ଉତ୍ତରକାଶୀରେ ବାଦଲଫଟା ବର୍ଷା। ଭୟଙ୍କର ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଲା। ଅନେକ ଘର ଭସାଇନେଲା। ବର୍ଷା ସାଙ୍ଗକୁ ଭୂସ୍ଖଳନ ବିପତ୍ତି। ପ୍ରକୃତିର କୋପ ଆଗରେ ଯେମିତି ମଣିଷ ଅସହାୟ ହୋଇଗଲା। ଯାହା ଆଗରେ ପଡ଼ିଲା, ଭସାଇନେଲା। ହୋଟେଲ, ଘର କିଛି ମୂହୂର୍ତ୍ତରେ ଛାରଖାର ହୋଇଗଲା। ହର୍ସିଲ ଅଞ୍ଚଳରେ ଥିବା କ୍ଷୀର ଗଙ୍ଗା ନଦୀରେ ଜଳସ୍ତର କ୍ରମାଗତ ବଢ଼ିବାରେ ଲାଗିଛି। ଧରାଲିରେ ବିପୁଳ କ୍ଷୟକ୍ଷତି ହୋଇଛି। ଧରାଲି ଗାଁ ପାଖରେ ହିଁ ବାଦଲ ଫାଟିଥିଲା। ଜଳପ୍ରଳୟ ସାଙ୍ଗକୁ ପାହାଡ଼ ଧସିବାରୁ ପୁରା ଅଞ୍ଚଳ କାଦୁଅର ଆଁ କୁ ଚାଲିଯାଇଥିଲା। ଦେଖୁ ଦେଖୁ ପ୍ରକୃତିର କୋପରେ ସବୁ କିଛି ଚାଲିଗଲା। ସାହାଯ୍ୟ କରିବାକୁ ଲୋକଙ୍କ ଆକୁଳ ଚିତ୍କାର ଶୁଭୁଥିଲା। ଅପରାହ୍ନ ୪ଟା ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହେବା ସହ ୬୦ ଲୋକଙ୍କ ପତ୍ତା ମିଳୁନଥିଲା। ଶତାଧିକ ଲୋକ ଫସିରହିଥିଲେ।ଜିଲ୍ଲାପାଳ କହିଛନ୍ତି, ଧନଜୀବନ ବିପୁଳ କ୍ଷୟକ୍ଷତି ହୋଇଛି। ଅବଶିଷ୍ଟାଂଶ ତଳେ ଅନେକ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଥିଲା। ବର୍ଷା ଜାରି ଥିବାରୁ ଉଦ୍ଧାର କାମରେ ବି ବାଧା ଦେଖାଦେଇଥିଲା। ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନ ଚାଲିଯିବାକୁ ପ୍ରଶାସନ ଅନୁରୋଧ କରିଥିଲା। ଉତ୍ତରକାଶୀର ଧରାଲିରେ ଆସିଥିବା ପ୍ରଳୟର ସଂଜ୍ଞାନ ନେଇଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଜିଲ୍ଲା ପ୍ରଶାସନ ଓ ସମସ୍ତ ବିଭାଗକୁ ରିଲିଫ ଓ ରେସକ୍ୟୁ ଅପରେସନ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଧାମି। ରିଲିଫ ଓ ରେସକ୍ୟୁ ଅପରେସନରେ ସେନା, ଏସଡିଆରଏଫ ଓ ବିପର୍ଯ୍ୟୟ ପ୍ରଶମନ କର୍ମଚାରୀ ଲାଗିଛନ୍ତି। ଘଟଣାର ୧୦ ମିନିଟ୍ ଭିତରେ ସେନା ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଦେଇଥିଲା। ଭୂସ୍ଖଳନ ବିପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟକୁ ଯାହା ସହଯୋଗ ଦରକାର, କେନ୍ଦ୍ର ସରକାର ଯୋଗାଇଦେବାକୁ ଭରସା ଦେଇଛନ୍ତି ଶାହା। ଘଟଣାସ୍ଥଳକୁ ଏନଡିଆରଏଫ ଓ ଆଇଟିବିପି ଟିମକୁ ରେସକ୍ୟୁ ଅପରେସନ ପାଇଁ ପଠାଇ ଦିଆଯାଇଥିଲା। ବାଦଲଫଟା ବର୍ଷା ଲାଗି ଗଙ୍ଗୋତ୍ରୀ ଧାମର ସମ୍ପର୍କ ଜିଲ୍ଲା ମୁଖ୍ୟାଳୟ ସହ ବିଛିନ୍ନ ହୋଇଯାଇଛି। ଧରାଲିରେ ଜଳସ୍ତର ବୃଦ୍ଧିରୁ ବଜାର ଓ ଘରେ ପାଣି ପଶି ବ୍ୟାପକ କ୍ଷତି କରିଛି। ବିନାଶକାରୀ ବନ୍ୟା ଲାଗି ୨୦ରୁ ୨୫ ହୋଟେଲ ଓ ହୋମ ଷ୍ଟେ ପୁରା ଛାରଖାର ହୋଇଯାଇଛି। ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ବି ଫସିଗଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now