ବିହାରରେ ପଡ଼ିଲା ଅନ୍ତିମ ପର୍ଯ୍ୟାୟ ଭୋଟ୍। ୨୦ ଜିଲ୍ଲାର ୧୨୨ ଆସନରେ ଲଢ଼ୁଥିବା ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ଦ୍ୱିତୀୟ ପର୍ଯ୍ୟାୟରେ ୪୫ହଜାର୩୯୯ ମତଦାନ କେନ୍ଦ୍ରରେ ୩ କୋଟି ୭୦ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି। ସକାଳ ୫ଟାରୁ ୬ଟା ଯାଏ ମକ୍ ପୋଲିଂ ପରେ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ଭୋଟରଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଥିଲା। ସବୁଠି ପୁଲିସର କଡ଼ା ପ୍ରହରା ଥିଲା। ବିଭିନ୍ନ ଛକରେ ଚେକିଂ ପଏଣ୍ଟ କରି ପୁଲିସ ସନ୍ଦିଗ୍ଧ ଗତିବିଧିକୁ ନଜର ରଖିଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ପୁରା ବ୍ୟବସ୍ଥାକୁ ମନିଟରିଂ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ସମାନ ଉତ୍ସାହ ପରିଲକ୍ଷିତ ହୋଇଥିଲା। କାରଣ ଦିନ ୧୧ଟା ସୁଦ୍ଧା ୩୧.୩୮ ପ୍ରତିଶତ ମତଦାନ ହୋଇଥିଲା। ଆଉ ଅପରାହ୍ନ ୩ଟା ବେଳକୁ ୨୦୨୦ର ରେକର୍ଡ ଭାଙ୍ଗିଦେଇଥିଲେ ଭୋଟର। ଅପରାହ୍ନ ୩ଟା ସୁଦ୍ଧା ୬୦.୪୦ ପ୍ରତିଶତ ମତଦାନ ହୋଇଥିଲା। ସବୁଠୁ ଅଧିକ ମତଦାନ କିଶାନଗଞ୍ଜରେ ୬୬.୧୦ ପ୍ରତିଶତ ଓ ସବୁଠୁ କମ୍ ମତଦାନ ନଓ୍ୱାଦାରେ ୫୩.୧୭ ପ୍ରତିଶତ ପଡ଼ିଥିଲା। ଏହି ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିଓ୍ୱେଟଙ୍କ ଭାଗ୍ୟକୁ ଇଭିଏମରେ ସିଲ୍ କରିଦେଇଛନ୍ତି ଭୋଟର। ଅନେକ ବଡ଼ ନେତାଙ୍କ ପ୍ରତିଷ୍ଠା ବାଜିରେ ଲାଗିଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ, ରେଣୁ ଦେବୀ, ମନ୍ତ୍ରୀ ବିଜେନ୍ଦ୍ର ଯାଦବ, ପିସିସି ସଭାପତି ରାଜେଶ ରାମ, ଏଲଜେପି(ଆର)ର ପ୍ରଦେଶ ଅଧ୍ୟକ୍ଷ ରାଜୁ ତିଓ୍ୱାରୀ, ଆରଏଲଏମର ଉପେନ୍ଦ୍ର କୁଶଓ୍ୱାହାଙ୍କ ପତ୍ନୀ ସ୍ନେହଲତା କୁଶଓ୍ୱାହା, କଂଗ୍ରେସ ବିଧାୟକ ଦଳ ନେତା ଶକିଲ ଅହମ୍ମଦ ଖାନ ଓ ସିପିଆଇ ବିଧାୟକ ଦଳ ନେତା ମହବୁବ ଆଲମଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ଓଓ୍ୱେସିଙ୍କ ଦଳ ଏହି ପର୍ଯ୍ୟାୟରେ ୨୧ ଆସନ ଓ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ଦଳ ୧୨୦ ଆସନରେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲା। ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି, ପୂର୍ଣ୍ଣିଆର ଅନେକ ବୁଥରେ ଗଡ଼ବଡ଼ି ହୋଇଛି। ଭୋଟ ଚୋରୀ ପାଇଁ ଇଭିଏମରେ ଗଡ଼ବଡ଼ି କରାଯାଇଥିବାର ଆରୋପ ଲଦିଥିଲେ ପପୁ ଯାଦବ। ପୂର୍ବତନ ମନ୍ତ୍ରୀ ସୟେଦ ସାହାନାଓ୍ୱାଜ ହୁସେନ ପରିବାର ସହ ନିଜର ମତସାବ୍ୟସ୍ତ କରିଛନ୍ତି। ଲୋକେ ବିକାଶ ସାଥିରେ ରହିବେ ଆଉ ଜଙ୍ଗଲରାଜକୁ ଆଉ ଥରେ ଆଣିବାକୁ ଦେବେନି ବୋଲି ମନସ୍ଥ କରିସାରିଛନ୍ତି ବୋଲି କହିଛି ବିଜେପି। ଜଙ୍ଗଲରାଜ ନୁହେଁ, ମଙ୍ଗଲରାଜ ଦରକାର ବୋଲି କହିଛନ୍ତି ରେଣୁ ଦେବୀ। ବିହାରବାସୀ ଜଙ୍ଗଲରାଜ ପାର୍ଟ-ଟୁ ଆଣିବାକୁ ଦେବେନି। ଜାତିବାଦ କି ପରିବାରବାଦ ରାଜନୀତି ନୁହେଁ, ବରଂ ବିକାଶ ଓ ରୋଜଗାର ଚାହାନ୍ତି ବିହାରବାସୀ। ବିଜେପି ନେତା ସଞ୍ଜୟ ଜୟସଓ୍ୱାଲ ନିଜର ମତସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ରେକର୍ଡ ମତଦାନ କରି ବିହାରର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ ବିହାରବାସୀ ବୋଲି ଅପିଲ୍ କରିଥିଲେ ସଞ୍ଜୟ। କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝୀ କହିଛନ୍ତି, ଏନଡିଏ ସପକ୍ଷରେ ଲହର ଜାରି ରହିଛି। ବିହାର ବିକାଶ ପାଇଁ ଏନଡିଏକୁ ଶାସନକୁ ଆଣିବା ଜରୁରୀ। ଅତରି ବିଧାନସଭାରେ ଦୁଇ ହାମ୍ କର୍ମୀଙ୍କୁ ଆରଜେଡି କର୍ମୀ ମାଡ଼ ମାରିଥିବାର ଅଭିଯୋଗ କରିଛନ୍ତି ଜିତନ। ଉପେନ୍ଦ୍ର କୁଶଓ୍ୱାହା କହିଛନ୍ତି, ଚାରିଆଡ଼େ କେବଳ ଏନଡିଏର ଲହର। ଜନସୁରାଜ ଦଳର ସୁପ୍ରିମୋ ପ୍ରଶାନ୍ତ କିଶୋର କହିଛନ୍ତି, ବିହାରରେ ପରିବର୍ତ୍ତନ ପାଇଁ ରେକର୍ଡ ଭୋଟିଂ ଜରୁରୀ। ପିଲାଙ୍କ ଶିକ୍ଷା ଓ ଯୁବକଙ୍କୁ ରୋଜଗାର ଲାଗି ଜନତା ଭୋଟ୍ କରିବା ଦରକାର। କଂଗ୍ରେସ କହିଛି, ୨୦ ବର୍ଷ ଧରି ବିହାରରେ ଥିବା ସରକାରକୁ ଜନତା ଦେଖିସାରିଲେଣି। କୌଣସି କାମ ହେଲାନି। ମହାଗଠବନ୍ଧନ ଜିତିଲେ ବିହାର ବିକାଶର ଗାଡ଼ି ଦୌଡ଼ିବ। ଆରଜେଡି କହିଛି, ବିହାର ଜନତା ମନସ୍ଥିର କରିସାରିଲେଣି। ଭୋଟଚୋରୀ, ସାମ୍ପ୍ରଦାୟିକ ଭେଦଭାବ, ଦୁର୍ନୀତିକୁ ହଟାଇ ସମସ୍ତଙ୍କୁ ନେଇ ବିକାଶ କରିବାର ରାସ୍ତାରେ ବିହାରକୁ ନେବାକୁ ମହାଗଠବନ୍ଧନକୁ ସୁଯୋଗ ଦେବେ। ୨୦୨୦ ବିଧାନସଭା ନିର୍ବାଚନରେ ଏହି ୧୨୨ ଆସନରୁ ଆରଜେଡି ୩୩, ବିଜେପି ୪୨, ଜେଡିୟୁ ୨୦, କଂଗ୍ରେସ ୧୧, ସିପିଆଇ(ଏମଏଲ) ୫, ଏଆଇଏମଆଇଏଣ ୫, ହାମ୍ ୪, ବସପା ଗୋଟିଏ ସିଟ୍ ଜିତିଥିଲା। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଦିବ୍ୟାଙ୍ଗଙ୍କଠୁ ନେଇ ବୟସ୍କଙ୍କ ଯାଏଁ। ଭୋଟ ଦେବାକୁ ଅଭୂତପୂର୍ବ ଉତ୍ସାହ ବାରି ହୋଇପଡ଼ୁଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now