ଭାରତରେ ଆରମ୍ଭ ହେବ ସାଟେଲାଇଟ ଆଧାରିତ ଇଣ୍ଟରନେଟ୍ ସେବା

ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବି ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ହେବ। ମୁକେଶ ଅମ୍ୱାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଜେପିଏଲ ଓ ଏଲନ ମସ୍କଙ୍କ ସ୍ପେସଏକ୍ସ ଭାରତରେ ଷ୍ଟାରଲିଂକ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ପରେ ଭାରତର ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ସମେତ ସାରା ଦେଶରେ ସାଟେଲାଇଟ ଆଧାରିତ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରିବାକୁ ଅଣ୍ଟା ଭିଡ଼ିଛି ଜିଓ। ଜିଓ ବିଶ୍ୱର ସର୍ବବୃହତ୍ ମୋବାଇଲ ଅପରେଟର ହୋଇଥିଲା ବେଳେ ଷ୍ଟାରଲିଂକ ବିଶ୍ୱର ଅଗ୍ରଣୀ ଲୋ ଆର୍ଥ ଅର୍ବିଟ (ଲିଓ) ସାଟେଲାଇଟ୍ କନଷ୍ଟେଲେସନ ଅପରେଟର। ସମସ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଗୁଡିକୁ ବି ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବା ଦେବ। ଜିଓ ଏୟାର ଫାଇବର ଓ ଜିଓ ଫାଇବରର ପରିପୂରକ ହେବାକୁ ଯାଉଛି ଷ୍ଟାରଲିଂକ୍। ହାଇସ୍ପିଡ୍ ଇଣ୍ଚରନେଟ୍ ସହ ସୁଲଭ ଉପାୟରେ ଏଣିକି ଏହା ଉପଲବ୍ଧ ହେବ। ଏଆଇ ଚାଳିତ ଯୁଗରେ ହାଇସ୍ପିଡ୍ ବ୍ରଡବ୍ଯାଣ୍ଡର ନିର୍ଭରଯୋଗ୍ୟତା ଓ ଉପଲବ୍ଧତାକୁ ବିସ୍ତାର କରିବା ଉଦେଶ୍ୟରେ ରହିଛି ଜିଓ। ସ୍ପେସଏକ୍ସର ସଭାପତି ଓ ମୁଖ୍ୟ ପରିଚାଳନା ଅଧିକାରୀ ଗ୍ୱିନ୍ ସଟଓ୍ୱେଲ କହିଛନ୍ତି, ଭାରତର ଯୋଗାଯୋଗ ବା କନେକ୍ଟିଭିଟିକୁ ଆଗକୁ ବଢ଼ାଇବାକୁ ପଡ଼ିବ। ଏହି ଚୁକ୍ତିନାମା ଭାରତରେ ଷ୍ଟାରଲିଂକ ସେବା ଉପଲବ୍ଧ କରିବାକୁ ସ୍ପେସଏକ୍ସର ଅନୁମତି ପାଇବା ଉପରେ ନିର୍ଭର କରୁଛି। ଜିଓର ଗୃପ ସିଇଓ ମାଥ୍ୟୁ ଓମେନ କହିଛନ୍ତି, ସୁଲଭ ଓ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡର ସୁବିଧାକୁ ସୁନିଶ୍ଚିତ କରିବା ଜିଓର ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଡିଲ୍ ଦ୍ୱାରା ସାଟେଲାଇଟରୁ ମିଳିବ ଇଣ୍ଟରନେଟ୍। ଦିନକ ଆଗରୁ ଏୟାରଟେଲ୍ ଏଲନ ମସ୍କଙ୍କ ସବ ସ୍ପେଶଏକ୍ସ ସହ ଡିଲ୍ କରିବାକୁ ଘୋଷଣା କରିଥିଲା। ଲୋ ଆର୍ଥ ଅର୍ବିଟ ବା ଲିଓ ସାଟେଲାଇଟ୍ ପୃଥିବୀରୁ ପ୍ରାୟ ୫୫୦ କିଲୋମିଟର ଉପରେ ଥାଏ। ଏହା ସାଟେଲାଇଟ ଲେଜର ଲିଂକ ସହଯୋଗରେ ପରସ୍ପର ସହ କନେକ୍ଟ ହୁଏ। ଆଉ ଡାଟାକୁ ତୀବ୍ର ଗତିରେ ଟ୍ରାନ୍ସମିଟ୍ କରେ। ଭାରତ ସରକାର ଷ୍ଟାରଲିଂକକୁ ଅନୁମତି ଦେବା ପରେ ହିଁ ଭାରତରେ ଷ୍ଟାରଲିଂକ ସେବା ଆରମ୍ଭ ହେବ। ଲାଇସେନ୍ସ ମିଳିବା ପରେ ହିଁ ଏହି ସେବା ମିଳିପାରିବ। ପ୍ରାକୃତିକ ବିପତ୍ତି ଲାଗି ମୋବାଇଲ ଟାଓ୍ୱାର୍ସ ଓ ବ୍ରଡବ୍ୟାଣ୍ଡ ନେଟଓ୍ୱର୍କ ବିଶେଷ ପ୍ରଭାବିତ ହୋଇଥାଏ। ସେବାରେ ବାଧା ଉପୁଜେ। ଏଭଳି ସ୍ଥିତିରେ ସାଟେଲାଇଟ୍ ନେଟଓ୍ୱର୍କ ବିକଳ୍ପ ଭାବେ ବିଶେଷ ଭାବେ ସହଯୋଗ କରିବ। ସେଟକମ୍ ସହଯୋଗରେ ପାହାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନେକ ସେବାକୁ ଦେବା ସହଜସାଧ୍ୟ ହେବ। ବ୍ରଡବ୍ୟାଣ୍ଡ ସେବା ଲାଗି ଏ ସବୁ ଅଞ୍ଚଳରେ ଫାଇବର କେବୁଲ ବିଛାଇବାର କଷ୍ଟ ଉଠାଇବାକୁ ପଡ଼ିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *