ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ଧସେଇ ପଶିଲା ସିବିଆଇ। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଲାଞ୍ଚ କାରବାର ମାମଲାରେ ଦିଲ୍ଲୀ ସିବିଆଇର ୮ଜଣିଆ ଟିମ୍ ବିଷ୍ଣୁଙ୍କ ଘର ଓ ବିଭିନ୍ନ ଠିକଣାରେ ରେଡ୍ କରିଥିଲା। ତେବେ ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ଘରେ ପଶିବାକୁ ବିରୋଧ କରିବାରୁ ବିଷ୍ଣୁଙ୍କ ସହ ସିବିଆଇ ଟିମ୍ର ମୁହାଁମୁହିଁ ହୋଇଥିଲା। ବିନା ଏତଲାରେ ଓ ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ସିବିଆଇ ଘରେ ପଶି ଖାନତଲାସି କରିବାରୁ ପତ୍ନୀ ଓ ଝିଅକୁ ଧରି ବାହାରକୁ ପଳାଇ ଆସିଥିଲେ ବିଷ୍ଣୁ। ନିଜକୁ ନିର୍ଦୋଷ ବୋଲି କହିଛନ୍ତି ବିଷ୍ଣୁ। ପତ୍ନୀ ବି ବିଚଳିତ ହୋଇପଡ଼ିଥିଲେ ସିବିଆଇ ଅଧିକାରୀଙ୍କ ଆଚରଣକୁ ନେଇ। ବିଷ୍ଣୁଙ୍କୁ ଜଣେ ଅଧିକାରୀ ଘର ଭିତରକୁ ଭିଡ଼ି ନେଉଥିଲା ବେଳେ ଆଉ ଜଣେ ତାଙ୍କ କାନ୍ଧରେ ହାତ ପକାଇ ଦୁର୍ବ୍ୟବହାର କରିଥିଲେ।
କୋହଭରା କଣ୍ଠରେ ନିଜର ଯନ୍ତ୍ରଣା ଗଣମାଧ୍ୟମରେ ବଖାଣିଥିଲେ ବିଷ୍ଣୁ। ସେ ନିଃସହାୟ। ତାଙ୍କର କୌଣସି ରାଜନୈତିକ ଲିଂକ୍ ନାହିଁ। ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହୋଇଥିବ। ସେ ଚଞ୍ଚଲ ମୁଖାର୍ଜୀଙ୍କୁ ୪ ବର୍ଷ ପରେ ଦେଖିଲେ। ୧୦ ଲକ୍ଷ ଟଙ୍କାର ଯେଉଁ ଲାଞ୍ଚ କାରବାର ହୋଇଛି, ସେ ଟଙ୍କା ଚଞ୍ଚଲକୁ ଦେଇ ଥାଇପାରନ୍ତି। ସେଥିରେ ତାଙ୍କର କୌଣସି ସମ୍ପର୍କ ହିଁ ନାହିଁ। ସେ ନା ଟଙ୍କା କାରବାର କରିଛନ୍ତି ନା ସିବିଆଇ ସମନକୁ ଏଡ଼ାଇଛନ୍ତି। ତଦନ୍ତରେ ସମସ୍ତ ସହଯୋଗ କରିଛନ୍ତି। ଦଳିତ ବର୍ଗର ବୋଲି ସିବିଆଇ ଅଫିସର କଦର୍ଯ୍ୟ ବ୍ୟବହାର କଲେ। କାଲିକି କାଲି ଆତ୍ମହତ୍ୟା କରିବା ଛଡ଼ା ଚାରା ନାହିଁ। ଦୋଷ ନ କରି ଦଣ୍ଡ ଭୋଗିବାଠୁ ସୁଇସାଇଡ୍ କରିଦେବା ଭଲ।
ସେପଟେ ସିବିଆଇର ୫ଜଣିଆ ଟିମ୍ ବିଷ୍ଣୁପଦଙ୍କ ଭୋଗରାଇସ୍ଥିତ ବାସଭବନରେ ରେଡ୍ କରିଥିଲା। ରେଡ୍ ବେଳେ ଘରେ ଥିବା ବିଷ୍ଣୁଙ୍କ ଭଉଣୀ ଓ ଭିଣୋଇଙ୍କୁ ବି ଏହା ପଛର କାରଣକୁ ନେଇ ଅନ୍ଧାରରେ ରଖିଥିଲା ସିବିଆଇ। କାହିଁକି ଏଭଳି ରେଡ୍, ଯେତେ ପଚାରିଲେ ବି ସିବିଆଇ ଟିମ୍ ମୁହଁ ଖୋଲିନଥିଲା। ମାରାଥନ ରେଡ୍ ନେଇ ଭୟଭୀତ ହୋଇପଡିଥିଲେ ବିଷ୍ଣୁଙ୍କ ଭଉଣୀ ଓ ଭିଣୋଇ।
ଡିସେମ୍ୱର ୭ ତାରିଖ ରାତିର ଘଟଣା। ମେ ଫେୟାର ହୋଟେଲ ଓ ଆଖପାଖରୁ ସିବିଆଇର ୬ ଜଣିଆ ଟିମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିର୍ଦେଶକ ଦେବଦତ୍ତ ମହାପାତ୍ର ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ଉଠାଇ ନେଇଥିଲା। ଦେବଦତ୍ତଙ୍କ କାରରୁ ଜବତ ୧୦ଲକ୍ଷ ଟଙ୍କା ଟେଣ୍ଡର କାମ ହାତେଇବା ଲାଗି ଲାଞ୍ଚ ଟଙ୍କା ଥିଲା ବୋଲି କୁହାଯାଇଥିଲା। ସେମାନଙ୍କୁ ପଚରାଉଚୁରା ବେଳେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଲିଂକ ସିବିଆଇ ଜାଣିଥିଲା। ଏହି ଘଟଣାରେ ରାଜ୍ୟ ସରକାର ବି ଆକ୍ସନ ସ୍ୱରୂପ ବିଷ୍ଣୁପଦଙ୍କ ଦାୟିତ୍ୱରେ ଥିବା ୩ଟି ବିଭାଗ କାଢ଼ିନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now