ହାଇଓ୍ୱେରେ ଅଚାନକ ଗାଡ଼ି ରଖିବା ଆଗରୁ ସିଗନାଲ ଦେବେ ଡ୍ରାଇଭର। ଏକ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଯୂୁବକକୁ ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେବା ସହ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୋଟର ସାଇକେଲ ଆରୋହୀ ଯାଉଥିବା ବେଳେ ତାଙ୍କ ଆଗରେ ଯାଉଥିବା କାର୍ ଅଚାନକ ବ୍ରେକ୍ ମାରିଥିଲା। ଏଥିରେ କାରରେ ବାଡ଼େଇ ହୋଇଯାଇଥିଲେ ଆରୋହୀ ଆଉ ରାସ୍ତାରେ ଛିଟିକି ପଡ଼ିଥିଲେ। ଏତିକିବେଳେ ପଛରୁ ଆସୁଥିବା ବସ୍ ତାଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା। ଏଥିରେ ବାଇକ ଆରୋହୀଙ୍କ ଗୋଡ଼ ଛିଡ଼ିଯାଇଥିଲା। ୨୦୧୩ର ଘଟଣା। ସେତେବେଳେ ଆରୋହୀଙ୍କ ବୟସ ୨୦ ବର୍ଷ ଥିଲା ଓ ସେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିଲେ। ମୋଟର ଆକ୍ସିଡେଣ୍ଟ କ୍ଲେମସ ଟ୍ରିବୁନାଲ ବା ଏମଏସିଟି ପ୍ରଥମେ ୯୧ଲକ୍ଷ ୬୨ହଜାର ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଥିଲେ। କିନ୍ତୁ ଚାଳକ ବିନା ବୈଧ ଲାଇସେନ୍ସରେ ଚଳାଉଥିବାରୁ ଏହି ପରିମାଣରୁ ୨୦ ପ୍ରତିଶତ କାଟିଦେଇ ୭୩ଲକ୍ଷ ୨୯ ହଜାର ଟଙ୍କା କରିଦେଇଥିଲେ। ଏହା ପରେ ମାଡ୍ରାସ ହାଇକୋର୍ଟ ଏହି ପରିମାଣକୁ ୫୮ଲକ୍ଷ୫୩ହଜାର ଟଙ୍କାକୁ କମାଇଦେଇଥିଲେ। ଦୁର୍ଘଟଣାରେ ଅବହେଳା ଓ ଉତ୍ତରଦାୟିତ୍ୱର କଥା କହିଥିଲେ ହାଇକୋର୍ଟ। କାର୍ ଡ୍ରାଇଭରଙ୍କ ଏଥିରେ ୪୦ ପ୍ରତିଶତ ଅବହେଳା, ବସ୍ ଡ୍ରାଇଭରର ୩୦ ପ୍ରତିଶତ ଓ ବାଇକ ଚାଳକଙ୍କ ୩୦ ପ୍ରତିଶତ ଅବହେଳାର କଥା କହିଥିଲେ ହାଇକୋର୍ଟ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ ବାଇକ ଆରୋହୀ। ଜଷ୍ଟିସ ସୁଧାଂଶୁ ଧୂଳିଆ ଓ ଅରବିନ୍ଦ କୁମାର କାର୍ ଚାଳକଙ୍କୁ ଉତ୍ତରଦାୟୀତ୍ୱର ମାତ୍ରା ୪୦ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ବାଇକ ଆରୋହୀଙ୍କ ପଛପଟେ ଥିବା ବସ୍ ଡ୍ରାଇଭରଙ୍କୁ ୩୦ ପ୍ରତିଶତ ଦାୟୀ କରିିଥିଲେ। ନିରାପଦ ଦୂରତା ବଜାୟ ରଖିବାରେ ବସ୍ ଡ୍ରାଇଭର ଫେଲ୍ ମାରିଥିଲେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାଇକ ଚାଳକଙ୍କ ଅଣଦେଖାକୁ ୨୦ ପ୍ରତିଶତ ହ୍ରାସ କରିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସଂଶୋଧିତ କରି ସର୍ବୋଚ୍ଚ ଅଦାଲତ ୯୧ଲକ୍ଷ୩୯ହଜାର ୨୫୩ ଟଙ୍କା କ୍ଷତିପୂରଣ ରାଶି ମଞ୍ଜୁର କରିଛନ୍ତି। ଅଚାନକ କାର୍ ଡ୍ରାଇଭର ବ୍ରେକ୍ କଷିବାରୁ ଏହା ହିଁ ଦୁର୍ଘଟଣାର ପ୍ରଥମ କାରଣ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ଜାତୀୟ ରାଜପଥରେ ହାଇସ୍ପିଡ୍ ଗାଡ଼ି ଗୁଡ଼ିକ ରହିବାକୁ ହେଲେ ବେଶ୍ ଆଗୁଆ ଓ୍ୱାର୍ଣ୍ଣିଂ ବା ସିଗନାଲ ପଛରେ ଆସୁଥିବା ଗାଡ଼ିକୁ ଦେବା ଜରୁରୀ ବୋଲି କହିଛନ୍ତି ଖଣ୍ଡପୀଠ।

Naxatra News is now on Whatsapp
Join and get latest news update delivered to you via whatsapp
Join Now