ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କରିଛି ବିଜେପି । ମହିଳାଙ୍କୁ ଫୋକସ କରି ମଧ୍ୟପ୍ରଦେଶ,ଓଡ଼ିଶା,ହରିୟାଣା ହାତେଇ ଥିବା ବେଳେ ସମାନ ଫର୍ମୂଲା ଦିଲ୍ଲୀ ପାଇଁ କରିଛି ଦଳ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦଳର ଅଧୟକ୍ଷ ଜେ.ପି ନଡ୍ଡା ସଂକଳ୍ପ ପତ୍ର ଜାରି କରିଛନ୍ତି । ଏବଂ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ଦଳ । ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ । ବିଜେପି କହିଛି ଦଳ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟରେ ଏହା ଉପରେ ମୋହର ଲାଗିବ । ଆମଆଦମୀ ପାର୍ଟି ମାସକୁ ୨୧ଶହ ଦେବାକୁ କହିସାରିଛି । ଏବଂ କଂଗ୍ରେସ ପ୍ୟାରୀ ଦିଦି ଯୋଜନାରେ ୨୫ଶହ ଟଙ୍କା ଦେବାକୁ କହିଛି । ତା ସହ ବିଜେପି ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦେବ । ୬ଟି ପୁଷ୍ଟିକର କିଟ ଦିଆଯିବ । ମାତୃତ୍ୱ ବନ୍ଦନ ଯୋଜନାରେ ମା’କୁ ପ୍ରଥମ ସନ୍ତାନ ପାଇଁ ୫ହଜାର ଓ ଦ୍ୱିତୀୟ ସନ୍ତାନ ପାଇଁ ୬ହଜାର ଟଙ୍କା ଦେବାକୁ ଘୋଷଣା ପତ୍ରରେ ଲେଖିଛି ।୫ଶହ ଟଙ୍କା ସବସିଡିରେ ଏଲପିଜି ସିଲିଣ୍ଡର । ହୋଲି ଓ ଦିପାବଳୀରେ ଗୋଟିଏ ମାଗଣା ସିଲିଣ୍ଡର ଦେବେ। ଆପ ଆୟୁଷ୍ମାନ ଯୋଜନା ରାସ୍ତାରେ କଣ୍ଟା ହୋଇଛି କହିବା ସହ ଦଳ କ୍ଷମତାକୁ ଆସିବା ମାତ୍ରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବେ । କେନ୍ଦ୍ର ୫ ଲକ୍ଷ ଟଙ୍କାର ସହାୟତା କରୁଥିବା ବେଳେ ଦିଲ୍ଲୀରେ ସରକାର ହେଲେ ତାହାକୁ ବରିଷ୍ଠଙ୍କ ପାଇଁ ୧୦ ଲକ୍ଷ କରାଯିବ । ୭୦ ବର୍ଷରୁ ଅଧିକ ବରିଷ୍ଠଙ୍କୁ ମାସିକ ୩ହଜାର ଭତ୍ତା । ୬୦ରୁ ୭୦ ବର୍ଷର ବରିଷ୍ଠକୁ ୨ହଜାର ରୁ ୨୫ଶହ ଯାଏଁ ଦିଆଯିବ । ବିଧବା ଏବଂ ଦିବ୍ୟାଙ୍ଗ ସମସ୍ତେ ୩ହଜାର ଟଙ୍କା ମାସିକ ଭତ୍ତା ପାଇବେ । ଦିଲ୍ଲୀର ବସ୍ତି ଅଞ୍ଚଳରେ ଅଟଳ କ୍ୟାଣ୍ଟିନ ଖୋଲିବ ଯେଉଁଠି ୫ଟଙ୍କାରେ ମିଲ୍ ମିଳିବ । ଆପର ପୂର୍ବ ଘୋଷଣା, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମୀର ବାସ୍ତବତା ଓ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇ କଠୋର ସମାଲୋଚନା କରି ଦିଲ୍ଲୀ କ୍ଷମତାକୁ ବିଜେପି ଆସିଲେ ବିକାଶ ନିଶ୍ଚୟଁ କହିଛି ବିଜେପି । ତେବେ ଫେବୃଆରୀ ୫ରେ ଦିଲ୍ଲୀରେ ମତଦାନ ହେବ ।ଫଳାଫଳ ୮ ତାରିଖରେ ଘୋଷଣା ହେବ ।ତା ପୂର୍ବରୁ ଆପ,ବିଜେପି, କଂଗ୍ରେସ ତିନି ପ୍ରମୁଖ ଦଳ ପ୍ରତିଶ୍ରୁତି ବନ୍ୟା କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now