ବନ୍ୟାରେ ଉବୁଟୁବୁ ପଞ୍ଜାବ..

ବାଦଲଫଟା ବର୍ଷା, ଭୂକମ୍ପ, ଭୂସ୍ଖଳନ, ବନ୍ୟା ବୀଭିଷିକାରେ ଥରୁଛି ଉତ୍ତର ଭାରତ। ପଞ୍ଜାବରୁ ଜମ୍ମୁକଶ୍ମୀର। ଉତ୍ତରାଖଣ୍ଡରୁ ହିମାଚଳପ୍ରଦେଶ। ସବୁଠି ପ୍ରକୃତିର କୋପ। ପଞ୍ଜାବର ସମସ୍ତ ୨୩ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ବନ୍ୟାରେ ଆଜି ଯାଏଁ ୩୦ ଜଣଙ୍କ ଜୀବନ ଯାଇଛି। ୧୪ଶହରୁ ଅଧିକ ଗାଁ ବନ୍ୟା ଘେରରେ ଥିବାରୁ ସାଢ଼େ ୩ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୁରଦାସପୁର, ଅମୃତସର, ହୋସିଆରପୁର, କପୁରଥଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗୁରୁଦାସପୁରରେ ୩୨୪, ଅମୃତସରରେ ୧୩୫ ଓ ହୋସିଆରପୁରରେ ୧୧୯ ଗାଁ ପାଣି ଘେରରେ ରହିଛି। ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ିରହିଛି।  ଶହ ଶହ ପଶୁ ଭାସିଯାଇଛନ୍ତି। ବନ୍ୟା ବିପନ୍ନଙ୍କ ରେସକ୍ୟୁ ଓ ରିଲିଫ ଅପରେସନରେ ଏନଡିଆରଏଫ, ବିଏସଏଫ, ସେନା, ବାୟୁସେନା ଓ ନୌସେନାକୁ ମୁତୟନ କରାଯାଇଛି। ୩୫ ଟି ହେଲିକେପ୍ଟର ବି ନିୟୋଜିତ କରାଯାଇଛି। ଏ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି। ସତଲୁଜ, ବ୍ୟାସ ଓ ରବି ନଦୀରେ ବନ୍ୟା ଆସିଛି। ସମସ୍ତ ନଦୀ ବିପଦସଙ୍କେତ ପାଖରେ। ପ୍ରମୁଖ ଜଳଭଣ୍ଡାର ଭର୍ତ୍ତି ହୋଇଗଲାଣି। ସେଥିଲାଗି ଅନେକ ଜିଲ୍ଲାକୁ ଆଲର୍ଟ କରିଦିଆଯାଇଛି। ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ ଓ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂ ମାନ୍ ଅଲଗା ଅଲଗା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡଙ୍ଗାରେ ଫିରୋଜପୁର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲା ବେଳେ ରାଜ୍ୟପାଳ ଫିରୋଜପୁର ଓ ତରନତାରନ ଗସ୍ତ କରିଥିଲେ। ଏଭଳି ପରିସ୍ଥିତିକୁ ମୁକାବିଲା ଲାଗି କେନ୍ଦ୍ରରୁ ୬୦ହଜାର କୋଟି ଟଙ୍କା ଦୀର୍ଘକାଳୀନ ପାଣ୍ଠିର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମାନ୍। ସାଂସଦ ପାଣ୍ଠିରୁ ୩ କୋଟି ୨୫ଲକ୍ଷ ଟଙ୍କା ଦେଇଛନ୍ତି ରାଘବ ଚଢ଼ା। ବନ୍ଧର ଏମ୍ୱାକ୍ଟମେଣ୍ଟକୁ ସୁଦୃଢ ସହ ରିଲିଫ ଓ ରିହାବିଲିଟେସନ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କହିଛନ୍ତି ରାଘବ। ଏଭଳି ବିପତ୍ତି ବେଳେ ସମସ୍ତେ ମିଳିମିଶି ମୁକାବିଲା କରିବାକୁ ଅପିଲ୍ କରିଛନ୍ତି ଅଭିନେତା ସୋନୁ ସୁଡ୍। ଗୁରୁ ରନ୍ଧଓ୍ୱା, ସଞ୍ଜୟ ଦତ୍ତ ଓ ସୋନୁ ସୁଡଙ୍କ ଭଳି ସେଲିବ୍ରିଟି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନ୍ୟ ରାଜ୍ୟରେ ପ୍ରାକୃତିକ ବିପତ୍ତି ପଡ଼ିଲେ ପଞ୍ଜାବ ଆଗ ସହାୟତା ବଢ଼ାଏ। କିନ୍ତୁ ପଞ୍ଜାବକୁ ବିପତ୍ତି ପଡ଼ିଥିଲା ବେଳେ ଅନ୍ୟ ରାଜ୍ୟ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି କହି କ୍ଷୋଭ ଝାଡ଼ିଥିଲେ ଜ୍ଞାନୀ ରଘବୀର ସିଂ। ବିଜେପି ଶାସିତ ସରକାର କ୍ରମାଗତ ଭେଦଭାବ କରୁଛି। ପଞ୍ଜାବୀ ଗାୟକ ଇନ୍ଦରଜିତ ସିଂ ନିକ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି। ବନ୍ୟା ଲାଗି ସ୍କୁଲ ଓ କଲେଜକୁ ସେପ୍ଟେମ୍ୱର ୭ ଯାଏ ବନ୍ଦ ଘୋଷଣା କରିଛନ୍ତି ସରକାର। ପଞ୍ଜାବ ଉପରେ ପଡ଼ିଛି ପ୍ରକୃତିର କୋପ। ଏଭଳି ବିପତ୍ତିକୁ ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରଖି ଅଣ୍ଟା ଭିଡ଼ିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *