ପରିବାରବାଦ ରାଜନୀତିରେ ବ୍ରେକ୍

୨୪ ନିର୍ବାଚନରେ ଭୋଟରଙ୍କ ମୁଡ୍ ପରିବର୍ତ୍ତନ ଅନେକ ରାଜନୀତିକ ପରିବାରର ଦବଦବାରେ ଅଙ୍କୁଶ ଲଗାଇଦେଲା। କାଁ ଭାଁ କେଉଁଠି ପରିବାରକୁ ଜିତାଇଲେ ତ ଅଧିକାଂଶ ଜାଗାରେ ବଂଶାନୁକ୍ରମିକ ଉତ୍ତରାଧିକାରୀ ପଲିଟିକ୍ସକୁ ଚେକମେଟ୍ ଦେଲେ। ଏହି କ୍ରମରେ ଦେଖିବା କାହାର କେଉଁଠି ଦୁର୍ଗ ଭାଙ୍ଗିଲେ ଓ କାହାର ଗଢ଼ିଲେ ଭୋଟର।

ଓଡ଼ିଶା ରାଜନୀତିରେ ପଟ୍ଟନାୟକ ପରିବାରର ଦବଦବା କାହାରିକୁ ଅଛପା ନାହିଁ। ୨୪ ନିର୍ବାଚନରେ ଦୁଇ ଭାଇ ନିରଞ୍ଜନ ପଟ୍ଟନାୟକ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ଭଣ୍ଡାରିପୋଖରୀରୁ ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହି ଲଢ଼ୁଥିବା ନିରଞ୍ଜନ ଏଥର ବି ହାରିଗଲେ। ବିଜେଡିର ସଞ୍ଜୀବ ମଲ୍ଲିକ ବାଜି ମାରିନେଲେ। ଭବିଷ୍ୟତରେ ଆଉ ଭୋଟ୍‌ ରାଜନୀତିରେ ଭାଗ ନେବିନି ବୋଲି ସ୍ଥିର କରିସାରିଛନ୍ତି ନିରଞ୍ଜନ। ସେପଟେ ଘସିପୁରାରୁ ଜନ୍ମମାଟିର ସ୍ୱାଭିମାନ ପାଇଁ ଲଢ଼େଇ କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ବି ହାରିଗଲେ। ବିଜେଡିର ବଦ୍ରିନାରାୟଣ ପାତ୍ରଙ୍କଠୁ ହାରିଯାଇଛନ୍ତି ସୌମ୍ୟ।

ଢେଙ୍କାନାଳରେ ଦାଦା-ପୁତୁରାଙ୍କୁ ହରାଇଦେଲେ ଭୋଟର।ଢେଙ୍କାନାଳ ବିଧାନସଭା ପ୍ରାର୍ଥୀ ସୁଧୀର ସାମଲ ନିଜ ପୁତୁରା ଡାକ୍ତର ଅବିନାଶ ସାମଲଙ୍କୁ ବିଜେଡିରୁ ଲୋକସଭା ପ୍ରାର୍ଥୀ କରାଇବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଉଭୟ ଦାଦା ପୁତୁରାଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ ଭୋଟର। ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିକୁ ଜିତାଇଲେ।

ରେଢାଖୋଲରେ ଦାଦାଙ୍କୁ ଭୋଟର ଆପଣାଇଥିଲା ବେଳେ ବରଗଡରେ ପୁତୁରାଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ। ରେଢାଖୋଲରୁ ଦାଦା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୋଟର ଜିତାଇଥିଲେ ବେଳେ ବରଗଡ଼ରୁ ଲଢ଼ୁଥିବା ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ ଭୋଟର। ପିସିସି ପ୍ରଚାର କମିଟିର ମଙ୍ଗ ଧରିଥିବା ବାପା ଭକ୍ତ ଦାସଙ୍କୁ ନର୍ଲା ଭୋଟର ପ୍ରତ୍ୟାଖ୍ୟାନ କରିଥିଲା ବେଳେ ପୁଅ ସାଗର ଦାସଙ୍କ ଉପରେ ଭବାନୀପାଟଣା ଭୋଟର ଭରସା କଲେ।ସମୟ ଦେଇନଥିବାରୁ ଲୋକଙ୍କ ଅଭିମାନର ପ୍ରତିଫଳନ ପଡ଼ିଲା ବୋଲି କହିଛନ୍ତି ଭକ୍ତ।

ଉଭୟ ମାଆ-ପୁଅକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏଥର ଭୋଟର। ବିଜେଡିର ପ୍ରଭାବଶାଳୀ ନେତା ପୁଅ ପ୍ରଣବ ପ୍ରକାଶ ଦାସ ସମ୍ୱଲପୁର ସଂସଦୀୟ କ୍ଷେତ୍ରରେ ବଡ଼ ବ୍ୟବଧାନରେ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ହାରିଥିଲା ବେଳେ କୋରେଇରୁ ମା ସଂଧ୍ୟାରାଣୀ ଦାସଙ୍କୁ ବି ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ୫ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଆକାଶ ଦାସନାୟକ ଏଠାରୁ ଜିତିଲେ।

ମୟୂରଭଞ୍ଜରେ ପତି-ପତ୍ନୀ ପରାଜୟର ମୁହଁ ଦେଖିଥିଲା ବେଳେ ବଲାଙ୍ଗୀରରେ ପତି-ପତ୍ନୀ ବିଜୟର ସ୍ୱାଦ ଚାଖିଲେ। ମୟୂରଭଞ୍ଜ ଲୋକସଭା ଆସନରୁ ସୁଦାମ ମାର୍ଣ୍ଡିଂ ହାରିଥିଲା ବେଳେ ବାଙ୍ଗିରିପୋଷୀରୁ ହାରିଛନ୍ତି ପତ୍ନୀ ରଞ୍ଜିତା ମାର୍ଣ୍ଡିଂ। ବାଙ୍ଗିରିପୋଷିରେ ଜିତିଛନ୍ତି ବିଜେପି ପ୍ରାର୍ଥୀ ସଞ୍ଜଳି ମୁର୍ମୁ। ନିଜ ବାପା ସୁଗଦା ମୁର୍ମୁଙ୍କ ପରାଜୟର ପ୍ରତିଶୋଧ ନେଇ ସମ୍ମାନ ରଖିଲେ ଏଥର ସଞ୍ଜଳି। ବଲାଙ୍ଗୀର ଲୋକସଭା ଆସନରେ ବିଜେପିର ସଙ୍ଗୀତା ସିଂଦେଓ ପୁଣି ଥରେ ଜିତିଥିଲା ବେଳେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂଦେଓ ପାଟଣାଗଡ଼ ଆସନରେ ବିଜୟ ମୁକୁଟ ପିନ୍ଧିଛନ୍ତି।

ସୁରଙ୍କ ଦୁଇ ପୁଅ ପରାଜୟର ମୁହଁ ଦେଖିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଥିବା ସାନ ପୁଅ ମନ୍ମଥ ଓ ନିମାପଡ଼ା ବିଧାନସଭାରୁ କଂଗ୍ରେସ ଟିକଟରେ ଲଢ଼ିଥିବା ବଡ଼ ପୁଅ ସିଦ୍ଧାର୍ଥ ହାରିଛନ୍ତି। ପିପିଲିରେ ମହାରଥୀ ଗଡ଼ ଭାଙ୍ଗିଗଲା। ରୁଦ୍ର ହାରିଗଲେ। ବାସୁଦେବପୁରରେ ରାଉତରାୟ ପରିବାରର ଦୁର୍ଗ ଭାଙ୍ଗିଦେଲେ ଭୋଟର।ବିଜେଡିର ଅଭେଦ୍ୟ ଗଡ଼କୁ ଭାଙ୍ଗି ଧସେଇପଶିଛି ଏଥର କଂଗ୍ରେସ।

କଟକ-ବାରବାଟୀରେ ବାପାଙ୍କ ବଦଳରେ ଛିଡ଼ା ହୋଇଥିବା ଝିଅ ସୋଫିଆ ଫିର୍ଦ୍ଦୋସଙ୍କ ଉପରେ ପୁଣି ଭରସା କଲେ ଭୋଟର। ଆଇନଗତ କଟକଣା ଲାଗି ଏଥର ନିର୍ବାଚନ ଲଢ଼ିପାରିନଥିବା ମୋକିମଙ୍କ ଝିଅ ବାପାଙ୍କ ଗଡ଼ ବଜାୟ ରଖିଲେ। ମାହାଙ୍ଗାରେ ଅଙ୍କିତ ପ୍ରତାପ ଜେନା ପରାଜୟର ମୁହଁ ଦେଖିଲେ। ବାପା ପ୍ରତାପ ଜେନାଙ୍କ ଗଡ଼ ବଜାୟ ରଖିବାରେ ସକ୍ଷମ ହେଲେନି ଅଙ୍କିତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *