ଶ୍ରୀନଗରର ନୌଉଗାଁ ଥାନା ଭିତରେ ବଡ଼ ଧରଣର ବିସ୍ଫୋରଣ। ଏଥିରେ ୯ଜଣଙ୍କ ମୃତ୍ୟୁ ହେବା ସହ ୨୭ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ଫରେନସିକ୍ ଅଧିକାରୀ ଓ ପୁଲିସ ଅଛନ୍ତି। ଫରିଦାବାଦରୁ ଜବତ ହୋଇଥିବା ବିସ୍ଫୋଟକ ଥାନା ଭିତରେ ବ୍ଲାଷ୍ଟ କରିଯାଇଛି। ଶୁକ୍ରବାର ବିଳମ୍ୱିତ ରାତିରେ ଏଭଳି ଅଘଟଣ ଘଟିଛି। ଆମ୍ୱୁଲାନ୍ସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ସହ ଆହତଙ୍କୁ ହସ୍ପିଟାଲ ନେଇଥିଲା। ଫରିଦାବାଦ ଟେରର ମଡ୍ୟୁଲରୁ ରିକଭର ହୋଇଥିବା ବିସ୍ଫୋଟକକୁ ଏହି ଥାନାରେ ରଖାଯାଇଥିଲା। ଫରିଦାବାଦରୁ ଜବତ ବିସ୍ଫୋଟକ ଜମ୍ମୁକଶ୍ମୀରର ଏହି ଥାନାକୁ ହସ୍ତାନ୍ତର ବେଳେ ଏଭଳି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଥାନା ସହ ଆଖପାଖରେ ଥିବା ଅନେକ ଘର ଧ୍ୱସ୍ତ ହୋଇଯାଇଛି। ଆଖପାଖରେ ଥିବା ଅନେକ ଗାଡ଼ି ପୋଡିଯାଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଗୋଟିଏ କିଲୋମିଟର ଯାଏଁ ଏହାର ଶବ୍ଦ ଥରାଇ ଦେଇଥିଲା। ଡିଜିପି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଯେ, ଏହା ଏକ ଅଘଟଣ। ସାମ୍ପୁଲ ନେବା ବେଳେ ବ୍ଲାଷ୍ଟ ହୋଇଥିଲା। ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଜମ୍ମୁକଶ୍ମୀର ଡିଜିପି ନଳିନୀ ପ୍ରଭାତ। ଗୃହ ମନ୍ତ୍ରାଳୟ କହିଛି, କେମିତି ବିସ୍ଫୋରଣ ହେଲା, ତାହାର ତଦନ୍ତ ଜାରି ରହିଛି। ଶୁକ୍ରବାର ୧୧ଟା ୨୦ ମିନିଟରେ ଘଟିଥିଲା ଏହି ଦୁର୍ଭାଗ୍ୟଜନକ ଘଟଣା। ଜବତ ବିସ୍ଫୋରକ ସାମଗ୍ରୀକୁ ନୌଉଗାଁ ଥାନା ପରିସରରେ ଏକ ଖୋଲା ଜାଗାରେ ସୁରକ୍ଷିତ ଭାବେ ରଖାଯାଇଥିଲା। କିନ୍ତୁ ତଦନ୍ତ ଏଜେନ୍ସି ଏହାର ନମୂନା ପରୀକ୍ଷା ଲାଗି ପଠାଇବାକୁ ପ୍ରସ୍ତୁତ ହେଉଥିଲା ବେଳେ ଅଚାନକ ଏହା ବିସ୍ଫୋରଣ କରିଥିଲା। ୯ଜଣଙ୍କ ମୃତ୍ୟୁ ସହ ୨୭ ପୁଲିସ କର୍ମୀ, ୨ ରାଜସ୍ୱ ଅଧିକାରୀ ଓ ୩ ସାଧାରଣ ନାଗରିକ ଗମ୍ଭୀର ଆହତ ହୋଇଛନ୍ତି। ପୁଲିସ ଷ୍ଟେସନର ବିପୁଳ କ୍ଷତି ହୋଇଛି। ଆଖପାଖ ଘର ବି କ୍ଷତିଗ୍ରସ୍ତ ହୋଇଛି। ତେବେ ଏହାକୁ ନେଇ ଅନ୍ୟାନ୍ୟ ଆକଳନ ଠିକ୍ ନୁହେଁ। ମାନବୀୟ ତୃଟି ନା ଆତଙ୍କି ଆକ୍ରମଣ। ଏହାକୁ ନେଇ ଆକଳନ ଭିତରେ ପୁଲିସ ସ୍ପଷ୍ଟ କରିଦେଇଛି, ଏହା କୌଣସି ଷଡ଼ଯନ୍ତ୍ରର ଅଂଶବିଶେଷ ନୁହେଁ। କେବଳ ଏକ ଅଘଟଣ।
Naxatra News is now on Whatsapp
Join and get latest news update delivered to you via whatsapp
Join Now