ବୁଲଡୋଜର ଆକ୍ସନ ମାମଲାରେ ଆସିଲା ସୁପ୍ରିମ ରାୟ । ସେ ବୁଲଡୋଜର ଆକ୍ସନକୁ ନିଷିଦ୍ଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌଣସି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଏହା ମଧ୍ୟ କହିଛନ୍ତି କାର୍ଯ୍ୟପାଳିକା ବିଚାରପତି ନୁହନ୍ତି । ଉପଯୁକ୍ତ ପ୍ରକ୍ରିୟା ନ କରି ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଅସାମ୍ବିଧାନିକ । ଏପରିକି ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ସେମାନଙ୍କ ସମ୍ପତ୍ତି ନଷ୍ଟ ଗ୍ରହଣୀୟ ନୁହେଁ । ଅପରାଧର ଦଣ୍ଡ ଘର ଭାଙ୍ଗିବା ନୁହେଁ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି ।‘ମନଇଚ୍ଛା ପଦକ୍ଷେପ ନେଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । କୌଣସି ପକ୍ଷ ନଶୁଣି କାର୍ଯ୍ୟାନୁଷ୍ଠାନ ହେବା ଅନୁଚିତ। ଆଇନ ଆଧାରରେ ଶାସନ ହେବା ଉଚିତ । ଅପରାଧୀଙ୍କୁ ଦଣ୍ଡଦେବା କୋର୍ଟର କାର୍ଯ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଯଦି ଘର ଭଙ୍ଗାଯିବା ଅନିବାର୍ଯ୍ୟ ତେବେ ଅଧିକାରୀଙ୍କୁ ଆବଶ୍ୟକ କାରଣ ଦର୍ଶାଇବାକୁ ପଡ଼ିବ । ସମ୍ପୂର୍ଣ୍ଣ ଘର ଭଙ୍ଗାଯିବ ନା ଅଧା ବେଆଇନ ନିର୍ମାଣ ଭଙ୍ଗାଯିବ ତାର କାରଣ ଦର୍ଶାଇବାକୁ ପଡ଼ିବ । ଲୋକଙ୍କୁ ଅପିଲ କରିବାକୁ ଉଚିତ ସମୟ ସହ ବିକଳ୍ପ ଆବାସ ଖୋଜିବାକୁ ଲୋକଙ୍କୁ ସମୟ ଦେବାକୁ ପଡ଼ିବ । ଘର ଭାଙ୍ଗିବା ପୂର୍ବରୁ ୧୫ ଦିନର ନୋଟିସ ଦେବ ପ୍ରଶାସନ। ରେଜିଷ୍ଟରଡ୍ ପୋଷ୍ଟରେ ନୋଟିସ ପଠାଯିବ ଏବଂ ଘର ବାହାରେ ଲଗାଯିବ ନୋଟିସ୍ ।କୋର୍ଟ କହିଛନ୍ତି, ବିବାଦ ସମାଧାନ ପାଇଁ ୧୫ ଦିନ ସମୟ ଦେବା ଆବଶ୍ୟକ । ଘରର ଯଦି କିଛି ଭାଗ ଅବୈଧ ତେବେ କେବଳ ସେହି ଭାଗ ଭଙ୍ଗାଯିବ। ଜରିମାନା ଜରିଆରେ ବିବାଦ ସମାଧାନ ସମ୍ଭବ ତେବେ ସେହି ବିକଳ୍ପ ଗ୍ରହଣ କରାଯାଇପାରେ ବୋଲି କୋର୍ଟ କହିଛନ୍ତି । ଘର ଭଙ୍ଗା ହିଁ ଏକମାତ୍ର ବିକଳ୍ପ କାହିଁକି ତାର ଉଚିତ୍ କାରଣ ଦର୍ଶାଇବେ ଅଧିକାରୀ । ଘର ଭଙ୍ଗାଯିବା ସମୟରେ ତାର ଭିଡିଓ ଗ୍ରାଫ କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ କୋର୍ଟଙ୍କ ଅବମାନନା ବୋଲି ବିଚାର କରାଯିବ ଏବଂ ନିୟମ ଉଲ୍ଲଂଘନ କଲେ ଅଧିକାରୀ ତାଙ୍କ ଦରମାରୁ ଖର୍ଚ୍ଚ ବହନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଉପଯୁକ୍ତ ପ୍ରକ୍ରିୟା ବିନା ବିଭିନ୍ନ ରାଜ୍ୟରେ ବୁଲଡୋଜର ଲଗାଇ ଲୋକଙ୍କ ସଂପତ୍ତିକୁ ନଷ୍ଟ କରିବାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now