ଟ୍ରେନ୍ ଟ୍ରାକ୍ ପାରି ହେବା ବେଳେ ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍। ଏଥିରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ତାମିଲନାଡ଼ୁର କୁଡାଲୋରେ ସହରରେ ଏଭଳି ଦୁର୍ଘଟଣା ଆଜି ସକାଳୁ ଘଟିଛି। ସମୟ ୭ଟା ୪୫। ଲେବୁଲ କ୍ରସିଂରେ ପାରି ହେଉଥିଲା ବେଳେ ଫସିଯାଇଥିଲା ସ୍କୁଲ ବସ୍। ଏଇ ସମୟରେ ଆସୁଥିଲା ଭିଲୁପୁରମ- ମାୟିଲାଦୁଥୁରାଇ ଏକ୍ସପ୍ରେସ। ଆଉ ସ୍କୁଲ ବସକୁ ଟକ୍କର ମାରିଥିଲା। ପାସେଞ୍ଜର ଟ୍ରେନ୍ ଧକ୍କାରେ ବସଟି ୫୦ ମିଟର ଘୋଷାଡ଼ି ହୋଇଥିଲା। ପୁରା ଚୁରମାର୍ ହୋଇଯାଇଛି ସ୍କୁଲ ବସ୍। ଲେବୁଲ କ୍ରସିଂ ପାଖରେ ଗେଟ୍ ଖୋଲିବାକୁ ଡ୍ରାଇଭର କହିଥିଲେ। କାରଣ ସ୍କୁଲ ପହଞ୍ଚିବାରେ ବିଳମ୍ୱ ହୋଇଯାଉଛି। ଆଉ ବସ୍ ଡ୍ରାଇଭର ଜିଦରୁ ବାଧ୍ୟ ହେଇ ଗେଟ୍ ମ୍ୟାନ୍ ଫାଟକ ଖୋଲିଦେଇଥିଲେ। ଏ ଘଟଣାରେ ଗେଟ୍ ମ୍ୟାନକୁ ସସପେଣ୍ଡ କରିଦିଆଯାଇଛି। ଗେଟମ୍ୟାନଙ୍କୁ ଚାକିରୀରୁ ବହିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ରେଲଓ୍ୱେ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି। ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହି ଦୁର୍ଘଟଣା ଗେଟ୍ ନମ୍ୱର ୧୭୦ରେ ଘଟିଛି। ଏହା ଏକ ମାନୁଆଲ ଗେଟ୍। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଟ୍ରେନ ଆସୁଥିବା ଜାଣି ମଧ୍ୟ ଗେଟମ୍ୟାନ୍ ଗେଟ୍ ବନ୍ଦ କରିନଥିଲେ। କିନ୍ତୁ ରେଲଓ୍ୱେର କହିବା କଥା, ଗେଟମ୍ୟାନ ଗେଟ୍ ବନ୍ଦ କରୁଥିଲେ। କିନ୍ତୁ ଡ୍ରାଇଭର ସ୍କୁଲରେ ଜଲଦି ପହଞ୍ଚିବାକୁ ଜିଦ୍ କରିବାରୁ ଗେଟମ୍ୟାନ୍ ନିୟମ ଭାଙ୍ଗି ଗେଟ୍ ଖୋଲିଦେଇଥିଲେ। ଆଉ ଏତେ ବଡ଼ ଦୁର୍ଘଟଣା ହେଲା। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ, ଗମ୍ଭୀର ଆହତଙ୍କୁ ୧ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଡିଏମକେ ବିଧାୟକ ଜି.ଅୟପ୍ପନ। ଦୁର୍ଘଟଣା ପରେ ଅଭିଭାବକ ପିଲାଙ୍କ ବହିବସ୍ତାନୀ ଗୋଟାଇ ନେଉଥିବାର ଦୃଶ୍ୟ ବେଶ୍ ହୃଦୟ ବିଦାରକ ଥିଲା। ମୃତକ ହେଲେ ୧୨ ବର୍ଷର ବି.ନିମିଲେଶ,୧୫ ବର୍ଷର ଚେଝିୟନ ଓ ୧୬ ବର୍ଷର ଡି.ଚାରୁମତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମୋଟ୍ ୬ ଛାତ୍ର ଆହତ ହୋଇଛନ୍ତି। କୁଡାଲୋର ସରକାରୀ ମେଡିକାଲ କଲେଜରେ ଆହତଙ୍କୁ ଭର୍ତ୍ତି କରାଯାଇଛି। ରେଲଓ୍ୱେ ଡାକ୍ତର ଲଗାତାର ସ୍ଥିତି ଉପରେ ନଜର ରଖିଛି। ସେମ୍ମନକୁପ୍ପମ ଗାଁର ଜଣେ ୫୫ ବର୍ଷୀୟ ଲୋକ ବି ଏହି ଘଟଣାରେ କରେଣ୍ଟ ଲାଗିବାରୁ ଆହତ ହୋଇଛନ୍ତି। ଟ୍ରେନ ସହ ବସ ଟକ୍କରରୁ ବିଜୁଳି ତାର ଛିଣ୍ଡି ପଡ଼ିଥିବା ବିଜୁଳି ତାର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା। ଘଟଣାର ଯାଞ୍ଚ ଲାଗି ଏକ ଟିମ୍ ଗଠନ କରିଛି ରେଲଓ୍ୱେ। ସେଫଟି ଅପରେସନ ଓ ଇଞ୍ଜିନିୟରିଂ ବିଭାଗର ଅଧିକାରୀ ଏହି ଟିମରେ ଅଛନ୍ତି।କାହାର ଅବହେଳା ଲାଗି ଏତେ ବଡ଼ ଦୁର୍ଘଟଣା ଘଟିଲା, ତାକୁ ନେଇ ଖୋଳତାଡ଼ ଜାରି ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now