କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପି ନେତାଙ୍କ ଦରଦ ନାହିଁ: ବିଜେଡି

ଭୁବନେଶ୍ୱର : ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ । ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ୱୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ଉପରେ ଏମିତି ବର୍ଷିଛି ବିଜେଡି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ନେତା ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ସଞ୍ଜିତ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟ ବର୍ଷ ପାଇଁ ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ୩ଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ୍‌, ପ୍ରୋତ୍ସାହନ ରାଶି ଓ ଆର୍ଥକି ସହାୟତା ଦେଇ ସାରିଲେଣି । ସେଥିରୁ ୫୬ କୋଟି ଟଙ୍କା ଗତକାଲି ତୃତୀୟ ପର୍ଯ୍ୟାୟରେ ପ୍ରଦାନ କରିଛନ୍ତି । କୌଣସି ରାଜ୍ୟରେ କେବେ ବି କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଏତେ ଟଙ୍କାର ପ୍ରୋତ୍ସାହନ ରାଶି କେହି ଦେଇ ନାହାନ୍ତି । ମାତ୍ର ବିଡ଼ମ୍ବନା ହେଲା, ନିଜକୁ କେନ୍ଦୁପତ୍ର ତୋଳାଳି ସଂଘର ନେତା ବୋଲାଉଥିବା ବିଜେପି ନେତା ପ୍ରଦୀପ ପୁରୋହିତ କେବେବି ଏ ବିଷୟରେ ମୁହଁ ଖୋଲିବେନି ।

ମହାନ୍ତି ଆହୁରି କହିଛନ୍ତି ଯେ କେନ୍ଦୁପତ୍ର ଉପରୁ କେନ୍ଦ୍ର ସଂଗ୍ରହ କରୁଥିବା ୧୮ ପ୍ରତିଶତର ଜିଏସ୍‌ଟି ଛାଡ଼ କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଓଡ଼ିଶାର ବିଜେପି ନେତାମାନେ କେବେ କେନ୍ଦ୍ର ସରକାରଙ୍କ ଆଗରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଏହି ଦାବିକୁ ଉଠାଇଛନ୍ତି କି? ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ରହିଛନ୍ତି । ଏସବୁ ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ତାଙ୍କ ରାଜ୍ୟ ସରକାର କେତେ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି? 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *