ଭୋଟର ଅଧିକାର ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ରାଜନୀତିକ ହଲଚଲ ତେଜ୍ ହୋଇଛି। ଏହାକୁ ନେଇ ପାଟନାରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ଭିତରେ ମାଡ଼ପିଟ୍ ହୋଇଛି। ପିଟାପିଟି ହୋଇଛନ୍ତି ଉଭୟ ଦଳର କର୍ମୀ। ବିଜେପି କାର୍ଯ୍ୟକର୍ତ୍ତା କଂଗ୍ରେସ ଅଫିସ ଘେରାଓ କରିବାକୁ ପହଞ୍ଚିଥିଲେ। ଆଉ ଏହାକୁ ନେଇ ତୁତୁମେମେ ରୁ ପରିସ୍ଥିତି ବିଗିଡ଼ିଥିଲା। କିଏ ବାଡ଼ିରେ ଆକ୍ରମଣ କରିଥିଲା ତ କିଏ ପଥର ମାଡ଼ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ନାକେଦମ୍ ହୋଇପଡ଼ିଥିଲା। ଅଗଷ୍ଟ ୨୮ରେ ଦରଭଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ଅପଶବ୍ଦର ପ୍ରୟୋଗ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିସାରିଛି। କଂଗ୍ରେସ ଅଫିସକୁ ବିଜେପି କାର୍ଯ୍ୟକର୍ତ୍ତା ଜୋର ଜବରଦସ୍ତି ପଶି ଏଭଳି ହିଂସା ଭିଆଇବାକୁ ନିନ୍ଦା କରିଛି ଇଣ୍ଡିଆ ମେଣ୍ଟ। ଲୋକତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଆଜି ପୁରା ଦେଶରେ ନିର୍ବାଚନ କମିଶନଙ୍କ ସତ ପଦାକୁ ଆସିସାରିଛି। ନିରପେକ୍ଷ ବଦଳରେ କେମିତି ନିର୍ବାଚନ କମିଶନ ବିଜେପିର ପକ୍ଷ ନେଉଛନ୍ତି। ରାହୁଲ ଗାନ୍ଧୀ ସବୁତକ ତଥ୍ୟ ସାମ୍ନାରେ ରଖିବା ପରେ ବିଜେପିର ବାଚାଳମି ବାହାରିଲାଣି। ତେବେ କାହା ପ୍ରତି ଅପଶବ୍ଦ ଓ ଆପତ୍ତିଜନକ ମନ୍ତବ୍ୟକୁ କଂଗ୍ରେସ କଦାପି ସମର୍ଥନ କରେନା। ସରକାରରେ ଥାଇ ବି ବିଜେପିର ଏଭଳି ହିଂସ୍ରିକ ଆଚରଣ ଅଶୋଭନୀୟ। ବିଜେପି କହିଛି, ରାହୁଲ ଓ ତେଜସ୍ୱୀ ଲୋକତନ୍ତ୍ରର ଗାରିମାକୁ କ୍ଷୁର୍ଣ୍ଣ କରୁଛି। ଇଣ୍ଡିଆ ମେଣ୍ଟର ନେତାଙ୍କ ମାନସିକ ସନ୍ତୁଳନ ବିଗିଡ଼ିସାରିଛି। ଜନତାଙ୍କ ସମର୍ଥନ ମିଳୁନଥିବାରୁ କେତେବେଳେ ପ୍ରଧାନମନ୍ତ୍ରୀ ତ କେତେବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗବାସୀ ମାଆଙ୍କ ନାଁରେ ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ୍ସ-ରେ ପୋଷ୍ଟ କରି କହିଛନ୍ତି, ଦରଭଙ୍ଗାରେ ମୋଦି ଓ ତାଙ୍କ ସ୍ୱର୍ଗୀୟ ମାତାଙ୍କ ଉପରେ ଅଭଦ୍ର ଭାଷାର ପ୍ରୟୋଗ ନିନ୍ଦନୀୟ। ବିହାର ସରକାରଙ୍କ ମନ୍ତ୍ରୀ ନିତିନ ନବୀନ କହିଛନ୍ତି, କଂଗ୍ରେସ ଅଫିସ ଭିତରୁ ଇଟା ଓ ପଥର ମାଡ଼ ଆଗ ହୋଇଥିଲା। ବିଜେପି କର୍ମକର୍ତ୍ତା ବନ୍ଧୁକ ଓ ଇଟାକୁ ଡରନ୍ତିନି। ବିଜେପି କର୍ମୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଯାଇଥିଲେ। ବିହାରରେ ଭୋଟ ଚୋରୀ ବିରୁଦ୍ଧରେ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଜାରି ରହିଛି। ୨୦ ଜିଲ୍ଲାରେ ୧୩ଶହ କିଲୋମିଟରର ଭୋଟର ଅଧିକାର ଯାତ୍ରା ପାଟଣାରେ ସେପ୍ଟେମ୍ୱର ପହିଲାରେ ସରିବ। ବିହାର ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ବିହାରରେ କରୁଥିବା ଏସଆଇଆର ବିରୁଦ୍ଧରେ ସଡ଼କରୁ ନେଇ ସଂସଦ ଯାଏ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି। ଆଉ ଏତିକିବେଳେ ମୋଦି ଓ ତାଙ୍କ ମାଆଙ୍କ ପ୍ରତି ଅପଶବ୍ଦକୁ ନେଇ ରାଜନୀତି ତେଜିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now