ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ- ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଆନ୍ଧ୍ରର କୁର୍ନୁଲ ଜିଲ୍ଲାରେ ଏକ ଭଲବୋ ବସ୍ ଦୁର୍ଘଟଣାରେ ଜୀଅନ୍ତା ଜଳିଗଲେ ୨୦ ଯାତ୍ରୀ। ହାଇଦ୍ରାବାଦରୁ ବାଙ୍ଗାଲୋର ଯାଉଥିଲା ବସ୍। ହାଇଦ୍ରାବାଦ- ବେଙ୍ଗାଲୁରୁ ହାଇଓ୍ୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଭୋର ୩ଟାରୁ ୩ଟା୧୦ ଭିତରେ ହୋଇଥିଲା। ବସ୍ ଗୋଟିଏ ବାଇକ୍ ସହ ପିଟିହୋଇଯିବା ପରେ ବସ୍ ତଳେ ବାଇକ୍ ପଶିଯାଇଥିଲା। ଆଉ ବାଇକରୁ ଇନ୍ଧନ ଲିକ୍‌ରୁ ଅଚାନକ ନିଆଁ ଲାଗିଯାଇଥିଲା। ବସରେ ଥିଲେ ମୋଟ୍ ୪୧ ଯାତ୍ରୀ। ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ପରେ ଶବଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ଏଭଳି ଭୀଷଣ ଦୁର୍ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ଥ ରେଡ୍ଡୀ ରେସକ୍ୟୁ ଅପରେସନକୁ ତ୍ୱରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଭୟାନକ ଦୁର୍ଘଟଣା ପରେ ସାର୍ବଜନୀକ ପରିବହନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ରାହୁଲ ଗାନ୍ଧୀ । ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜରୁରୀ। ଏହାର ଉତ୍ତରଦାୟିତ୍ୱ ସ୍ଥିର କରିବା ଜରୁରୀ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସେ ଡ୍ରାଇଭର ସିଟ୍ ପଛ ପାଖରେ ବସିଥିଲେ। ସେ ଅଚାନକ ଝରକା ପାଖରୁ ନିଆଁ ଲାଗିଥିବା ଦେଖି ତୁରନ୍ତ ଡ୍ରାଇଭରକୁ ଜଣାଇଥିଲେ। ଏହାରି ଭିତରେ ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ବହୁ କଷ୍ଟରେ ୨୧ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ବାକି ୨୦ ଲୋକଙ୍କୁ ରକ୍ଷା କରାଯାଇପାରିଲାନି। ବସରେ ନିଆଁ ଲାଗିବା ପରେ ନେଲୋର ଜିଲ୍ଲାର ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଲୋକେ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଶବ ଚିହ୍ନଟ ଲାଗି ଡିଏନଏ ପରୀକ୍ଷା ହେବ। ଫରେନସିକ ଟିମ ଓ ଡାକ୍ତରୀ ଟିମ୍ ପୁରା ପ୍ରକ୍ରିୟାକୁ ସାରିବାକୁ ଲାଗିଥିଲେ। ବସ୍ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ୧୯ ଯାତ୍ରୀଙ୍କ ସମେତ ୨ ପିଲା। ମୃତକଙ୍କ ଭିତରେ ବାଇକ୍ ଆରୋହୀ ବି ଅଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ୨୦ ଯାତ୍ରୀ। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାର ବ୍ୟବସ୍ଥା ହୋଇଛି। ଶବ ଚିହ୍ନଟ ସହ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର ଲାଗି ପ୍ରକ୍ରିୟା ଜାରିରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *