ବଡ଼ ନୁହେଁ, ଭଲ ଅଫିସର ହୁଅ। ପିପୁଲ୍ସ ଫ୍ରେଣ୍ଡଲି ହୁଅ। ଅଫିସ ଆସୁଥିବା ଲୋକଙ୍କୁ ଭଦ୍ର ବ୍ୟବହାର କର। ସେମାନେ କଅଣ ଚାହୁଁଛନ୍ତି, ତାକୁ ବୁଝି ସମାଧାନ କର। ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ଉଭୟ ରାଜସ୍ୱ ମନ୍ତ୍ରୀ ଓ ସଚିବ କେତେ ବୁଝାଇଲେ। ସବରେଜିଷ୍ଟ୍ରାରଙ୍କ ବାବଦରେ ଲୋକଙ୍କ ଫିଡ୍ ବ୍ୟାକ୍ କେତେ ନେଗେଟିଭ୍ ଆସୁଛି, ତାହାର ଚିଠା ବି ଖୋଲିଥିଲେ ସଚିବ ଦେଓରଞ୍ଜନ ସିଂ। ଚପଲ ଘୋରି ହୋଇଗଲେ ବି କାମ କେମିତି ହୁଏନା, ତାହାର ଅବତାରଣା କରିଥିଲେ। ସାଢ଼େ ୭ ମାସର ରିପୋର୍ଟ କାର୍ଡକୁ ଧରି ୮୫ ପ୍ରତିଶତ ସକରାତ୍ମକ ଫିଡବ୍ୟାକ୍ ଆସିଛି ବୋଲି କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ। ଏହାକୁ ଶତ ପ୍ରତିଶତ କରିବାକୁ ଆହ୍ୱାନ ଭାବେ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବି କହିଥିଲେ, ଲୋକଙ୍କ ଫିଡବ୍ୟାକକୁ ଧରି ମୋହନ ସରକାର କାମ କରନ୍ତି। କାରଣ ଜନତା ମାଲିକ, ଅଫିସର ସେବକ। ତେବେ ଯେଉଁ ବାକି ୧୭ ପ୍ରତିଶତ ନେଗେଟିଭ ରିମାର୍କ ଆସିଛି। ସେ ସବୁ କେଉଁ ସବରେଜିଷ୍ଟ୍ରାର ଅଫିସରେ। ଲୋକେ କାହିଁକି ଖୁସି ହେଉନାହାନ୍ତି। ସେବା ଦେବାତ ଦୂରର କଥା, ଲୋକଙ୍କ ସମସ୍ୟା ଶୁଣିବାକୁ ବି ସବରେଜିଷ୍ଟ୍ରାରଙ୍କୁ ତର ନାହିଁ ବୋଲି କୁହାଯାଉଛି। ବେଶୀ ଦୂର ନୁହେଁ। ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ରାଜଧାନୀରେ ଥିବା ଦୁଇଟି ସବ-ରେଜିଷ୍ଟ୍ରାର ଅଫିସ ଭୁବନେଶ୍ୱର ଓ ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କ ବାବଦରେ ଲୋକଙ୍କ ମତ ଯାହା, ତାହା ଶୁଣିଲେ ତାଜୁବ୍ ଲାଗିବ। ଏମାନଙ୍କ ଆଦବକାଏଦା କୁଆଡ଼େ ପୁରା ବାବୁ ଠାଣି। ଲୋକେ କିଛି ପଚାରିଲେ ସନ୍ତୋଷଜନକ ଉତ୍ତର ଦେବା ବଦଳରେ ଅଣଦେଖା କରନ୍ତି। ସବ-ରେଜିଷ୍ଟ୍ରାରଙ୍କ କାମ ପଞ୍ଜୀକରଣ କରିବା।କିନ୍ତୁ ପଞ୍ଜୀକରଣ ବାବଦରେ କାହାର କିଛି ସମସ୍ୟା କି ଦ୍ୱନ୍ଦ୍ୱ ଥିଲେ ତାକୁ ଦୂର କରିବା ବି ସମଦାୟିତ୍ୱ। ହେଲେ ଖୋଦ୍ ସବ-ରେଜିଷ୍ଟ୍ରାର ଯେତେବେଳେ ଦ୍ୱନ୍ଦ୍ୱରେ, ସେମାନେ ସାଧାରଣ ଲୋକଙ୍କୁ କଅଣ ବୁଝାଇବେ। ଏମିତିରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ କେଳେଙ୍କାରୀର ଫର୍ଦ୍ଦ ଲମ୍ୱା। ପାର୍ଟ-ପ୍ଲଟ୍ କେଳେଙ୍କାରୀକୁ ନେଇ ଜଣକ ପରେ ଜଣେ ସବ-ରେଜିଷ୍ଟ୍ରାର ନିଲମ୍ୱନ ଦଣ୍ଡ ଭୋଗୁଛନ୍ତି। ଆଉ ତା ସାଙ୍ଗକୁ ନୂଆ କରି ଆସିଥିବା ସବ-ରେଜିଷ୍ଟ୍ରାର ଯଦି ଲୋକଙ୍କ କାମ ନ କରି ସାହେବ ଢାଞ୍ଚା ଦେଖାଇବେ ତ କଥା ସରିଲା। କଟକ ସବ୍ରେଜିଷ୍ଟ୍ରାର ଅଫିସକୁ ସରପ୍ରାଇଜ୍ ଭିଜିଟ୍ ଯାଇଥିଲେ ମନ୍ତ୍ରୀ ପୂଜାରୀ। ମନ୍ତ୍ରୀ ଏହାକୁ ଫେସବୁକରେ ପୋଷ୍ଟ କରିବା ପରେ ଅଧିକାଂଶ ନେଗେଟିଭ୍ ରିମାର୍କ ଆସିଛି ଭୁବନେଶ୍ୱର ଓ ଖଣ୍ଡଗିରି ସବ-ରେଜିଷ୍ଟ୍ରାରଙ୍କୁ ନେଇ। ସେପଟେ ଚାଷ ଜମିର ପାର୍ଟ କିଣାବିକାକୁ ନେଇ ତତ୍କାଳୀନ ସବ-ରେଜିଷ୍ଟ୍ରାର ଶୁଭପ୍ରକାଶ କାନୁନଗୋ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ପଷ୍ଟିକରଣ ଲୋଡ଼ି ଚିଠି ଲେଖିଥିଲେ। ଜବାବ ନ ଆସୁଣୁ ନିଜ ଆଡ଼ୁ ଷ୍ଟାମ୍ପ୍ ଓ ସିଲ୍ କରି ଦଲିଲରେ ମାରୁଥିଲେ। ଆଉ କହୁଥିଲେ ଏହା ତାଙ୍କର ସୁରକ୍ଷା ଲାଗି। ଆଉ ଏବେ ନୂଆ କରି ସବରେଜିଷ୍ଟ୍ରାର ଭାବେ ଜଏନ କରିଥିବା ଅର୍ଚ୍ଚନା ଗୌଡ଼ଙ୍କ ପାଖରେ ପାର୍ଟ ଚାଷ ଜମି ପଞ୍ଜୀକରଣକୁ ନେଇ କୌଣସି ସ୍ପଷ୍ଟତା ନାହିଁ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ବି ଅସମ୍ଭବ ଭାବେ ନୀରବତା ଅବଲମ୍ୱନ କରିଛନ୍ତି। ନା ସବରେଜିଷ୍ଟ୍ରାରଙ୍କୁ କୌଣସି ଉତ୍ତର ଦେଉଛନ୍ତି ନା ଆଇଜିଆରଙ୍କୁ ଏ ସନ୍ଦର୍ଭରେ ସ୍ପଷ୍ଟତା ଲୋଡ଼ୁଛନ୍ତି। ଅଫିସର ଠାଣି ଛାଡ଼ି ଲୋକଙ୍କ ସରକାରରେ ଲୋକଙ୍କୁ ସେବା ଦେବାକୁ ନାକ ଟେକୁଛନ୍ତି ଅନେକ ଅଧିକାରୀ। ସମୟ ନାହିଁ କହି କାମର ଆଳରେ କାହା କଥା ଶୁଣିବାକୁ ସେମାନଙ୍କ ଧୈର୍ଯ୍ୟ ନାହିଁ ଯେମିତି। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now