ଆଇପିଏସ ସୁଇସାଇଡ୍- ଜାତିଆଣ ନିର୍ଯାତନା!

ହରିଆଣାର ବରିଷ୍ଠ ଆଇପିଏସ ଓ୍ୱାଇ ପୁରନ କୁମାର ଆତ୍ମହତ୍ୟା ମମଲାରେ ନୂଆ ମୋଡ଼। ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ହଇଚଇ ଖେଳାଇଦେଇଛି। ଜାତି ଆଧାରିତ ଭେଦଭାବ, ମାନସିକ ନିର୍ଯାତନା ଓ ସାର୍ବଜନୀକ ଭାବେ ଦିଆଯାଉଥିଲା ଅପମାନ। ଏଭଳି ଗମ୍ଭୀର ଆରୋପ ଲଦି ତାଙ୍କର ଆଇଏଏସ ପତ୍ନୀ ଅମନିତ ପି କୁମାର ବିଦେଶ ଗସ୍ତରୁ ଆସିବା ମାତ୍ରେ ପୁରନଙ୍କ ଶବ ବ୍ୟବଛେଦକୁ ଅଟକାଇ ଦେଇଛନ୍ତି। ଏହା ସହ ସିଧାସଳଖ ଅଭିଯୁକ୍ତଙ୍କଠୁ ଜବାବ ତଲବ କରିବାକୁ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଆଇଏଏସ ପତ୍ନୀ ଅମନିତ। ଚଣ୍ଡିଗଡ଼ର ସେକ୍ଟର ୧୧ ଥାନାରେ ଡିଜିପି ଓ ରୋହତକ ଏସପିଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ଅମନିତ। ୯ ପୃଷ୍ଠାର ସୁଇସାଇଡ୍ ନୋଟରେ ୧୫ ଜଣ ସେବାରତ ଓ ପୂର୍ବତନ ଆଇଏଏସ-ଆଇପିଏସ ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ ଲଗାଯାଇଛି। ଅକ୍ଟୋବର ୭ରେ ପୁରନ କୁମାର ଚଣ୍ଡିଗଡ଼ରେ ନିଜ ଘର ବେସମେଣ୍ଟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଥିବା ସୁଇସାଇଡ୍ ନୋଟର ଅଷ୍ଟମ ପୃଷ୍ଠାରେ କେମିତି ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କଠୁ ନେଇ ଡିଜିପି ଶତୃଜିତ କପୁରଙ୍କ ଯାଏ, ତାଙ୍କୁ ଜାତିଆଣ ଭେଦଭାବ ରଖି ଅପମାନିତ, ଲାଞ୍ଛିତ କରୁଥିଲେ, ତାହା ଦର୍ଶାଇଛନ୍ତି। ପୁରନ ସୁଇସାଇଡ ନୋଟରେ ଆରୋପ ଲଦିଥିଲେ ଯେ, ତାଙ୍କ ବ୍ୟାଚମେଟ୍ ମନୋଜ ଯାଦବ, ପି.କେ.ଅଗ୍ରଓ୍ୱାଲ ଓ ଟିବି ଏସଏନ ପ୍ରସାଦ ମିଳିମିଶି ତାଙ୍କୁ ଜାତି ଆଧାରିତ ନିର୍ଯାତନା ଦେଉଥିଲେ। ତତ୍କାଳୀନ ଗୃହମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି ଠୋସ୍ ପଦକ୍ଷେପ ନିଆଗଲାନି। କାର୍ଯ୍ୟକ୍ଷେତ୍ରରେ ଅଯଥା ଚାପ ଓ ସେ ଅନୁସୂଚିତ ଜାତିର ହୋଇଥିବାରୁ ଦୀର୍ଘ ବର୍ଷ ହେଲା ନିରନ୍ତର ନିର୍ଯାତନା ଦିଆଯାଉଥିଲା ବୋଲି ମୃତ୍ୟୁ ପୂର୍ବରୁ ଚିଠିରେ ଉଲ୍ଲେଖ କରିଥଲେ ପୁରନ। ହରିଆଣାର ଅତିରିକ୍ତ ଡିଜିପି ଥିଲେ ପୁରନ। ସେପ୍ଟେମ୍ୱର ୨୯ରେ ପୁରନଙ୍କୁ ସୁନାରିଆକୁ ଟ୍ରାନ୍ସଫର କରାଯାଇଥିଲା। ୨୦୦୧ ବ୍ୟାଚର ଆଇପିଏସ ଥିଲେ ପୁରନ। ତାଙ୍କ ପତ୍ନୀ ଅମନିତ ବି ସମାନ ବ୍ୟାଚ୍‌ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *