ଅଲ ଇଣ୍ଡିଆ ବାର୍ ପରୀକ୍ଷା ଲାଗି ଧାର୍ଯ୍ୟ ହୋଇଥିବା ୩ହଜାର୫ଶହ ଟଙ୍କା ଫି କୁ ଯଥାର୍ଥ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବାର୍ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ଥିରୀକୃତ ଏଭଳି ଫି ବିରୁଦ୍ଧରେ କୋର୍ଟରେ ପିଟିସନ ପକାଇଥିଲେ ଆଇନଜୀବି ସାନ୍ୟମ ଗାନ୍ଧୀ। ଯାହାକୁ ରଦ୍ଦ କରିଦେଲେ ସର୍ବୋଚ୍ଚ ଅଦାଲତ। ଜଷ୍ଟିସ ଜେପି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ବିସିଆଇର ଯୁକ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ଗୌରବ କୁମାର ବନାମ କେନ୍ଦ୍ର ସରକାର ମାମଲାରେ କୋର୍ଟଙ୍କ ନଜିର ଦିଆଯାଇଥିଲା। ଯେଉଁଠି କୁହାଯାଇଥିଲା, ବାର୍ କାଉନସିଲ୍ ଏନରୋଲମେଣ୍ଟ ଲାଗି ୭୫୦ ଟଙ୍କାରୁ ଅଧିକ ଚାର୍ଜ କରିପାରିବନି। କିନ୍ତୁ ଏହା ଅଲ ଇଣ୍ଡିଆ ବାର୍ ଏକଜାମିନେସନ ଫି ଲାଗି ପ୍ରଜୁଯ୍ୟ ହେବନି। ଶୁଣାଣୀ ବେଳେ ଜଷ୍ଟିସ ପର୍ଦ୍ଦିଓ୍ୱାଲା ଆବେଦନକାରୀ ଗାନ୍ଧୀଙ୍କୁ କହିଥିଲେ, ସେ କାହିଁକି ଗୌରବ କୁମାର ରାୟକୁ ଅନୁକରଣ କରୁନାହାନ୍ତି। କାରଣ ବିସିଆଇର ଯୁକ୍ତି ହେଲା ଯେ, ଆଡଭୋକେଟ ଆକ୍ଟ, ୧୯୬୧ର ସେକ୍ସନ ୨୪ ଆଧାରରେ ୭୫୦ ଟଙ୍କା କେବଳ ଏନରୋଲମେଣ୍ଟ ଫି। ଏଥିରେ ଏଆଇବିଇ ବା ଅଲ ଇଣ୍ଡିଆ ବାର୍ ଏକଜାମିନେସନ ଫି ଅନ୍ତର୍ଭୁକ୍ତ ନୁହେଁ। ଆଉ ହାଲୁକା ମନ୍ତବ୍ୟ ଦେଇ ଖଣ୍ଡପୀଠ କହିଥିଲେ, ମିଷ୍ଟର ଗାନ୍ଧୀ। ଏବେ ସିନା ୩୫୦୦ ଟଙ୍କା ଦେବ। କିନ୍ତୁ ଓକିଲ ଭାବେ ସେ ଏହାଠୁ କେତେ ଅଧିକ ରୋଜଗାର କରିବେ, ତାହା କଳ୍ପନା ବାହାରେ। ୩ହଜାର ୫ଶହରେ କେତେ ଶୂନ ଲାଗିବ, ହିସାବ କରିପାରିବେନି। ସାନ୍ୟମ ଗାନ୍ଧୀ ଯୁକ୍ତି ଦର୍ଶାଇଥିଲେ, ୩ହଜାର୫ଶହ ଟଙ୍କା ସାଙ୍ଗକୁ ଅତିରିକ୍ତ ଚାର୍ଜ ଗୌରବ କୁମାର ରାୟକୁ ଅନୁପାଳନ କରୁନି। ଗୌରବ କୁମାର ରାୟରେ କୁହାଯାଇଥିଲା, ସାଧାରଣ ବର୍ଗ ଓକିଲଙ୍କ ଲାଗି ୭୫୦ ଟଙ୍କା, ଅନୁସୂଚିତ ଜାତି ଜନଜାତି ଓକିଲଙ୍କ ଲାଗି ୧୨୫ ଟଙ୍କା ଦେବାକୁ ପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now