ଭବାନିପାଟଣା ବିଡିଓଙ୍କୁ ତୁରନ୍ତ ନିଲମ୍ବନ କରାଯାଉ: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ବିଡିଓ କହୁଛନ୍ତି ଯେ, ସେ ଚେୟାରମେନକୁ ଜୋତାରେ ପିଟିବେ, ପୁଣି କହୁଛନ୍ତି ଆମକୁ “ରାଜନୈତିକ ମ୍ୟାନେଜମେଣ୍ଟ” କରିବାକୁ ପଡେ । ଏହାର ଅର୍ଥ ରାଜ୍ୟ ସରକାର ସରକାରୀ ବାବୁଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜୁ ଜନତା ଦଳକୁ ନିର୍ବାଚନରେ ଜିତାଇବା ଓ ଶାସକ ଦଳର ନେତାମାନଙ୍କୁ ଠିକାକାମ ଦେବା, ପ୍ରତିପକ୍ଷର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଜୋତରେ ପିଟିବା । ଓଡ଼ିଶାର ପ୍ରଶାସନିକ ଅରାଜକତା ବଢ଼ିଛି । ଯଦି ଜଣେ ବିଡିଓ ଏଭଳି ବୟାନବାଜି କରନ୍ତି ତାହାଲେ ଜିଲ୍ଲାପାଳ, ସଚିବସ୍ତରର ଅଧିକାରୀ ଓଡିଶାର ଜନପ୍ରତିନିଧିମାନଙ୍କୁ କିଭଳି ହତାଦର କରୁଥିବେ ଏଥିରୁ ସ୍ପଷ୍ଟ । ଭବାନିପାଟଣା ବିଡିଓଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭବାନିପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ଏବେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପ୍ରତି ପଞ୍ଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଘୋଷଣା କରିଛନ୍ତି କିନ୍ତୁ ସେଥିରେ ନିର୍ବାଚିତ ଜନପ୍ରତିନିଧିମାନଙ୍କର କିଛି ଭୂମିକା ରହିବ ନାହିଁ ବୋଲି ସେହି ସରକାର ପୁଣି ଗାଇଡଲାଇନରେ ଲେଖିଛନ୍ତି । କଲେକ୍ଟର ହାତରେ ସବୁ କ୍ଷମତା, ସିଏ ଯାହା ଚାହିଁବେ ତାହା କରିବେ । ବିଡିଓମାନେ ନିଜକୁ ମାଲିକ ଭାବିଲେଣି । ଏହା କ’ଣ ନବୀନ ଓଡ଼ିଶା କି? ଓଡ଼ିଶାରେ ଗଣତନ୍ତ୍ର ଅଛି ତ? ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକମାନେ ସଚିବମାନଙ୍କ ପାଇଁ ଟେଂଟ, ଜଳଖିଆ ବ୍ୟବସ୍ଥା କରୁଛନ୍ତି । ବିଡିଓ କହୁଛନ୍ତି ମୁଁ ଚେୟାରମେନକୁ ପିଟିବି । ବିଡିଓ, କଲେକ୍ଟର, ସଚିବମାନେ ଆଉ ବିଧାୟକ, ସାଂସଦମାନଙ୍କ କୌଣସି କଥା ଶୁଣୁନାହାନ୍ତି । ଯାହା ତୃତୀୟ ମହଲା କହିବ ସେଇଆ ହିଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି, ଏଠାରେ ସମ୍ବିଧାନର ନିୟମ କାନୁନ ବୋଲି ଆଉ କିଛି ନାହିଁ । ବିଜେଡିର ବିଧାୟକମାନେ ସଚିବମାନଙ୍କ ଆଗରେ ମୂଷା ଭଳି ହେଉଛନ୍ତି ।

ରାଜ୍ୟରେ ପ୍ରଶାସନିକ ଅରାଜକତା ବଢ଼ିଛି । “ ନବୀନ ଓଡିଶା” ଯୋଜନାରେ ନିର୍ବାଚନ ପୂର୍ବରୁ ଗୋଟିଏ ବଡ ଲୁଟପାଟର ଷଡଯନ୍ତ୍ର ହୋଇଛି । ନିର୍ବାଚନ ଆଗରୁ ୪ହଜାର କୋଟି ଟଙ୍କା ଲୁଟ୍ କରି ପ୍ରଶାସନିକ ଅଧିକାରୀ ଓ ନିଜ ଦଳର କର୍ମୀମାନଙ୍କୁ ଦିଆଯିବା ପାଇଁ ନବୀନ ସରକାର ଯୋଜନା କରିଛି । ଆଗରୁ “ଆମ ଗାଁ ଆମ ବିକାଶ”ଯୋଜନାରେ ମଧ୍ୟ ସମାନ ଭାବରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରକଳ୍ପ ଅନୁମୋଦନ ଦିଆଯିବ କହି ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଣଦେଖା କରାଯାଇଥିଲା । ଯାହା ଫଳରେ ପାଖାପାଖି ୨୫୦୦ରୁ ଅଧିକ କୋଟି ଟଙ୍କାର ସିଧାସଳଖ ହରିଲୁଟ୍ କରାଯାଇଥିବାର ଅଭିଯୋଗ ଆସୁଛି । “ଆମ ଗାଁ ଆମ ବିକାଶ”ର ୯୦ପ୍ରତିଶତ କାମ ଆଜିବି ସରିନାହିଁ ବୋଲି ନାଏକ କହିଛନ୍ତି ।

ଓଡ଼ିଶାରେ ୫୦ପ୍ରତିଶତ ପିସି ଚାଲିଛି । ୫-ଟିର ସବୁ କାମରେ ଦୁର୍ନୀତି ହେଉଛି । ୫-ଟି ସ୍କୁଲର ଛାତ ଭୁଷୁଡି ପଡିଲାଣି ତ କେଉଁଠି ହକି ଷ୍ଟାଡିୟମ ଭୁଷୁଡି ପଡୁଛି । ୨୩ ବର୍ଷର ନବୀନ ସରକାର ଓଡ଼ିଶାବାସୀଙ୍କୁ ଠକିବା ସହ ପ୍ରତାରଣା କରୁଛନ୍ତି । ୫-ଟି ର ସବୁ ପ୍ରକଳ୍ପରେ ୫୦ପ୍ରତିଶତରୁ ଅଧିକ ପିସି କାରବାର ହେଉଛି । ଦି-ଅସରା ବର୍ଷାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଭୂଷୁଡିପଡୁଚି । ଶାସକ ଦଳର କର୍ମୀମାନେ ଦୁର୍ନୀତି କଲେ ରାଜ୍ୟ ସରକାର ଘଂଟ ଘୋଡାଉଛନ୍ତି ଯାହା ଆଶ୍ଚର୍ଯ୍ୟ ଚକିତ କରୁଛି ବୋଲି ନାଏକ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *