ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟବିତ୍ତ ବର୍ଗଙ୍କ ଲାଗି କେଜ୍ରିଓ୍ୱାଲଙ୍କ ମାନିଫେଷ୍ଚୋ। ଭାରତର ମଧ୍ୟବିତ୍ତ ଏବେ ଟାକ୍ସ ଟେରୋରିଜିମର ପୀଡ଼ିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ। ଦିଲ୍ଲୀ ନିର୍ବାଚନରେ ମଧ୍ୟବିତ୍ତଙ୍କ ସ୍ୱାର୍ଥ ଲାଗି କେନ୍ଦ୍ରକୁ ଅପିଲ୍ କଲେ ଅରବିନ୍ଦ କେଜ୍ରିଓ୍ୱାଲ୍। ଟାକ୍ସ ଟେରୋରିଜିମର କଥା କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କେଜ୍ରିଓ୍ୱାଲ। ମଧ୍ୟବିତ୍ତଙ୍କ ୫୦ ପ୍ରତିଶତରୁ ଅଧିକ ଆୟ ସରକାରଙ୍କୁ ଟିକସ ଦେବାରେ ଚାଲିଯାଉଛି। ଜୀବିତ ଥିଲା ବେଳେ ଟିକସ, ମରିବା ପରେ ବି ଟିକସ ଦେବାକୁ ପଡ଼ୁଛି। ମଧ୍ୟବିତ୍ତ ବର୍ଗ କେବଳ ସରକାରଙ୍କ ଏଟିଏମ୍ ହୋଇ ରହିଗଲେ। ଦିଲ୍ଲୀରେ ଜନତାର ଅର୍ଥ ଜନତାଙ୍କ ପଛରେ ଖର୍ଚ୍ଚ କରୁଛନ୍ତି ଆପ୍ ସରକାର। ଗରିବ ଓ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା କରିବାକୁ ଆପ୍ ସରକାର ବିଜୁଳି ଓ ପାଣି ମାଗଣାରେ ଦେଲେ। ହେଲେ କେନ୍ଦ୍ର କରୁଛି କଅଣ କହି ଟାର୍ଗେଟ କରିଛନ୍ତି କେଜ୍ରିଓ୍ୱାଲ୍। ଏହି ପରିପ୍ରେକ୍ଷୀରେ ମୋଦିଙ୍କ ପାଖରେ ମଧ୍ୟବିତ୍ତଙ୍କ ଲାଗି ୭ ସୂତ୍ରୀ ଦାବି ରଖିଛନ୍ତି କେଜ୍ରିଓ୍ୱାଲ। ଦେଶର ପରବର୍ତ୍ତୀ ବଜେଟ୍ ମଧ୍ୟବିତ୍ତଙ୍କ ଲାଗି ସମର୍ପିତ ହେଉ। ଶିକ୍ଷାର ବଜେଟ୍ ୧୦ ପ୍ରତିଶତ, ଘରୋଇ ସ୍କୁଲରେ ଫି ଉପରେ ଲଗାମ, ଉଚ୍ଚଶିକ୍ଷା ଲାଗି ରିହାତି ଓ ବୃତ୍ତି, ସ୍ୱାସ୍ଥ୍ୟ ବଜେଟ୍ ୧୦ ପ୍ରତିଶତ, ସ୍ୱାସ୍ଥ୍ୟ ବୀମାରୁ ଟିକସ ହଟାଇବା, ଆୟକର ସୀମା ୧୦ଲକ୍ଷ ଯାଏଁ ରିହାତି, ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ସମାପ୍ତ ଓ ବୟସ୍କଙ୍କ ଲାଗି ଅବସର ପ୍ଲାନ୍, ଦୃଢ଼ ପେନସନ ବ୍ୟବସ୍ଥା ସହ ରେଲଓ୍ୱେ ଟିକଟରେ ୫୦ ପ୍ରତିଶତ ରିହାତି ଦିଆଯାଉ।
ସେପଟେ ଦିଲ୍ଲୀ ନିର୍ବାଚନରେ ଆପ୍କୁ କଡ଼ା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ମଦ ଉପଲବ୍ଧ, କିନ୍ତୁ ପାଣି ନାହିଁ। ଏଥର ଆପ୍ କୁ ରେକର୍ଡ ଭୋଟରେ ହରାଇବାରୁ ଅପିଲ୍ କରିଛନ୍ତି ମୋଦି। ପ୍ରତି ବୁଥରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଭୋଟ ଆଣିବାକୁ ଟାର୍ଗେଟ ଦେଇଛନ୍ତି ଦଳୀୟ କର୍ମୀଙ୍କୁ। ମେରା ବୁଥ୍ ମଝଭୁତ ବୁଥ୍ ଲାଇଭ୍ ଓ୍ୱେବସାଇଟ୍ ଇଭେଣ୍ଟରେ ଦିଲ୍ଲୀ ବିଜେପି କର୍ମୀ ଓ ନେତାଙ୍କ ସହ କଥା ହୋଇ ଏଭଳି ଟାସ୍କ ଓ ଟାର୍ଗେଟ ସେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଆମ୍ ଆଦମୀ ଦଳ ପ୍ରତି ଦିନ ନୂଆ ଘୋଷଣାରେ ବ୍ୟସ୍ତ। କାରଣ ଲୋକଙ୍କ ଆଗରେ ସେମାନେ ଏକ୍ସପୋଜ୍ ହୋଇସାରିଲେଣି। ସେଥିଲାଗି ଦିଲ୍ଲୀକୁ ଆପଦାରୁ ମୁକ୍ତ କରିବାକୁ ପଡ଼ିବ। କଂଗ୍ରେସର ୧୪ ବର୍ଷ, ଆପର ୧୧ ବର୍ଷର ସରକାର ଦେଖିଲେଣି ଦିଲ୍ଲାବାସୀ। ୨୫ ବର୍ଷ ବହୁତ ବଡ଼ ସମୟ ଅଟେ। ସେଥିଲାଗି ଏଥର ବିଜେପିକୁ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି। ମିଛ ପ୍ରତିଶୃତିରେ କଂଗ୍ରେସରୁ ଦୁଇ ପାଦ ଆଗେଇଗଲାଣି ଆପ୍। ପ୍ରତିଶୃତି ଓ ଗ୍ୟାରେଣ୍ଟିର ପାହାଡ଼ରେ ଲଦି ଦେଲେଣି ଭୋଟରଙ୍କୁ ପ୍ରମୁଖ ଦଳ। ଦେଖିବାର କଥା ଦିଲ୍ଲୀ ବାସିଙ୍କ ଦିଲ୍ କିଏ ଜିତିବାରେ ସକ୍ଷମ ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now