ପ୍ରବଳ ବର୍ଷାରୁ ଭୁଷୁଡ଼ିପଡ଼ିଲା କାନ୍ଥ। ଆଉ କାନ୍ଥ ତଳେ ଚାପି ହୋଇ ଚାଲିଗଲା ୮ ଜୀବନ। ଦିଲ୍ଲୀର ହରିନଗରସ୍ଥିତ ଜୈତପୁରରେ ଏଭଳି ଅଘଟଣ ଘଟିଥିଲା। ଶହେ ଫୁଟ ଲମ୍ୱର କାନ୍ଥ ପଡ଼ିଯିବାରୁ ତିନୋଟି ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ଗୋଟିଏ ପୁରୁଣା ମନ୍ଦିର ଥିଲା। ମନ୍ଦିରର ବାଉଣ୍ଡରି ଧସିଯିବାରୁ ୮ଜଣ ଦବିଯାଇଥିଲେ। ମନ୍ଦିରର ବାଉଣ୍ଡରିକୁ ଲାଗି ହୋଇଥିବା ଟିଣ ଚାଳିଆରେ ଏମାନେ ରହୁଥିଲେ। ବିଶେଷ କରି ସ୍ପ୍ରାପ୍ ବ୍ୟବସାୟ କରୁଥିଲେ। ମୃତକଙ୍କ ଭିତରେ ଗୋଟିଏ ପରିବାରର ୪ଜଣ ଅଛନ୍ତି। କାନ୍ଥ ତଳେ ଆଉ କେହି ଚାପି ହୋଇରହିଯାଇଛନ୍ତି କି ନାହିଁ, ତାକୁ ନେଇ ଅଗ୍ନିଶମ ବିଭାଗ ଓ ପୁଲିସ ଖୋଜିବା ଆରମ୍ଭ କରିଥିଲା। ଏମିତିରେ ଦିଲ୍ଲୀରେ ମୂଷଳଧାରାରେ ବର୍ଷା ଲାଗି ରହିଛି। ରାତି ତମାମ ଲଗାଣ ବର୍ଷାରୁ କାନ୍ଥ ଭୁଷୁଡ଼ି ଯାଇଥିଲା। ପୁଲିସ ସମସ୍ତଙ୍କୁ ରେସକ୍ୟୁ କରିଥିଲେ ସୁଦ୍ଧା କେହି ବଞ୍ଚିଲେନି। ଗୁରୁତର ଥିବା ୪ଜଣଙ୍କୁ ହସ୍ପିଟାଲ ପଠାଇଥିଲେ ସୁଦ୍ଧା ସେମାନେ ବଞ୍ଚିନଥିଲେ। ଅବିଶ୍ରାନ୍ତ ବର୍ଷାରେ ଦିଲ୍ଲୀରେ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲାଣି। ଅନେକ ଜାଗାରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷାରୁ ୧୮୦ରୁ ଅଧିକ ବିମାନ ବିଳମ୍ୱରେ ଉଡ଼ାଣ ଭରିଥିଲା। ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଫସିରହୁଛନ୍ତି ଦିଲ୍ଲୀ ବାସିନ୍ଦା। କାନ୍ଥ ଭୁଷୁଡ଼ି ଲୋକଙ୍କ ମୃତ୍ୟୁ ପରେ ପୁଲିସ ଏ ସବୁ ଝୁମ୍ପୁଡ଼ିକି ଭାଙ୍ଗିଦେଇଛି। ପ୍ରଶାସନକୁ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ସରକାର। ମନ୍ଦିର କାନ୍ଥ ଭୁଷୁଡ଼ି ୮ ଜଣଙ୍କ ମୃତ୍ୟୁ ଦିଲ୍ଲୀ ରାଜନୀତିକୁ ସରଗରମ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now