ଚାଷୀଙ୍କୁ ମିଳୁନି ୟୁରିଆ ସାର। ପ୍ରବଳ ବର୍ଷାରେ ଆଧାର କାର୍ଡକୁ ଜଗି ରହିଛନ୍ତି ଛେଣ୍ଡିପଦା ଚାଷୀ। ଅନୁଗୁଳ ଛେଣ୍ଡିପଦାରେ ଏଭଳି ଅଭାବନୀୟ ଦୃଶ୍ୟ ପୁଣି ଦେଖାଦେଇଛି। ରାତି ଅଧରୁ ସାର ଲାଗି ଗହଳିର ଦୃଶ୍ୟ ଦର୍ଶାଉଥିଲା, ଚାଷୀ କେତେ ହନ୍ତସନ୍ତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି- ବ୍ରହ୍ମପୁର ରାସ୍ତା ଅବରୋଧ କରିଥିଲେ ଚାଷୀ। ସିଦ୍ଧେଶ୍ୱର ସମବାୟ ସମିତିରେ ସାର ମିଳୁନଥିବା ଅଭିଯୋଗ କରି ତାତିଥିଲେ ଚାଷୀ। କୋରାପୁଟ ଲକ୍ଷ୍ମୀପୁରରେ ବି ସମାନ ଅବସ୍ଥା। ବସ୍ତାଏ ସାର ଲାଗି ଲମ୍ୱା ଲାଇନ ଲାଗିଥିଲା ଲକ୍ଷ୍ମୀପୁରରେ। ଚାଷୀ କେତେ ହନ୍ତସନ୍ତ ହେଉଥିଲେ, ସେ ଦୃଶ୍ୟ ବୟାନ କରିବା ଜରୁରୀ ନଥିଲା। ଆଉ ସାର ଅଭାବକୁ ନେଇ ଆଜି ରାଜଭବନ ଆଗରେ ଧାରଣା ଦେଇ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରିଛି ବିଜେଡି। ଅସହ୍ୟ ହେଲାଣି ଚାଷୀଙ୍କ ସାର ଯନ୍ତ୍ରଣା। ବିଜେପି ସରକାର ଛଳନା କରୁଛି। ଚାଷୀଙ୍କ ହକ୍ ଲାଗି ବିଜେଡି ଗଣଧାରଣା ଦେଇଥିଲା। ସାର ପାଇଁ କଲବଲ ହେଉଛି ଚାଷୀ। କିନ୍ତୁ ବେପରୁଆ ବିଜେପି ସରକାର। ସାରର କୃତ୍ରିମ ଅଭାବ ପଛରେ କିଏ ଷଡ଼ଯନ୍ତ୍ରକାରୀ ବୋଲି ପଚାରିଛି ବିଜେଡି। ଡବଲ ଇଞ୍ଜିନ ସରକାରର ଚାଷୀମାରଣ ନୀତି ଚଳିବନି କହି ଗର୍ଜିଥିଲା। ୩୬ ମାସ କହିଥିଲେ, କିନ୍ତୁ ୭ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ତାଳଚେର ସାର କାରଖାନା। ସାର ପର୍ଯ୍ୟାପ୍ତ ମହଜୁଦ୍ ଅଛି ବୋଲି ବାରମ୍ୱାର ସରକାର କରୁଥିବା ଦାବି ମିଛ। କେଉଁଠି ସାର ଲାଗି ସାରାରାତି ଅନିଦ୍ରା ଚାଷୀ। କେଉଁଠି ସମ୍ପାଦକ କଳାବଜାରୀରେ ଲିପ୍ତ। ସରକାରଙ୍କ ଘନ ଘନ ସମୀକ୍ଷା କେବଳ ଧୂଆଁବାଣ। ସାର ସମସ୍ୟାକୁ ନେଇ ବିଜେଡି ବିକ୍ଷୋଭ କରିଛି। ରାଜଭବନ ଘେରାଓ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସରକାରଙ୍କୁ ବିଜେଡି ଆହ୍ୱାନ କରିଛି, ସରକାରଙ୍କ ମନ୍ତ୍ରୀ ଫିଲ୍ଡକୁ ଯାଆନ୍ତୁ। ବାସ୍ତବତା ଦେଖନ୍ତୁ। ସରକାର ଚାଷୀଙ୍କ ପୋଡା ଘାରେ ବାଲି ଦେଉଛନ୍ତି। ଚାଷୀଙ୍କୁ ଆଉ ଅପମାନିତ କରନ୍ତୁନି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଚାଷୀ ସମସ୍ୟାର ସମାଧାନ ଲାଗି ହସ୍ତକ୍ଷେପ ଲୋଡ଼ିଛି। ନବୀନ ବାବୁ ଚାଷୀଙ୍କ ଲାଗି ଯେଉଁ ପଦକ୍ଷେପ ନେଇଥିଲେ, ୧୪ ମାସ ଭିତରେ ବିଜେପି ସରକାର ସବୁ ଯୋଜନାକୁ ନିଷ୍ଫଳ କରିଦେଲେ ବୋଲି ଆରୋପ ଲଦି ଗର୍ଜିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେଡି ଉପସଭାପକି ସଞ୍ଜୟ ଦାସବର୍ମା। ପିସିସି ସଭାପତି କହିଛନ୍ତି, ବିଜେଡି କେବଳ ଲୋକଦେଖାଣିଆ ଆନ୍ଦୋଳନ କରୁଛି। ଆନ୍ତିରକତା ନାହିଁ। ବିଜେପି ସରକାର ସାରର କଳାବଜାରୀ କରିଛନ୍ତି। ସାହ ମହଜୁଦ୍ ଅଛି ବୋଲି କହୁଥିବା ସରକାର କାହିଁକି ଚାଷୀଙ୍କୁ ସାର ଦେଇପାରୁନି। ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ କଂଗ୍ରେସ। ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସାର ମହଜୁଦର ହିସାବ ଦେଇ କହିଛନ୍ତି, ସାରର ଅଭାବ ନାହିଁ। ସରକାରଙ୍କ ପାଖରେ ଆହୁରି ୧ଲକ୍ଷ୮୦ହଜାର ଟନ୍ ସାର ମହଜୁଦ ଅଛି। ଗଲା ବର୍ଷ ଚଳିତମାସ ସୁଦ୍ଧା ୮ଲକ୍ଷ ୫୦ହଜାର ଟନ୍ ସାର ବଣ୍ଟା ଯାଇଥିଲା। ଚଳିତ ବର୍ଷ ୧୦ ଲକ୍ଷ ୮୫ହଜାର ଟନ୍ ସାର ବଣ୍ଟା ସରିଲାଣି। ପର୍ଯ୍ୟାପ୍ତ ସାର ଅଛି। ଆବଶ୍ୟକ ହେଲେ ଆହୁରି ମଗାଇବୁ। ସାର ନାହିଁ ବୋଲି ବିରୋଧୀ ନାରେଟିଭ୍ ତିଆରି କରୁଛନ୍ତି। ଚଳିତ ବର୍ଷ ଅଧିକ ଧାନ ଚାଷ ହୋଇଛି। ଆଗୁଆ ବର୍ଷା ଲାଗି ଶୀଘ୍ର ସାରର ଦରକାର ପଡ଼ିଲା। ଡିଲରଙ୍କ ଉପରେ ତୀକ୍ଷ୍ନ ନଜର ରହିଛି। ସାର କଳାବଜାରୀଙ୍କ ଉପରେ ଆକ୍ସନ ହେଉଛି। ବିଜେଡି ଯେତେ ସୋ ବାଜି କଲେ ବି ଲାଭ ଦେବନି। ସାର ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାକୁ ନେଇ ଯେତିକି ତାତି, ସେତିକି ରାଜନୀତି ଜୋର୍ ଧରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now