ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା ହଲରୁ ଗିରଫ ହେଲେ ବିଧାୟକ! ସଙ୍ଗରିୟା ହନୁମାନଗଡ଼ର ବିଧାୟକ ଅଭିମନ୍ୟୁ ପୁନିଆଙ୍କ ସହ ରାଜସ୍ଥାନ ୟୁନିଭରସିଟି ଛାତ୍ର ସଂସଦର ପୂର୍ବତନ ସଭାପତି ନିର୍ମଳ ଚୌଧୁରୀଙ୍କ ଗିରଫଦାରିକୁ ନେଇ ରାଜସ୍ଥାନ ରାଜନୀତି ତେଜିଛି। ପୁଲିସର କହିବା କଥା, ସେମାନେ ବିଧାୟକଙ୍କୁ ଗିରଫ କରିନାହାନ୍ତି। ନିର୍ମଳ ଚୌଧୁରୀଙ୍କୁ ଗିରଫ କରି ଜିପ୍ ରେ ବସାଉଥିଲା ବେଳେ ବିଧାୟକ ଜବରଦସ୍ତି ଗାଡ଼ିରେ ପଶିଥିଲେ। ଏଇ ଦୁଇ ନେତାଙ୍କୁ ଗିରଫ କରିବାକୁ ସାଦା ପୋଷାକରେ କ୍ୟାମ୍ପସରେ ପଶିଥିଲା ପୁଲିସ। ଆଉ ପରୀକ୍ଷାହଲରେ ପଶି ଦୁହିଁଙ୍କୁ ଗିରଫ କରି ଜୋର ଜବରଦସ୍ତି ଭ୍ୟାନରେ ପୁରାଇଥିଲା ବୋଲି ଆରୋପ ଲଦିଛନ୍ତି କଂଗ୍ରେସ ନେତା ଓ ଛାତ୍ର ସଂଘ। ଦୁହେଁ ଆଜି ସକାଳୁ ୟୁନିଭରସିଟିରେ ଦର୍ଶନଶାସ୍ତ୍ର ପରୀକ୍ଷା ଦେବାକୁ ଆସିଥିଲେ। ଆଉ ଦୁହିଁଙ୍କୁ ପୁଲିସ ହେପାଜତକୁ ନେବା ପରେ କ୍ୟାମ୍ପସରେ ହଙ୍ଗାମା ହୋଇଥିଲା। ୨୦୨୨ରେ ସରକାରୀ କାର୍ଯ୍ୟରେ ବାଧା ଦେବା ନେଇ ନିର୍ମଳ ଚୌଧୁରୀଙ୍କ ବିରୁଦ୍ଧରେ ପୁରୁଣା ମାମଲାରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଧାୟକ କହିଛନ୍ତି, ପୁଲିସ ସେମାନଙ୍କ ପ୍ରତି ଏମିତି ଆଚରଣ କଲା ଯେମିତିକି ସେମାନେ ଅପରାଧୀ। ପୁନିଆ ସଚିନ ପାଇଲଟଙ୍କ ଗୋଷ୍ଠୀର। ନିର୍ମଳଙ୍କୁ ରିଲିଜ୍ ନ କଲେ ଥାନା ଘେରାଓର ଚେତାବନୀ ଦେଇଥିଲା କଂଗ୍ରେସ। ଏହାକୁ ପୁଲିସର ପ୍ରତିଶୋଧ ବୋଲି କହିଛି କଂଗ୍ରେସ। କାରଣ ୩ ଦିନ ତଳେ ନିର୍ମଳ ବର୍ଷାରେ ବସି ଆନ୍ଦୋଳନ କରୁଥିଲେ। ଡାକ୍ତର ରାକେଶ ବିଷ୍ଣୋଇ ପରିବାରକୁ ନ୍ୟାୟ ମାଗି ଟେଣ୍ଟ ବାନ୍ଧିଥିବାରୁ ପୁଲିସ ସହ ନିର୍ମଳଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ପରେ ପୁଲିସ ଓ ନିର୍ମଳଙ୍କ ଭିତରେ ହାତାହାତି ହୋଇଥିଲା। ଦିଲ୍ଲୀ ୟୁନିଭରସିଟିର ଛାତ୍ର ସଂସଦ ସଭାପତି ବି ପ୍ରଶାସନ ଓ ପୁଲିସକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ନିର୍ମଳଙ୍କୁ ରିଲିଜ ନ କଲେ ଆଗକୁ ଭୟାବହ ସ୍ଥିତି ସୃଷ୍ଟି ହେବ।ସେପଟେ ପରୀକ୍ଷା ହଲରେ ଥିବା ନିରୀକ୍ଷକ କହିଛନ୍ତି, ସେ ବୁଢ଼ା ଲୋକ। ପୁଲିସ ଜବରଦସ୍ତି ହଲରେ ପଶିଗଲା। ସେ କଅଣ କରିଥାଆନ୍ତେ। ପୁଲିସ ବିଧାୟକଙ୍କୁ ରିଲିଜ୍ କରିଦେଲା ସିନା। କିନ୍ତୁ ନିର୍ମଳଙ୍କୁ ଛାଡ଼ିବାକୁ ମନା କରିଦେଇଛି ପୁଲିସ। ନିର୍ମଳଙ୍କ ଗିରଫଦାରିକୁ ନେଇ ରାଜସ୍ଥାନ ରାଜନୀତି ତେଜିଛି। ପରୀକ୍ଷା ହଲରୁ ପୁଲିସ ଏମିତି ଉଠାଇନେବାକୁ କେନ୍ଦ୍ର କରି ସରଗରମ ରାଜସ୍ଥାନ ପଲିଟିକ୍ସ।

ପରୀକ୍ଷା ହଲରୁ ବିଧାୟକଙ୍କୁ ଗିରଫ!

Naxatra News is now on Whatsapp
Join and get latest news update delivered to you via whatsapp
Join Now