ନବ ଦାସ ହତ୍ୟା ମାମଲା- ଘମାସାନ ରାଜନୀତି

ଅନାସ୍ଥା ଭୋଟ ଆଗରୁ ହାଇଡ୍ରାମା ଭିନ୍ନ ମୋଡ଼ ନେଇ ଏବେ ପୁରୁଣା ଫର୍ଦ୍ଦ ଓଲଟାଇଛି। ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଝିଅ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସ ଓ ପୁଅ ବିଶାଳ ଦାସ। ମୁଖ୍ୟମନ୍ତ୍ରୀ ପରିବାରକୁ ଡାକି ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ଦୀପାଳି। କ୍ରାଇମବ୍ରାଞ୍ଚ୍ କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି କାମ ସାରିଦେଲା। କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ପଡ଼ିବା ପୂର୍ବରୁ ବିଶାଳଙ୍କୁ ଛତିଶଗଡ଼ ପୁଲିସ ବିନା କାରଣରେ ଅଟକ ରଖିଲା। ପୁଲିସ ଲଗାଇ ବାପାଙ୍କୁ ହତ୍ୟା କରିଦେବା ଭଲି ପୁଲିସ ଲଗାଇ ମୁରବି ଚାଲିଗଲା ପରେ ନବଦାସଙ୍କ ପରିବାରକୁ ପୁଲିସ ଲଗାଇ ଭୟଭୀତ କରାଯାଉଛି।

ଅନାସ୍ଥା ଭୋଟ ଆଗରୁ ହାଇଡ୍ରାମାକୁ ନେଇ ରାଜନୀତି ଉଠୁଥିବା ପଡ଼ୁଥିଲା ବେଳେ ତଦନ୍ତ ଲାଗି ଗଲା ୧୨ ତାରିଖରେ ବିଜେଡିର ୭ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଝାରସୁଗୁଡ଼ା ଯାଇଥିଲେ। ଆଉ ଏତିକିବେଳେ ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା ବିଜେଡି ସୁପ୍ରିମୋଙ୍କ ଆଗରେ ସୋସିଆଲ ମିଡିଆରେ ରଖିଛନ୍ତି ବିସ୍ଫୋରକ ବୟାନ। ଦୀପାଳିଙ୍କ ସମେତ ଅନେକ ଦଳୀୟ ନେତା ପରିଷଦରେ ଦୁର୍ନୀତି ଲାଗି ତାଙ୍କ ଉପରେ ଚାପ ପକାଉଛନ୍ତି। ସାଲିସ କରିବାକୁ ମନା କରିବାରୁ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।

ସେପଟେ ନବା ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ନେଇ ଆଇନ ମନ୍ତ୍ରୀ କହିଛନ୍ତି, ଖାଲି ଗଣମାଧ୍ୟମରେ କହିଦେଲେ ହେବନି। ଯଦି ପୂର୍ବ ସରକାର ତଦନ୍ତରେ ପରିବାର ଅସନ୍ତୁଷ୍ଟ, ଲିଖିତ ଭାବେ ଜଣାଇଲେ ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ପୂର୍ବରୁ ବିଜେପି ବି ପ୍ରଶ୍ନ କରିଥିଲା, ଗୋପାଳ ଦାସ କାହିଁକି ଗୁଳି କଲା। ହେଲେ ଏହାର ଉତ୍ତର ନଥିଲା। କ୍ରାଇମବ୍ରାଞ୍ଚ ତଥ୍ୟ ତଦନ୍ତକୁ ଦିଗହରା କରିଥିଲା। କେସ୍ ରିଓପନ କରାଯିବ କି ନାହିଁ, ସରକାର ନିଷ୍ପତ୍ତି ନେବେ। ବିଳମ୍ୱରେ ହେଲେ ବି ଦୀପାଳିଙ୍କ ମନରେ ଆସିଲା ଯେ, ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ସରକାର ଭୂଆଁ ବୁଲାଉଥିଲେ। କଂଗ୍ରେସ କହିଛି, ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବା କଥା।  ବିଳମ୍ୱରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞନା ଉଦୟ ହୋଇଛି। ବିଧାନସଭାରେ କଂଗ୍ରେସ ସିବିଆଇ ତଦନ୍ତ ନଚେତ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲା। ହେଲେ ନବୀନ ସରକାର ଶୁଣିଲେନି। ପରିବାର ବି ନୀରବ ରହିଲା। ନବ ଦାସଙ୍କ ହତ୍ୟା ପଛରେ ରାଜନୀତିକ ଷଡ଼ଯନ୍ତ୍ର ଥିବା ରାଜ୍ୟବାସୀ ଯେଉଁ ଆଶଙ୍କା କରୁଛନ୍ତି, ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସନ୍ତା। ବିଜେଡି କହିଛି, ଏତେ ବଡ଼ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡ଼ିଲେ ଭଲ। କିନ୍ତୁ ଷଡ଼ଯନ୍ତ୍ରକାରୀ ଯଦି କେହି ଥିବେ, ସେମାନେ ବି ଧରାପଡ଼ିବା ସେତିକି ଜରୁରୀ ବୋଲି ପରିବାର ଚାହିଁବା ସ୍ୱାଭାବିକ କଥା। ସେଥିଲାଗି ସିବିଆଇ ତଦନ୍ତ ହେଲେ ଅନ୍ୟ ଆସାମୀ ଧରାପଡ଼ିବେ। ନବ ଦାସ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ପରିବାର ଦାବି କଲା ପରେ ଏହାକୁ ନେଇ ରାଜନୀତିକ ଘମାସାନ ଜୋର୍ ଧରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *