ବିସ୍ଫୋରଣରେ ଦିଲ୍ଲୀ ଥରିବା ପରେ ସାରା ଦେଶରେ ହାଇଆଲର୍ଟ କରାଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ କାରରେ ଅତ୍ୟନ୍ତ ଶକ୍ତିଶାଳୀ ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଛି। ସୋମବାର ସଂଧ୍ୟାରେ ଏହି ଭୟଙ୍କର ବିସ୍ଫୋରଣ ପରେ ଓଡ଼ିଶାର ୧୧ ସମ୍ୱେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ସମସ୍ତ ରେଳ ଷ୍ଟେସନ, ବିମାନବନ୍ଦର ଓ ୧୧ଟି ସମ୍ୱେଦନଶୀଳ ପ୍ରତିଷ୍ଠାନକୁ ହାଇଆଲର୍ଟରେ ରଖାଯାଇଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ବାଲେଶ୍ୱରର ଚାନ୍ଦିପୁର ଆଇଟିଆର, ଭଦ୍ରକର ଅବଦ୍ଦୁଲ କଲାମ ଦ୍ୱୀପ, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ପାରାଦୀପ ବନ୍ଦର, ଗଞ୍ଜାମର ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ୍, ଇଫକୋ, ଆଇଓସିଏଲ, ସୁନାବେଡ଼ା ମିଗ୍ ବିମାନ ଫ୍ୟାକଟ୍ରି ଭଳି ସମ୍ୱେଦନଶୀଳ ଅଞ୍ଚଳ ପ୍ରତି ବିପଦ ଥିବା ଆଶଙ୍କା କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ସିଆଇଏସଏଫକୁ ସକ୍ରିୟ ରହିବାକୁ କୁହାଯାଇଛି। ଡିଜି କହିଛନ୍ତି, ସମସ୍ତ ଜିଲ୍ଲା ଏସପିଙ୍କୁ ଆଲର୍ଟ କରାଯାଇଛି। ଯଦି କୌଣସି ସ୍ଥାନରେ ସନ୍ଦେହଜନକ ବସ୍ତୁ କିମ୍ୱା ସନ୍ଦିଗ୍ଧ ନଜରକୁ ଆସନ୍ତି, ତୁରନ୍ତ ସ୍ଥାନୀୟ ପୁଲିସକୁ ୧୧୨ରେ ଡାଏଲ କରି ଜଣାଇବାକୁ କୁହାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଏସପି। ବମ୍ ସ୍କ୍ୱାର୍ଡ ସହ ସ୍ୱତନ୍ତ୍ର କମାଣ୍ଡୋ ବଡ଼ଦାଣ୍ଡରେ ମାର୍ଚ୍ଚ କରିଛନ୍ତି।କଟକରେ ବାଲିଯାତ୍ରା ଚାଲିଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦେଖି ପ୍ରମୁଖ ଓ ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷାକୁ ବଢ଼ାଇଦିଆଯାଇଛି। କୌଣସି ଅଘଟଣକୁ ଏଡ଼ାଇବାକୁ ତୀକ୍ଷ୍ନ ନଜର ରଖାଯାଇଛି। କଟକ ରେଲଓ୍ୱେ ଷ୍ଟେସୱନରେ ରେଳବାଇ ପୁଲିସ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ କରାଯାଇଛି। ଆଇନମନ୍ତ୍ରୀ କହିଛନ୍ତି, ସମସ୍ତ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବଢ଼ାଯାଇଛି। ସମସ୍ତ ପର୍ଯ୍ୟଟନସ୍ଥଳୀ ଓ ସ୍ଥପତି ନିକଟରେ ସ୍ଥାନୀୟ ଜିଲ୍ଲାପ୍ରଶାସନ ସହଯୋଗେରେ ସୁରକ୍ଷା ବଢ଼ାଇବା ସହ ଚେକିଂକୁ ଜୋରଦାର କରାଯାଇଛି।କିଛି ଦୁର୍ବୃତ୍ତ ଭାରତର ଅଖଣ୍ତତା ନଷ୍ଟ ଲାଗି ଏଭଳି କାଣ୍ଡ ଭିଆଉଛନ୍ତି। ଓଡ଼ିଶା ଉପରେ ବିପଦ ନାହିଁ। ସମସ୍ତ ବିପତ୍ତିର ମୁକାବିଲା ଲାଗି ସରକାର ପ୍ରସ୍ତୁତ।ସମସ୍ତ ସମ୍ୱେଦନଶୀଳ ଅଞ୍ଚଳକୁ ନଜର ରଖାଯାଇଛି। ସନ୍ଦିଗ୍ଧ ଗତିବିଧି ଓ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ଅବଗତ କରାଇବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now