ଡେପୁଟି ରେଞ୍ଜରଙ୍କ ଘରେ ଟଙ୍କାର ପାହାଡ଼। ତା ସାଙ୍ଗକୁ ସୁନା ବିସ୍କୁଟ, ସୁନା କଏନ। ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଜୟପୁର ଟାଉନର ଏନକେଟି ରୋଡରେ ଥିବା ପୈତୃକ ଘର, ପିଆରପେଟାରେ ଥିବା ଗୋଲଡେନ୍ ହ୍ୱାଇଟ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, ଟାଉନରେ ଥିବା ଶ୍ୱଶୁର ଘର, ଫରେଷ୍ଟରେଞ୍ଜରେ ଥିବା ଅଫିସ ଓ ଭୁବନେଶ୍ୱରର ରଘୁନାଥପୁରରେ ଥିବା ତାଙ୍କ ଭାଇଙ୍କ ଘରେ ଏଭଳି ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ। ଏହି ଚଢ଼ାଉରେ ୬ ଡିଏସପି, ୫ ଇନ୍ସପେକ୍ଟର ଓ ୯ ଏଏସଆଇ ସାମିଲ୍ ଥିଲେ। ଡେପୁଟି ରେଞ୍ଜରଙ୍କ ଘରୁ ସକାଳ ୧୦ଟା ସୁଦ୍ଧା ନଗଦ ଦେଢ଼ କୋଟି ଟଙ୍କା ଜବତ କରିସାରିଲାଣି ଭିଜିଲାନ୍ସ। ଟଙ୍କା ଗଣିବାକୁ ମେସିନ ଆଣିବାକୁ ପଡ଼ିଥିଲା। ଖାଲି ୫ଶହ ଓ ୨ଶହ ଟଙ୍କିଆ ଥାକ ମାରି ରଖାଯାଇଥିଲା। ଏହା ସହ ଦେଢ଼ କେଜିର ସୁନା ଓ ୧ କିଲୋ ଓଜନର ରୂପା ବି ଜବତ କରିଛି ଭିଜିଲାନ୍ସ। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୪ଟି ସୁନା ବିସ୍କୁଟ, ୧୬ଟି ସୁନା କଏନ ଓ ସୁନା ଇଟା ବି ଜବତ ହୋଇଛି। ୧୯୮୯ରେ କୋରାପୁଟ ସୋସିଆଲ ଫରେଷ୍ଟ୍ରିରେ ବା ସାମାଜିକ ବନୀକରଣରେ ଗ୍ରାମ୍ୟ ଜଙ୍ଗଲ କର୍ମଚାରୀ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ ନେପାକ। ଏହା ପରେ ଜୟପୁର ଫରେଷ୍ଟ ଡିଭିଜନରେ ନିଯୁକ୍ତି ପାଇଥିଲେ। ଏବେ ସେ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ। ମାସକୁ ତାଙ୍କର ଦରମା ୭୬ହଜାର୮୮୦ ଟଙ୍କା। ତେବେ ନେପାକଙ୍କ ଏଭଳି ଆୟ ବର୍ହିଭୂତ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଜଳକା। ନେପାକଙ୍କ ଅଚାଳଚଳ ସମ୍ପତ୍ତିର ଗୁମର ଖୋଲିବାରେ ଲାଗିଛି ଭିଜିଲାନ୍ସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now