କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ମଣ୍ଡିପଙ୍କା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଆମ୍ୱ ଟାକୁଆରୁ ବାହାରିଥିବା କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏବଂ ୬ଜଣ ଗୁରୁତର ମଧ୍ୟ ଅଛନ୍ତି। ମୃତକ ହେଲେ ରୁନୀ ମାଝୀ ଓ ରୁମିତା ପାଟ୍ଟମାଝୀ। ଗୁରୁବାର ରୁନୀଙ୍କୁ ଆଗ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଏକକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ଥାନାନ୍ତର ପୂର୍ବରୁ ବ୍ରାହ୍ଣଣୀଗାଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ରୁନି। ଆଉ ଏମକେସିଜିରେ ପହଞ୍ଚିବା ଆଗରୁ ରୁମିତା ମୃତ୍ୟୁବରଣ କରିଥିଲେ। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରନିତାଙ୍କ ମୃତ୍ୟ ହୋଇଛି। ଏମକେସିଜିରେ ଅନ୍ୟ ୬ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। କିଛି ସଂକଟାପନ୍ନଙ୍କୁ ଆଇସିୟୁରେ ରଖାଯାଇଛି।
ସେପଟେ ଗାଁକୁ ସ୍ୱାସ୍ଥ୍ୟ ଟିମ୍ ପଠାଯାଇଛି। ବିଷାକ୍ତ ଖାଦ୍ୟ ନା ହଇଜାରୁ ମୃତ୍ୟୁ ହୋଇଛି, ଟିମ୍ ତଦନ୍ତ ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। କନ୍ଧମାଳ ଜିଲ୍ଲାପାଳ କହିଛନ୍ତି, ଗାଁକୁ ପ୍ରଶାସନିକ ଟିମ୍ ପଠାଯାଇଛି। କେଉଁ କାରଣରୁ ଏମିତି ହେଲା, ତଦନ୍ତ ହେବ। ମଣ୍ଡିପଙ୍କା ଗାଁରେ ପ୍ରଶାସନିକ ଅଧିକାରୀ ବି ପହଞ୍ଚିଥିଲେ। ଏଭଳି ଘଟଣା ଲାଗି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୩ ମାସ ହେଲା ଚାଉଳ ମିଳିନଥିଲା ବୋଲି ଆମ୍ୱ ଟାକୁଆ ଖାଇଛୁ ବୋଲି ଅଭିଯୋଗ ଲଦିଛନ୍ତି ମୃତକଙ୍କ ପରିବାର। ବୁଧବାର ଆମ୍ୱ ଟାକୁଆ ଭାଜି ଖାଇବା ପରେ ଆଗ ବାନ୍ତି ହେବା ସହ ମୁଣ୍ଡ ବୁଲେଇଥିଲା। ଆଉ ପରେ ଏମିତି ଅଘଟଣ ଘଟିଥିଲା।
କିଛି ବର୍ଷ ପୂର୍ବେ ୨୦୦୧ରେ କାଶୀପୁରରେ ଆମ୍ୱଟାକୁଆ ଖାଇ ମୃତ୍ୟୁ ଖବର ବିଶ୍ୱ ଦରବାରରେ ହଇଚଇ ସୃଷ୍ଟି କରିଥିଲା। କାଶୀପୁରରେ ଭୋକରୁ ଲୋକେ ଆମ୍ୱଟାକୁଆ ଖାଇ ୩୨ଜଣ ମରିଥିଲେ। ତଦନ୍ତ ଓ ଶବବ୍ୟବଛେଦ ପରେ ସ୍ପଷ୍ଟ ହୋଇଥିଲା, ଆମ୍ୱଟାକୁଆ ବିଷାକ୍ତ ହୋଇଯିବାରୁ ଏହା ମୃତ୍ୟୁର କାରଣ ପାଲଟିଥିଲା। ଆଉ ୨୪ ବର୍ଷ ପରେ ଏଥର ସମାନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now