ଭୋଟ ଚୋରୀକୁ ନେଇ ନିର୍ବାଚନ କମିଶନ ଓ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି ବିରୋଧୀ ଦଳ। ରାହୁଲ ଗାନ୍ଧୀ ବି ଭୋଟର ଅଧିକାର ଯାତ୍ରା ଜାରି ରଖିଛନ୍ତି। ଆଉ ସଂସଦରେ ଏସଆଇଆର ପ୍ରତ୍ୟାହାର ସହ ଏହା ଉପରେ ଗୃହରେ ଆଲୋଚନା ଲାଗି ଅଡ଼ି ବସି ହଙ୍ଗାମା କରୁଛି ଇଣ୍ଡିଆ ମେଣ୍ଟ। ଏତିକିବେଳେ ସିଏସଡିଏସର ସଞ୍ଜୟ କୁମାର ନିଜ ପୋଷ୍ଟକୁ ଡିଲିଟ୍ କରି କ୍ଷମା ମାଗିବା ଘଟଣା ଚାରିଆଡ଼େ ହଇଚଇ ଖେଳାଇଛି। ଯିଏ ମହାରାଷ୍ଟ୍ର ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟର ସଂଖ୍ୟାରେ ବଡ଼ ଗଡ଼ବଡ଼ିକୁ ନେଇ କିଛି ତଥ୍ୟ ରଖିଥିଲେ। ମହାରାଷ୍ଟ୍ର ନିର୍ବାଚନ ସନ୍ଦର୍ଭରେ ସେ କରିଥିବା ଟ୍ୱିଟରରେ ପୋଷ୍ଟକୁ ନେଇ କ୍ଷମା ମାଗିଛନ୍ତି। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ତଥ୍ୟକୁ ତୁଳନା କଲାବେଳେ ଡାଟା ଟିମ୍ ଦ୍ୱାରା କିଛି ଭୁଲ ହୋଇଯାଇଛି ବୋଲି କହିଛନ୍ତି ସଞ୍ଜୟ କୁମାର। କୌଣସି ଗୁଜବ କି ମିଛ ସୂଚନା ଦେଇ କାହାକୁ ଭ୍ରମିତ କରିବା ତାଙ୍କ ଉଦ୍ଦେଶ୍ୟ ନୁହଁ ବୋଲି କହିଛନ୍ତି ସଞ୍ଜୟ କୁମାର। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ସିଏସଡିଏସ ସଞ୍ଜୟ କୁମାର ନିଜ ଟ୍ୱିଟକୁ ନେଇ କ୍ଷମା ମାଗିଲେ। କିନ୍ତୁ ଯେଉଁ ତଥ୍ୟକୁ ନେଇ ରାହୁଲ ଗାନ୍ଧୀ ଓ ତାଙ୍କ କମ୍ପାନୀ ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଦୁଛନ୍ତି। ଆଉ ଅନ୍ତିମ ପର୍ଯ୍ୟାୟରେ ଅଧିକ ଭୋଟ ଯୋଗାଡ କରି ବିଜେପିକୁ ଜିତାଇବାର ମିଛ ଆରୋପ ଲଦି ଭେଳିକି ରଚୁଛନ୍ତି। ସଞ୍ଜୟଙ୍କ ଏହି କୁକୃତ୍ୟ ବିଲକୁଲ କଂଗ୍ରେସର ପୁରୁଣା ପାଟର୍ଣ୍ଣ ସହ ଖାପ ଖୁଆଉଛି। ଲୋକଙ୍କୁ ଭ୍ରମିତ କରିବା ପରେ ଆଇନଗତ ଆକ୍ସନରୁ ବର୍ତ୍ତିବାକୁ ଚୁପଚାପ୍ ଯିଏ ମୁଖ୍ୟ ଉତ୍ସ ହୋଇଥାଏ। ତାଙ୍କ ଦ୍ୱାରା ଭୁଲ୍ ମଗାଇ ସବୁ କଥାକୁ ଲିପାପୋଛା କରିଥାଆନ୍ତି। ସିଏସଡିଏସ ବାମପଂଥୀଙ୍କ ଆଡ୍ଡାସ୍ଥଳ ଅଟେ। ସଞ୍ଜୟଙ୍କ କ୍ଷମାପ୍ରାର୍ଥନା ପରେ ଏକଥା ଆଜି ସ୍ପଷ୍ଟ ହୋଇଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now