ରଥମ ଓ ଦ୍ୱିତୀୟ ଭୂଇଁ ପାଇଁ ବ୍ୟବହୃତ ହୋଇଥାଏ । ପାର୍ଶ୍ଵ ଦେବାଦେବୀଙ୍କୁ ଧରି ରଖିବା ପାଇଁ ୯୦ଟି ଶିଖର ଡ଼ମ୍ବୁର କଣ୍ଟା ଲାଗୁଥିବା ବେଳେ ଧ୍ଵଜବତା କଣ୍ଟାର ମଧ୍ୟ ଆବଶ୍ୟକତା ପଡ଼ିଥାଏ ।

ସେହିପରି ନବକଳେବର ସମୟରେ ମଧ୍ୟ ଓଝା ସେବକଙ୍କ କାର୍ଯ୍ୟ ରହିଛି । ଶ୍ରୀମନ୍ଦିର ସ୍ଵତ୍ଵଲିପିର ୧୦୧ ନମ୍ବର ସେବାରେ ଓଝା ମହାରଣାଙ୍କ ସେବାର ଉଲ୍ଲେଖ ରହିଛି । ଜଗନ୍ନାଥଙ୍କ ବାଡ଼ରେ ୬ ଜଣ ଓଝା ସେବକ, ବଳଭଦ୍ରଙ୍କ ବାଡ଼ରେ ୬ ଜଣ ଓ ସୁଭଦ୍ରାଙ୍କ ବାଡ଼ରେ ୫ ଜଣ ସେବକ ଏହିପରି ୧୭ ଜଣ ସେବକ କମାର ଶାଳରେ ମହାପ୍ରଭୁଙ୍କ ରଥ କଂଟାରେ ନିର୍ମାଣ କାମରେ ଲାଗିଛନ୍ତି । ବଡ଼ବାଡ଼ରେ ଜଗନ୍ନାଥ ମହାରଣା ମୁଖ୍ୟ ଓଝା ସେବକଙ୍କ ସହ ଅର୍ଜୁନ ମହାରଣା, ରାକେଶ ମହାରଣା, ସୁରଥ ମହାରଣା, କୁବେର ମହାରଣା, ଜଶମତ ମହାରଣା କାର୍ଯ୍ୟ କରୁଛନ୍ତି । ସେହିପରି ଜଗନ୍ନାଥଙ୍କ ବାଡ଼ରେ ମୁଖ୍ୟ ଓଝା ସେବକ ଭାବେ ଦାସରଥୀ ମହାରଣାଙ୍କ ସହ ରାଜୁ ମହାରଣା, ଅଇଁଠା ମହାରଣା, ପ୍ରଶାନ୍ତ ମହାରଣା, ବିକାଶ ମହାରଣା, ପ୍ରକାଶ ମହାରଣା କାର୍ଯ୍ୟ କରୁଛନ୍ତି । ସୁଭଦ୍ରାଙ୍କ ବାଡ଼ରେ ମୁଖ୍ୟ ସେବକ କେଦାର ମହାରଣାଙ୍କ ସହ ଦିପକ ମହାରଣା, ଅଭିମନ୍ୟୁ ମହାରଣା, ଭାଗିରଥୀ ମହାରଣା, ନାରାୟଣ ମହାରଣା କମାର ଶାଳରେ କାର୍ଯ୍ୟ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଲୁହା ସାମଗ୍ରୀ ସହ ସମସ୍ତ ବ୍ୟବସ୍ଥା କରାଯାଇଛି । ସବୁ ମହାପ୍ରଭୁଙ୍କ ଇଚ୍ଚା ଅନୁସାରେ କାର୍ଯ୍ୟ ହେଉଛି । ଓଝା ସେବକମାନେ ମହାପ୍ରଭୁଙ୍କୁ ସ୍ମରଣ କରିବା ସହ ସମର୍ପଣ ଭାବ ରଖି ରଥ ନିର୍ମାଣରେ କାର୍ଯ୍ୟ କରି ନିଜକୁ ଧନ୍ୟ ମଣିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *