ପାର୍ଟ-ପ୍ଲଟ ପଞ୍ଜୀକରଣ : ସମସ୍ୟା କେଉଁଠି ବୁଝିଲେ କି ନାହିଁ ମନ୍ତ୍ରୀ?

ରେରା ଆଳରେ ଖସୁଥିଲେ ସବ-ରେଜିଷ୍ଟ୍ରାର। ରେରା ନିୟମର ଆଳ ଦେଖାଇ ଲୋକଙ୍କୁ କରୁଥିଲେ ହଇରାଣ। ଚାଷ ଜମି ଯଦି ପ୍ଲଟିଂ ଉଦ୍ଦେଶ୍ୟରେ ରେଜିଷ୍ଟ୍ରେସନ ହେଉଥିବ ଆଉ ୫ଶହ ବର୍ଗମିଟର ଉପରେ ହୋଇଥିବ। ତାହେଲେ ରେରାରେ ସିନା ପଞ୍ଜୀକରଣ କରିବାକୁ ବାଧ୍ୟ। ଉନ୍ନୟନ କର୍ତ୍ତୃପକ୍ଷଙ୍କଠୁ ଲେଆଉଟ୍ ଅନୁମତି ଆଣିବାକୁ ପଡ଼ିବ। କିନ୍ତୁ ଗହୀର ମଝିରେ ଥିବା ବିଲ। ଯେଉଁଠିକି ରାସ୍ତାଘାଟ ନାହିଁ। ଦଲିଲରେ ଯେଉଁଠି ସଂପୃକ୍ତ ଜମିକୁ ରାସ୍ତାର କୌଣସି ନକ୍ସା ଦର୍ଶାଯାଇନି। ତାହେଲେ ସେଠାରେ ରେରା ଆସିଲା କେମିତି। ଏତକ ସରଳ କଥାକୁ ଅନେକ ଦିନ ଧରି ଜଟିଳ କରି ରେରା କର୍ତ୍ତୃପକ୍ଷଙ୍କ ବିନା କ୍ଲାରିଫିକେସନରେ ମାତୁଥିଲେ ସବ-ରେଜିଷ୍ଟ୍ରାର। ଓରେରା ଅଧ୍ୟକ୍ଷ ଅସିତ ମହାପାତ୍ର କହିଛନ୍ତି, ଚାଷ ଜମିକୁ ପ୍ଲଟିଂ ସ୍କିମ୍ କରିବାକୁ ହେଲେ ରେରାର ଅନୁମତି ଅନିର୍ବାର୍ଯ୍ୟ। ଉନ୍ନୟନ କର୍ତ୍ତୃପକ୍ଷଙ୍କଠୁ ଲେଆଉଟ୍ ଅନୁମତି ଆଣିବାକୁ ପଡ଼ିବ। କାରଣ ଲେଆଉଟ୍ ଆଣି ପ୍ଲଟିଂ ସ୍କିମ୍ କଲେ ଏକ ସୁନ୍ଦର ପରିବେଶରେ ଲୋକେ ରହିପାରିବେ। ଯେଉଁଠିକି ରାସ୍ତାଘାଟ, ସ୍ୱେରେଜ, ପାଣି ସଂଯୋଗ ଥିବ। ଓପନ ସ୍ପେଶ୍ ଥିବ। କିନ୍ତୁ ଗହୀର ମଝିରେ ଥିବା ଚାଷ ଜମି ଯେଉଁଠିକି କୌଣସି ରାସ୍ତାଘାଟ ନାହିଁ, ଉନ୍ନୟନ କର୍ତ୍ତୃପକ୍ଷ ସେଠାରେ ଲେଆଉଟ୍‌ ଦେଇପାରିବେନି। ସେଠାରେ ରେରା ଆସିବ କେଉଁଠୁ। ରାଜସ୍ୱ ମନ୍ତ୍ରୀ ବି କହୁଛନ୍ତି, ଗଲା ସରକାରରେ ଅକାରଣରେ ରେରାକୁ ଲଦି ଦିଆଯାଉଥିଲା। ନଗର ଉନ୍ନୟନ ବିଭାଗ ବି ପ୍ଲାନିଂ ଆଳରେ ଓଡିଏ ଆକ୍ଟକୁ ବିକୃତ କରୁଥିଲା। ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିଲେ। ନା ସମସ୍ୟା ସମାଧାନର ଆନ୍ତରିକତା ଥିଲା ନା ଏଭଳି ଅନାବଶକୀୟ ଆକ୍ଟ ଓ ଆଇନକୁ ହଟାଇ ସରଳୀକରଣ ଲାଗି ମାନସିକତା ଥିଲା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଆଡ଼ୁ ନଗର ଉନ୍ନୟନ ବିଭାଗ, ରେରା, ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ବସି ଏହାର ସମାଧାନ ଲାଗି ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବହୁ କସରତ ସତ୍ତ୍ୱେ ପାର୍ଟ ଚାଷଜମିର ପଞ୍ଜୀକରଣ ବାବଦରେ ତଥାପି ରହିଯାଇଥିଲା ଅନେକ ଦ୍ୱନ୍ଦ୍ୱ। ନଗର ଉନ୍ନୟନ ବିଭାଗର ନୋଟିଫିକେସନକୁ ଧରି ପାର୍ଟ ଚାଷଜମିର କିଣାବିକାରେ ମୋହର ମାରି ନିଜେ ଅଡ଼ୁଆରେ ପଡ଼ିବାର ଭୟରେ ଘାରିହେଉଥିଲେ ସବ-ରେଜିଷ୍ଟ୍ରାର। ଆଉ ଶେଷରେ ଓଡ଼ିଶା ବିକାଶ ଅଭିଯାନ ଏଭଳି ଦ୍ୱନ୍ଦ୍ୱର ସ୍ପଷ୍ଟତା ମାଗି ସରକାରଙ୍କୁ ଆହ୍ୱାନ କରିଥିଲା ଏହାର ସମାଧାନ ସକାଶେ। ଶେଷରେ ମନ୍ତ୍ରୀ ବି ମାନିଲେ, ଏବେ ବି ଦ୍ୱନ୍ଦ୍ୱ ହଟିନି। ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ସବୁତକ ଦ୍ୱନ୍ଦ୍ୱ ହଟିଲା ବୋଲି ନିଶ୍ଚିତ ଥିଲେ ମନ୍ତ୍ରୀ। କିନ୍ତୁ ଗ୍ରାଉଣ୍ଡ ରିଅଲଟି ଦେଖି ଜଣାପଡ଼ିଲା ଯେ, କ୍ଲାରିଫିକେସନ ଆଳରେ ସମୟ ସିନା ଗଡ଼ିଚାଲିଛି। କିନ୍ତୁ ଲୋକେ ପୂର୍ବଭଳି ହଇରାଣ ହେଉଛନ୍ତି ଓ ସବ-ରେଜିଷ୍ଟ୍ରାର କ୍ଲାରିଫିକେସନ ମାଗି ହାତ ବାନ୍ଧି ବସିଛନ୍ତି। ଏମିତିରେ ଯେଉଁ ଚାଷ ଜମିକୁ ରାସ୍ତାଘାଟ ନାହିଁ। ସେଠାରେ ଲେଆଉଟ୍ ବା ଏନଓସି ଦେଇପାରିବନି ବୋଲି ବିଡିଏ ବି କେବେଠୁ ହାତ ଟେକିସାରିଛି। ଏ ସନ୍ଦର୍ଭରେ ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର, ବାଲିଅନ୍ତା ଓ ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କୁ ଚିଠି କରିସାରିଲେଣି। ସେମାନେ ଏଭଳି ଚାଷଜମିର ପାର୍ଟ କିଣାବିକା ବେଳେ ଆଉ ବିଡିଏର ଏନଓସିକୁ ଚାହିଁ ବସିବେନି। ବଡ଼ କଥା ହେଲା, ସବ-ରେଜିଷ୍ଟ୍ରାର ବିନା ରାଜସ୍ୱ ବିଭାଗ ଏସଓପିରେ କାହିଁକି ରିସ୍କ ନେବେ। କେତେବେଳେ ରେରା ଛାଟ ତ କେତେବେଳେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନାଲିଆଖି। କାହାକୁ ଶୁଣିବେ। ସେଥିଲାଗି ଚାଷ ଜମି ଜଣେ କେତେ ବିକିପାରିବ, ଘରବାରି ଭଳି ୫୩୮୨ ବର୍ଗଫୁଟ ଯାଏ ବିକିପାରିବ ନା ଅଧିକ ବିକିପାରିବ। ଏତକ ରାଜସ୍ୱ ବିଭାଗ ଗାଇଡଲାଇନ ଜାରି କରିଦେଲେ କଥା ସରନ୍ତା। ନା ସସପେଣ୍ଡର ଧମକ ଦେବାକୁ ପଡ଼ିଥାଆନ୍ତା ନା ସମାଧାନ ହେଉନି ବୋଲି ବାରମ୍ୱାର ଲୋକେ ସରକାରଙ୍କ ଉପରେ ଖପ୍ପା ହୋଇଥାଆନ୍ତେ ବୋଲି ପଚାରିଥିଲେ ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ। ଜାରି ରହୁ ପାର୍ଟ-ପ୍ଲଟ ପଞ୍ଜୀକରଣ। କିନ୍ତୁ ଅଧପନ୍ତରିଆ ଭାବେ ନ ହେଉ। ଲୋକଙ୍କ ପାଖରେ ସ୍ପଷ୍ଟତା ରହୁ ଆଉ ଅଫିସରଙ୍କ ପାଖରେ ବି ସ୍ପଷ୍ଟତା ରହୁ। କେହି ରେରା କି ଓଡିଏ ଆକ୍ଟ ଆଳରେ ନିଜକୁ ନିଜେ ଆଇନର ତର୍ଜମା କରି ଲୋକଙ୍କୁ ହଇରାଣରେ ପକାନ୍ତୁନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *