କାଉଡ଼ିଆ ଯାତ୍ରାରେ ହିଂସା..

ଶ୍ରାବଣ ମାସରେ ଶିବଙ୍କ ଚରଣରେ ପାଣି ଢାଳି ମାନସିକ କରିଥାଆନ୍ତି କାଉଡ଼ିଆ। ଜଳାଭିଷେକ କରୁଛନ୍ତି। କାଇଁ କେତେଦୂରୁ ପାଦରେ ଚାଲି ଚାଲି କଷ୍ଟ ସହିଥାଆନ୍ତି। କିନ୍ତୁ ବୋଲବମ୍ ନାରାରେ ଏ କଷ୍ଟ ଫିକା ପଡ଼ିଯାଏ। କାଉଡ଼ିଆଙ୍କ ଏ ଭକ୍ତିମୟ ପରିବେଶ ଦେଖିଲେ ଆତ୍ମତୃପ୍ତି ହୋଇଯାଏ ବାଟୋଇର। କିନ୍ତୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ସମସ୍ତେ ତାଜୁବ୍। କାଉଡ଼ିଆ କିଭଳି ହିଂସ୍ରିକ ସାଜୁଛନ୍ତି। ଗୁଣ୍ଡାଙ୍କ ଭଳି ଆଚରଣ କରୁଛନ୍ତି। ଆଇନକୁ ହାତକୁ ନେବାରେ ସାମାନ୍ୟ କାର୍ପଣ୍ୟ ବି କରୁନାହାନ୍ତି।  କାଉଡ଼ିଆ ଯାତ୍ରା ବେଳେ ଘାଜିଆବାଦର ମୋଦିନଗରରେ କାଉଡ଼ିଆମାନେ ଜଣେ କାର ଚାଳକକୁ ସଂଘବଦ୍ଧ ଆକ୍ରମଣ କରି ତାଙ୍କ ଗାଡ଼ି ଭାଙ୍ଗି ଚୁରମାର କରିଦେଇଛନ୍ତି। ଚାଳକଙ୍କ ଗାଡ଼ି ଧକ୍କାରେ କାଉଡ଼ିଆ ଆହତ ହେବା ସହ ତାଙ୍କ କାଉଡ଼ି ଭାଙ୍ଗିଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇ କାଉଡ଼ିଆ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ସହାରନପୁରରେ କାଉଡ଼ିଆ ଜଣେ ବ୍ୟକ୍ତିକୁ ନିସ୍ତୁକ ପିଟିବା ସହ ତାହାର ବାଇକ୍ ଭାଙ୍ଗିଦେଇଛନ୍ତି। ହରିଦ୍ୱାରରୁ ହରିଆଣା ଯାଉଥିଲା ବେଳେ ଏଭଳି ଘଟଣା ଘଟିଛି। ହରିଆଣାର ଫତେହବାଦରେ କାଉଡ଼ିଆମାନେ ଏକ ଶିଖ୍ ସ୍କୁଲ ବସ୍ ଉପରେ ଆକ୍ରମଣ କରିଛନ୍ତି। ମୁରାଦନଗରରେ ଜଣେ ବସ୍ ଡ୍ରାଇଭରକୁ ନିସ୍ତୁକ ପିଟିଛନ୍ତି କାଉଡ଼ିଆ ଦଳ। ଡ୍ରାଇଭରର ଦୋଷ କେବଳ ଏତିକି ଥିଲା ଯେ, ବାହୁଙ୍ଗିରେ ବସ୍ ସାମାନ୍ୟ ବାଜିଯାଇଥିଲା। ମୁଜାଫରନଗରରେ କାଉଡ଼ିଆଙ୍କ ଆକ୍ରମଣରେ ଜଣେ ଇ-ରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ସୁପ୍ରିମକୋର୍ଟ ବି କାଉଡ଼ିଆଯାତ୍ରାରେ ହିଂସାକୁ ନେଇ ନିଜ ଆଡ଼ୁ ସଂଜ୍ଞାନ ନେଇସାରିଲେଣି। ଏହାକୁ ଚିନ୍ତାଜନକ କହିବା ସହ ଏହାକୁ ରୋକ୍ ଲଗାଇବାର ଆବଶ୍ୟକତା ଅଛି ବୋଲି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୁଲିସ ଏହା ଉପରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ଖାଇବାରେ ପିଆଜ ପଡ଼ିଥିବାରୁ ମୁଜାଫରନଗରସ୍ଥିତ ବାବା ବାଳକନାଥ ଢାବାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି କାଉଡ଼ିଆ ଦଳ। ୧୦ ପ୍ଲେଟ୍‌ ଖାଇବା ମଗାଇବା ପରେ ପ୍ରାୟ ୧୫ଶହ ଟଙ୍କା ପଡ଼ୁଥିଲା। କିନ୍ତୁ ଖାଦ୍ୟରେ ପିଆଜ ଦେଖି ଚିହିଁକି ଉଠି କାଉଡ଼ିଆ ଦଳ ଏଭଳି ଭଙ୍ଗାରୁଜା କରିଥିଲେ। ଖାଇବା ବାବଦରେ ଟଙ୍କାଟିଏ ବି ପୈଠ ନ କରି ଉତ୍ପାତ କରିଥିଲେ। ଢାବା ମାଲିକ ଅଭିଯୋଗ କରିଛନ୍ତି, ସେମାନେ ଟଙ୍କା ଲୁଟ୍ କରିବା ସହ ଫ୍ରିଜରେ ଥିବା ମୃଦୁପାନୀୟ ବି ଚୋରି କରିନେଲେ। ଜଣେ ଷ୍ଟାଫ ଏମାନଙ୍କୁ ରୋକିବାକୁ ଯାଇ ଆକ୍ରମଣରେ ତାଙ୍କ ଗୋଡ଼ ଭାଙ୍ଗିଗଲା। ଡାକ୍ତର ସଂପୃକ୍ତ କର୍ମଚାରୀଙ୍କୁ ୩ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ସୁପ୍ରିମକୋର୍ଟ ସମସ୍ତ ପିଟିସନକୁ ନିରୀକ୍ଷଣ କରିଛନ୍ତି। ୟୁପି ସରକାର କାଉଡିଆ ଯାତ୍ରା ବାଟରେ ସମସ୍ତ ଦୋକାନୀଙ୍କୁ କ୍ୟୁ-ଆର୍ କୋଡ୍ ଡିସପ୍ଲେ କରି ନିଜ ପରିଚୟ ସାର୍ବଜନୀନ କରିବାକୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଏନ.କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣୀ କରିଛନ୍ତି। ପୂର୍ବରୁ ବିଜେପି ଶାସିତ ରାଜ୍ୟ ୟୁପି, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶରେ କାଉଡ଼ିଆଙ୍କ ରୁଟରେ ପଡ଼ୁଥିବା ଦୋକାନୀଙ୍କ ନାଁ ଓ ଅତିରିକ୍ତ ସୂଚନା ରଖିବାକୁ ନିର୍ଦେଶକୁ ସସପେଣ୍ଡ କରିଥିଲେ ସୁପ୍ରିମକୋର୍ଟ। ହରିଦ୍ୱାରରେ ଗଲା ସପ୍ତାହରେ ଏକ ମୁସଲିମ ପରିବାରକୁ କାରରୁ ଘୋଷାଡ଼ି ଆଣି ନିସ୍ତୁକ ପିଟିଥିଲେ କାଉଡ଼ିଆ ଦଳ। ଛୋଟ ପିଲା ଓ ମହିଳାଙ୍କୁ ବି ଛାଡ଼ିନଥିଲେ। ମୁସଲିମ ପରିବାରର ଏତିକି ଦୋଷ ଥିଲା ଯେ, ଜନଗହଳି ଅଞ୍ଚଳ ଦେଇ କାର୍ ଯାଉଥିଲା ବେଳେ କାଉଁରିଆରେ କାର୍ ସାମାନ୍ୟ ବାଜିଥିଲା। କାରରେ ମୁସଲିମ ସମ୍ପ୍ରଦାୟ ବସିଥିବା ଜାଣିବା ପରେ ଅଚାନକ କାର ଉପରେ ଆକ୍ରମଣ କରିଥିଲେ। ଆଉ କାଉଡ଼ିଆ ମଝି ରାସ୍ତାରେ ଆତଙ୍କ ରଚିଥିଲେ। କାରକୁ ମଝି ରାସ୍ତାରେ ଅଟକାଇ ହଙ୍ଗାମା କରିଥିଲେ। ଚାଳକକୁ ଘୋଷାଡ଼ି ଆଣି ପିଟିବା ସହ ଛୋଟ ପିଲା ଓ ମହିଳାଙ୍କ ଉପରେ ଆକ୍ରମଣ କରିବାକୁ ପଛାଇନଥିଲେ। ରୁରକିରେ ଏକ ସ୍କର୍ପିଓକୁ ଓଲଟାଇଦେଇଥିଲେ କାଉଡ଼ିଆ ଦଳ। ଡ୍ରାଇଭର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ। କାଉଡ଼ିଆଙ୍କ ସହ ସ୍କର୍ପିଓର ସାମାନ୍ୟ ଧକ୍କାରେ ଉତକ୍ଷିପ୍ତ ହୋଇ ଏହାକୁ ଭଙ୍ଗାରୁଜା କରିଥିଲେ। ଆଉ ଡ୍ରାଇଭରକୁ ନିସ୍ତୁକ ପିଟିଥିଲେ। ପୁଲିସ ଏ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେପଟେ କାଉଡ଼ିଆ ଯାତ୍ରାରେ ହିଂସା ସାଙ୍ଗକୁ କାଉଡ଼ିଆଙ୍କ ସୁରକ୍ଷା ବି ବଡ଼ ଆହ୍ୱାନ ସାଜିଲାଣି। ଜିଟିବି ଅଞ୍ଚଳର ଝିଲମିଲ କଲୋନୀରେ କାଉଡ଼ିଆଙ୍କ ରାସ୍ତାରେ ପ୍ରାୟ ଏକ କିଲୋମିଟର ବ୍ୟାପି କାଚ ଖଣ୍ଡ ପଡ଼ିଥିଲା। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। କୌଣସି କ୍ଷତିଗ୍ରସ୍ତ ଗାଡ଼ିର କାଚ ଭାଙ୍ଗି ରାସ୍ତାରେ ପଡ଼ିଛି ନା କେହି ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ବିଛାଇଛି। ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ରା ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ଦିଲ୍ଲୀ ପୁଲିସ ତନାଘନା ଆରମ୍ଭ କରିଛି। ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ଏତଲା ହୋଇଛି। କାଉଡ଼ିଆ ଯାତ୍ରାରେ ହିଂସାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *