ଗୁରୁବାରରୁ ବିଧାନସଭାର ମୌସୁମୀ ଅଧିବେଶନ। ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ। ମହିଳା ସୁରକ୍ଷା, ସାର ସଙ୍କଟ, ଚାଷୀ ଦୁର୍ଦ୍ଦଶା, ଆଇନଶୃଙ୍ଖଳା ଭଳି ପୁଳା ପୁଳା ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ବିରୋଧୀ। ଏହା ସହ ରଥଯାତ୍ରାରେ ବିଶୃଙ୍ଖଳା, ଛାତ୍ରୀ ଆତ୍ମହତ୍ୟା, ପୋଲାଭରମ ବିବାଦ, ମହାନଦୀ ଜଳ ବିବାଦ ଭଳି ଅନେକ ପ୍ରସଙ୍ଗ ବିରୋଧୀଙ୍କ ହାତରେ ରହିଛି। ଆଉ ବିଧାନସଭାରେ ବିଜେଡିର ଆଭିମୁଖ୍ୟ କଅଣ ରହିବ, ଆଜିଠୁ ରାଜରାସ୍ତାରେ ଟ୍ରେଲର ଦେଖାଇସାରିଲାଣି। ମହିଳା ସୁରକ୍ଷା ପ୍ରସଙ୍ଗ ଯେମିତି ଭୁବନେଶ୍ୱର ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ, ପୁରୀ ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଭଳି ଘଟଣାକୁ ଗଣ୍ଠି କରିଛି ବିଜେଡି। ସେଥିଲାଗି ଆଜି ସମସ୍ତ ଏସପିଙ୍କୁ ଦାବିପତ୍ର ଦେଇଛି ବିଜେଡି। ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶାର ସ୍ୱାର୍ଥସକାଶେ ଲଢ଼େଇ ଜାରି ରଖିବ ବୋଲି କହିଛି ବିଜେଡି। ୧୫ ମାସ ସରକାରରେ ସବୁ ବର୍ଗ ହନ୍ତସନ୍ତ। ଗୃହରେ ଆଲୋଚନା କରିବାକୁ ବାଧା ସୃଷ୍ଟି କଲେ ସରକାରଙ୍କୁ କଡ଼ା ଜବାବ ମିଳିବ। ଆଲୋଚନା ଲାଗି ପରିବେଶ ସୃଷ୍ଟି ନ କରି ସବୁ କଥାରେ ବିରୋଧୀଙ୍କ ମୁଣ୍ଡରେ ଅଠା ବୋଲିଲେ ଚଳିବନି। ସେପଟେ ସରକାରଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ। ମୁଖ୍ୟ ବିରୋଧୀ ଦଳ ବିଜେଡି ଇଡି କି ସିବିଆଇ ଭୟରେ ଅନାସ୍ଥା ଆଣିବାକୁ ଡରିଲେ କଂଗ୍ରେସ ଆଣିବ। ସାର ନ ପାଇ ଚାଷୀ ହନ୍ତସନ୍ତ ହେଉଥିଲା ବେଳେ ସରକାରଙ୍କ ବାହାସ୍ପୋଟ ପଦାରେ ପଡ଼ିଛି। ଶାସକ ଦଳ କହିଛି, ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି ବି ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଆଲୋଚନା ଆଳରେ ଗୃହରେ ହଟ୍ଟଗୋଳ କରି ବନ୍ଦ କରିବା, ପଲିଟିକାଲ ଷ୍ଟଣ୍ଟ୍ କଲେ ଜନତା ବିଚାର କରିବେ। ସେପଟେ ଅଧିବେଶନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ବଳୟରେ ରହିବ ବିଧାନସଭା। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ସ୍ଥିତି ଉପରେ ନଜର ରଖିବାକୁ ୧୫୦ ଅଧିକାରୀ ଦାୟିତ୍ୱରେ ଅଛନ୍ତି। ଲୋୟର ପିଏମଜିରେ ୧୪୪ଧାରା ଜାରି ହେବ। ସିସିଟିଭି ସର୍ଭେଲାନ୍ସରେ ବିଧାନସଭା ଓ ତାକୁ ଲାଗିରହିଥିବା ସଂଲଗ୍ନ ସ୍ଥାନକୁ ରଖାଯିବ। ୨୫ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିରେ ରହିଛି ମୋଟ ୭ଟି କାର୍ଯ୍ୟଦିବସ। ଗୋଟିଏ ଦିନ ପ୍ରାଇଭେଟ ମେମ୍ୱର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ’ ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now