ବଲିଉଡର ହିମ୍ୟାନ ତଥା ବୀରୁ- ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କାଲିଠୁ ଭାଣ୍ଡିଆ ହେଲାଣି ଗଣମାଧ୍ୟମ। କାଲି ଧର୍ମେନ୍ଦ୍ର ଭେଣ୍ଟିଲେଟରରେ ଥିଲେ ବୋଲି ଖବର ପ୍ରଚାରିତ ହୋଇଥିଲା। ଆଉ ଆଜି ସକାଳୁ ତାଙ୍କ ପରଲୋକ ଘଟିଛି ବୋଲି ଖବର ବିଜୁଳି ବେଗରେ ଖେଳିଯାଇଥିଲା। ଧର୍ମେନ୍ଦ୍ରଙ୍କୁ ନେଇ ଏ ଖବର ପ୍ରଚାରିତ ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ନିଜର ଏକ୍ସ ହ୍ୟାଣ୍ଡେଲରେ ବି ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁମ୍ୱାଇର ବ୍ରିଚକାଣ୍ଡି ହସ୍ପିଟାଲକୁ ଅଭିନେତା, ଅଭିନେତ୍ରୀଙ୍କ ସୁଅ ଛୁଟିଥିଲା। ହେଲେ ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି। ସେ ଧୀରେ ଧୀରେ ରିକଭରି ହେଉଥିବା କହିଛନ୍ତି ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ। ଜଲଦି ଖବର ଦେବା ଚକ୍କରରେ ମିଡିଆ ଅନ୍ତତଃ ଏଭଳି ଭୁଲ୍ ଖବର ନ ଦେଉ। ଆଉ ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ମିଛ ଓ ଗୁଜବ ଖବର ପ୍ରଚାରିତକୁ ନେଇ ବର୍ଷିଥିଲେ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ହେମାମାଳିନୀ। ଧର୍ମେନ୍ଦ୍ରଙ୍କୁ ନେଇ ଯେଭଳି ଖବର ପ୍ରସାରିତ ହୋଇଛି, ତାହା ଅକ୍ଷମଣୀୟ। ଦାୟିତ୍ୱସମ୍ପନ୍ନ ନ୍ୟୁଜ୍ ଚାନେଲ ଗୁଡ଼ିକ ଜଣେ ଜୀବିତ ବ୍ୟକ୍ତି ବାବଦରେ ଏଭଳି ମିଛ ଖବର କେମିତି ପ୍ରଚାରିତ କରିପାରୁଛନ୍ତି। ଯିଏ ଚିକିତ୍ସାଧୀନ ଅବସ୍ଥାରେ ଜବାବ ଦେଉଛନ୍ତି ଓ ତାଙ୍କ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି। ଏହା ବଡ଼ ଅପମାନଜନକ ଓ ଦାୟିତ୍ୱବିହୀନ କାରନାମା ଅଟେ। ପରିବାର ଓ ଧର୍ମେନ୍ଦ୍ରଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ଅପିଲ୍ କରିଛନ୍ତି ହେମାମାଳିନୀ। ହସ୍ପିଟାଲ ବାହାରେ ଧର୍ମେନ୍ଦ୍ରଙ୍କ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ଦେଖି ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଅନେକ ବଲିଉଡ୍ ଅଭିନେତାଙ୍କ ହସ୍ପିଟାଲକୁ ସୁଅ ଛୁଟିଛି। ଧର୍ମେନ୍ଦ୍ର ଜଲଦି ସୁସ୍ଥ ହୋଇଯାଆନ୍ତୁ। ଫ୍ୟାନ୍ସ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି ହେମା। ହସ୍ପିଟାଲରେ ଦୁଇ ପୁଅ ସନି, ବବି ଦେଓଲ, ପୁତୁରା ଅଭୟ ଦେଓଲ ପ୍ରମୁଖ ତାଙ୍କ ପାଖରେ ରହିଛନ୍ତି। ହସ୍ପିଟାଲରେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ସଲମାନ, ଶାହାରୁଖ ଓ ଗୋବିନ୍ଦା, ରୀତେଶ, ଜେନେଲିଆ, ଅମିଷା ପଟେଲଙ୍କ ଭଳି ଅଭିନେତା ହସ୍ପିଟାଲ ଯାଇଥିଲେ। ଏହା ସହ ଅନେକ ବଲିଉଡ୍ ଆକ୍ଟର ଆକଟ୍ରେସ ବି ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ଯାଇଛନ୍ତି। ୧୯୬୦ ଦଶକରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଧର୍ମେନ୍ଦ୍ର। ଅଭିନୟ ଛଡ଼ା ଅନେକ ଫିଲ୍ମକୁ ବି ପ୍ରଡ୍ୟୁସ୍ କରିଛନ୍ତି। ୮୯ ବର୍ଷୀୟ ଧର୍ମେନ୍ଦ୍ର ଗଲା ୧୧ ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଆଜି ସକାଳୁ ସୋସିଆଲ ମିଡିଆରେ ତାଙ୍କ ନିଧନ ନେଇ ଖବର ସବୁଠି ହଇଚଇ ଖେଳାଇ ଦେଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now