ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ

ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ବ୍ରହ୍ମପୁର ଗେଟବଜାରରେ ଓଭରବ୍ରିଜ ନିର୍ମାଣ ଦାବି । ଓଭରବ୍ରିଜ ନିର୍ମାଣ ପୂର୍ବରୁ ଆରମ୍ଭ ହୋଇଛି ମାଟି ପରୀକ୍ଷଣ କାର୍ଯ୍ୟ । ଗେଟବଜାରରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ ନିର୍ମାଣ ନିଗମ ତଥା ଓବିସିସି କାର୍ଯ୍ୟ ହାତକୁ ନେଇଛି । ଗତ ଜୁନ ମାସରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ଗେଟବଜାରରେ ଓଭରବ୍ରିଜ ନିର୍ମାଣ ନେଇ ପ୍ରସ୍ତାବ ବିଭାଗୀୟ ମନ୍ତ୍ରୀଙ୍କୁ ଦେବା ପରେ ମନ୍ତ୍ରୀ ତାହା ଅନୁମୋଦନ କରିବା ପରେ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଅନୁମୋଦିତ ହୋଇଥିଲା । ପ୍ରଥମେ ଓଭରବ୍ରିଜ ନିର୍ମାଣ ନେଇ ୭୮ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯାଇ ୧୧୫ କୋଟି ଟଙ୍କା କରାଯାଇଛି । ବର୍ଦ୍ଧିତ ଟଙ୍କାକୁ ପ୍ରଶାସନିକ ଅନୁମୋଦନ ପାଇଁ କିଛି ଅଧିକ ସମୟ ଲାଗିବା ପରେ ବର୍ତ୍ତମାନ ଟେଣ୍ଡର ସରିବା ପରେ ବର୍ତ୍ତମାନ ଓବିସିସି ପକ୍ଷରୁ ଏକ ଠିକା ସଂସ୍ଥା ଦ୍ବାରା ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ମାଟି ପରୀକ୍ଷଣ ଶେଷ ହେବା ପରେ ଖୁବଶୀଘ୍ର ଓଭରବ୍ରିଜ କାମ ଆରମ୍ଭ ହୋଇ ଦେଢ଼ ବର୍ଷ ମଧ୍ୟରେ କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଧାୟକ । ସେପଟେ ଗତ କିଛି ଦିନ ହେଲା ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିଳାଦ୍ରିବିହାରୀ ଛକରୁ ସିଟି ହସ୍‌ପିଟାଲ ଛକ ମଧ୍ୟରେ ମାଟି ସଂଗ୍ରହ କରି ପରୀକ୍ଷଣ କରାଯାଉଛି ।

ବ୍ରହ୍ମପୁର ସହରକୁ ପ୍ରତିଦିନ ଶହ ଶହ ଲୋକେ ବ୍ୟବସାୟ, ଚିକିତ୍ସା, ଶିକ୍ଷା ଭଳି ପ୍ରମୁଖ କାମରେ ଆସିଥାନ୍ତି । ତେବେ ବିଭିନ୍ନ ଗାଁରୁ ବ୍ରହ୍ମପୁରକୁ ଆସିବା ନିମନ୍ତେ ପ୍ରମୁଖ ଛକ ହେଉଛି ସହରର ଗେଟ୍‌ ବଜାର ଛକ । କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ହିଞ୍ଜିଳି, ଆସିକା, ଭଞ୍ଜନଗର ଭଳି ଅନେକ ବ୍ଳକର ଲୋକେ ସହରକୁ ଆସିବା ନିମନ୍ତେ ଗେଟବଜାର ହେଉଛି ମୁଖ୍ୟ ରାସ୍ତା ତଥା ଛକ । ଯାହା ଫଳରେ ପ୍ରତିଦିନ ସକାଳ ନଅରୁ ରାତି ନଅଟା ପର୍ଯ୍ୟନ୍ତ ଏହି ଛକରେ ଲାଗିଥାଏ ଲୋକଙ୍କ ଭିଡ଼ । ଟ୍ରାଫିକ ସମସ୍ୟା ଏତେ ଉପୁଜେ ଯେ ଏହାକୁ ନିୟନ୍ତ୍ରଣ କରିବା ଏକ ପ୍ରକାରର କଷ୍ଟକର । ଗେଟ୍‌ ବଜାର ଛକ ଦେଇ ହିଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଓ ନୂଆ ବସଷ୍ଟାଣ୍ଡକୁ ଯିବା ନିମନ୍ତେ ଏକମାତ୍ର ରାସ୍ତା । ଏହି ସମୟରେ ବିଶେଷ କରି ଆମ୍ବୁଲାନ୍ସ ଗାଡ଼ିଟେ ଯଦି କେଉଁ ଗାଁରୁ ଚାଲି ଆସିଲା ମାନେ କଥା ସରିଲା । ଆସିକା ରୋଡ଼ରୁ ଗେଟ୍ ବଜାର ଛକ ରାସ୍ତା ପାର ହେବା ନିମନ୍ତେ ଅତି କମରେ ୩୦ ରୁ ୪୫ ମିନିଟ୍ ସମୟ ଲାଗିଯାଇଥାଏ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଗେଟ ବଜାର ଛକରେ ଓଭରବ୍ରିଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହେଉଥିବା ବେଳେ ବର୍ତ୍ତମାନ ମାଟି ପରୀକ୍ଷଣ କାମ ଆରମ୍ଭ ହୋଇଛି ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *