କାନ୍ଦୁଛନ୍ତି ବିଡିଓ। ସମ୍ଭାଳି ପାରିଲେନି କୋହ। କାହାର ଲୁହ ପୋଛିଦେଉଛନ୍ତି ତ ନିଜେ କୋହ ସମ୍ୱରଣ କରିନପାରି ଛଳ ଛଳ ଆଖିରେ କିଛି କ୍ଷଣ ଚାହିଁ ରହୁଛନ୍ତି। ଯାହାଙ୍କ ଲାଗି ଏତେ ଆତୁର ହୋଇଯାଉଛନ୍ତି, ସେମାନେ ସିନା ତାଙ୍କର ପରିବାର କି ପରିଜନ କେହି ନୁହଁନ୍ତି। କିନ୍ତୁ ସେମାନଙ୍କ ଲାଗି ବିଡ଼ିଓ ବାବୁ ସେହି ସମୟରେ ଯେମିତି ନିଜ ସନ୍ତାନଠୁ ଅଧିକ ହୋଇଯାଇଥିଲେ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ବିଜୟ ସେଠୀଙ୍କ ମାନବିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସ୍ୱାଧୀନତା ଦିବସରେ ଆରିକମା ବୃଦ୍ଧାଶ୍ରମ ଯାଇଥିଲେ ବିଜୟ। ବୃଦ୍ଧାଶ୍ରମ ଅନ୍ତେବାସୀ ଜଣକ ପରେ ଜଣେ ନିଜର ଦୁଃଖ କହିବାରୁ ଆଉ ସମ୍ଭାଳିପାରିନଥିଲେ ବିଡ଼ିଓ ବାବୁ। କାହାର ପୁଅ ବୋହୂ ଚାକିରୀଆ ତ କିଏ ବଡ଼ ବ୍ୟବସାୟୀ। ପୁଣି କିଏ ଜମିବାଡ଼ି ହାତେଇଲା ପରେ ତଡ଼ି ଦେଇଛି। ତ କିଏ ଜବରଦସ୍ତି ବୃଦ୍ଧାଶ୍ରମକୁ ପଠାଇଦେଇ ଶାନ୍ତିରେ ନିଃଶ୍ୱାସ ମାରୁଛି। ଜୀବନର ଶେଷ ସମୟ କିଭଳି ନିଜ ଘରେ ପିଲାଙ୍କ ଗହଣରେ କାଟିବେ। ସେ ଆଶା ଥିଲା। କିନ୍ତୁ ଯେଉଁ ସନ୍ତାନ ଲାଗି ଏତେ ଦୁଃଖକଷ୍ଟ କରି ବଡ଼ କରିଥିଲେ, ସେମାନେ ପରିଣତ ବୟସରେ ପର କରିଦେଲେ। ପ୍ରତିଟି ଅନ୍ତେବାସୀ ମୁହଁରୁ ସେମାନଙ୍କ ଦୁର୍ଦଶା ଶୁଣି କାହାକୁ ସମବେଦନା ଜଣାଉଥିଲେ ତ କାହାର ଲୁହ ପୋଛିପକାଉଥିଲେ ବିଡ଼ିଓ ବିଜୟ ବାବୁ। ବିଜୟଙ୍କ ଆଖିରୁ ବି ଧାର ଧାର ହୋଇ ଲୁହ ଗଡ଼ିଥିଲା। ସେମାନଙ୍କ ସନ୍ତାନ ଭାବି ସେମାନଙ୍କ ଲାଗି ଆଣିଥିବା ଫଳ ଓ ଖାଦ୍ୟ ପଦାର୍ଥ ବାଣ୍ଟିଥିଲେ ବିଜୟ। ଯେଉଁ ସନ୍ତାନ ସେମାନଙ୍କ ପିତାମାତାଙ୍କୁ ଏଭଳି ଦୁର୍ଦଶାକୁ ଠେଲି ଦେଇଛନ୍ତି, ପ୍ରତିଟି ପରିବାର ସହ ଯୋଗାଯୋଗ କରାଯିବାକୁ କଥା ଦେଇଛନ୍ତି ବିଜୟ। ଜିଲ୍ଲାପାଳଙ୍କ ଜରିଆରେ ପ୍ରତି ଅନ୍ତେବାସୀର ପରିବାରକୁ ଯୋଗାଯୋଗ କରି ଏଠାରୁ ସକୁଶଳେ ଘରକୁ ନେଇଯିବାକୁ ଅନୁରୋଧ କରାଯିବ। ନଚେତ କାର୍ଯାନୁଷ୍ଠାନ ହେବ ବୋଲି କଥା ଦେଇଛନ୍ତି ବିଡ଼ିଓ। ଏଭଳି ଅଫିସରଙ୍କ ମାନବିକତାକୁ ନେଇ ସବୁଠି ଚର୍ଚ୍ଚା। ସତରେ ବିଜୟଙ୍କ ଭଳି ଅଫିସରଙ୍କ ମହତପଣିଆ ଦେଖି ନିଃସହାୟ ବୃଦ୍ଧବୃଦ୍ଧା ତାଙ୍କୁ ପୁଅ ବୋଲି ଭାବି ନିଜର ଦୁଃଖ ବଖାଣିପାରିଲେ। ସେଥିଲାଗି ସବୁଠି ଚର୍ଚ୍ଚା, ଅଫିସର ହେବ ତ ଏମିତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now