ବିହାରରେ ଏଥର ୮୯ ଆସନରେ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହେଲା ବିଜେପି। ନୀତିଶଙ୍କ ଜେଡିୟୁ ୮୫, ଚିରାଗ ପାଶଓ୍ୱାନଙ୍କ ଏଲଜେପି(ଆର) ୧୯, ଜିତନଙ୍କ ହାମ୍ ୫ ଓ ଉପେନ୍ଦ୍ର କୁଶଓ୍ୱାହାଙ୍କ ଆରଏଲଏମ ୪ଟି ଆସନ ଦଖଲ କରିଛି। ମହାଗଠବନ୍ଧନ ମାତ୍ର ୩୪ ଆସନରେ ହାମୁଡ଼େଇପଡ଼ିଲା। ଆରଜେଡି ୨୫, କଂଗ୍ରେସ ୬, ସିପିଆଇ(ଏମଏଲ) ୨, ସିପିଆଇଏମକୁ ଗୋଟିଏ ଆସନ ମିଳିଛି। ଅସାଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ଦଳ ୫ଟି ଆସନ ଦଖଲ କରି ପୁଣି ଦବଦବା ଜାହିର କଲା। ତେବେ ଏନଡିଏର ବିପୁଳ ବିଜୟ ପରେ ମହାମେଣ୍ଟକୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ବିହାରକୁ ଆଉ ଜଙ୍ଗଲରାଜ ଫେରିବନି। କଂଗ୍ରେସ ଏକ ପରଜୀବି ଦଳ ଓ ଏହି ଦଳ ଭିତରେ ଆଗକୁ ବହୁ ବଡ଼ ବିଭାଜନ ହେବାକୁ ଯାଉଛି ବୋଲି ଭବିଷ୍ୟବାଣୀ କରିଛନ୍ତି ମୋଦି। ଆଜି କଂଗ୍ରେସ ଏମଏମସି ପାର୍ଟି ହୋଇଯାଇଛି। ମୁସଲିମ ଲିଗ୍- ମାଓବାଦୀ କଂଗ୍ରେସ ସାଜିସାରିଛି। କଂଗ୍ରେସକୁ ନେଗେଟିଭ ପଲିଟିକ୍ସ ଆଡ଼କୁ ରାହୁଲ ନେଇକି ଯାଉଛନ୍ତି। କଂଗ୍ରେସର ସହଯୋଗୀ ଦଳ ବି ଏହାକୁ ବୁଝିଲେଣି। ସମସ୍ତଙ୍କୁ ଏକାସାଙ୍ଗରେ ବୁଡ଼ାଇବାକୁ ବସିଛି। ତୁଷ୍ଟିକରଣର ଯୁଗ ଶେଷ ହୋଇଛି। ତେବେ ବିଦ୍ରୋହୀଙ୍କୁ ବିଦା କରିବାର ପର୍ବ ଆରମ୍ଭ କରିଛି ବିଜେପି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି। ଦଳବିରୋଧୀ ଗତିବିଧି ଲାଗି ଆରକେ ଙ୍କୁ ନୋଟିସ କରି କାହିଁକି ବହିଷ୍କାର କରାଯିବନି ବୋଲି ପଚାରିଛି ବିଜେପି। ଏହା ସହ ବିଧାନ ପରିଷଦ ସଦସ୍ୟ ଅଶୋକ ଅଗ୍ରଓ୍ୱାଲ ଓ ତାଙ୍କ ପତ୍ନୀ କଟିହାର ମେୟର ଉଷା ଅଗ୍ରଓ୍ୱାଲଙ୍କୁ ବି ନିଲମ୍ୱନ ସହ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିହାର ନିର୍ବାଚନ ବେଳେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ଆସନରୁ ଭୋଟ୍ ନ ଦେବାକୁ ଅପିଲ୍ କରିଥିଲେ ଆରକେ ସିଂ। ଏହା ବ୍ୟତୀତ ଶାହାବାଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ନିର୍ବାଚନୀ ରାଲିରେ ତାଙ୍କୁ ଦେଖିବାକୁ ମିଳିନଥିଲା। ସେପଟେ ନୀତିଶଙ୍କ ସହ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ। କାରଣ ବିଜେପି ଏଥର ବଡ଼ ଦଳ ଭାବେ ଉଭା ହୋଇଛି। ଏଲଜେପି(ଆର)ର ବିଧାୟକଙ୍କୁ ନେଇ ନୀତିଶଙ୍କୁ ଭେଟିଛନ୍ତି ଚିରାଗ ପାଶଓ୍ୱାନ। ଚିରାଗଙ୍କ ଦଳକୁ ବି ନୀତିଶ ସରକାରରେ ସ୍ଥାନ ମିଳିବ ବୋଲି ସଙ୍କେତ ମିଳିସାରିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଦ୍ୱନ୍ଦ୍ୱ ବି ଅସ୍ପଷ୍ଟତା ନାହିଁ ବୋଲି କହିଛି ଜେଡିୟୁ। କେନ୍ଦ୍ରମନ୍ତ୍ରୀ ଲଲନ ସିଂ କହିଛନ୍ତି, ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସ୍ପଷ୍ଟତା ଆସିନି ଏଯାଏଁ। ସନ୍ତୋଷ ସୁମନ ନୀତିଶଙ୍କୁ ଭେଟିଛନ୍ତି। ଏନଡିଏ ସରକାରରେ ସମ୍ଭାବ୍ୟ ମନ୍ତ୍ରୀ ପଦ, ବିଭାଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ କଂଗ୍ରେସର ବଡ଼ ହାରକୁ ନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ମାନସମନ୍ଥନ ହୋଇଛି। ବୈଠକରେ ରାହୁଲ ଗାନ୍ଧୀ, ସଂଗଠନ ମହାସଚିବ କେସି ବେନୁଗୋପାଳଙ୍କ ସହ ଅଜୟ ମାକେନ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନୀ ପରିଣାମର ସମୀକ୍ଷା, ସଂଗଠନରେ ଦୁର୍ବଳତା ଉପରେ ଚର୍ଚ୍ଚା ସହ ଆଗକୁ କେଉଁ ରଣନୀତି କରାଯିବ, ବିଚାରବିମର୍ଶ ହୋଇଛି। ରାହୁଲ ବି ଟ୍ୱିଟ୍ କରିଛନ୍ତି, ଏଭଳି ପରିଣାମକୁ ନେଇ ସେ ଆଶ୍ଚର୍ଯ୍ୟ। ମହାମେଣ୍ଟ ଏମିତି ଏକ ନିର୍ବାଚନ ହାରିଲା, ଯେଉଁଠି ଆରମ୍ଭରୁ ନିରପେକ୍ଷତା ନଥିଲା। ଏହି ଲଢ଼େଇ ସମ୍ୱିଧାନ ଓ ଲୋକତନ୍ତ୍ରର ରକ୍ଷା ଲାଗି ଉଦ୍ଦିଷ୍ଟ ଥିଲା। କଂଗ୍ରେସ ଓ ମହାମେଣ୍ଟ ଏହି ପରିଣାମକୁ ନେଇ ଗମ୍ଭୀରତାର ସହ ସମୀକ୍ଷା କରିବ। ଖଡ଼ଗେ କହିଛନ୍ତି, କାର୍ଯ୍ୟକର୍ତ୍ତା ହତୋତ୍ସାହିତ ହୁଅନ୍ତୁନି। ଜନତାଙ୍କ ଗହଣରେ ରହି ନିଷ୍ଠା, ସାହାସ ଓ ସତର ଲଢ଼େଇ ଲଢ଼ିବା। ଏହି ରେଜଲ୍ଟ ଅପ୍ରତ୍ୟାଶିତ। ମେଣ୍ଟ ସହଯୋଗୀ ଦଳ ସହ କଥା ହୋଇଛି କଂଗ୍ରେସ। ଏହାର ବ୍ୟାପକ ଗଡ଼ବଡ଼ି ହୋଇଛି। ୯୦ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ କେମିତି ହେଲା। ପୁରା ନିର୍ବାଚନ ପ୍ରକ୍ରିୟା ପ୍ରଶ୍ନବାଚୀରେ। ନିର୍ବାଚନ କମିଶନଙ୍କ କାମ ଏକପାଖିଆ। ନିର୍ବାଚନମଣ୍ଡଳୀର ତଥ୍ୟ ପ୍ରମାଣକୁ ଧରି ଲଢ଼ିବ କଂଗ୍ରେସ। ହାଇଦ୍ରାବାଦର କଂଗ୍ରେସ ନେତା ଜଗା ରେଡୀ କହିଲେଣି, ବିହାର ରେଜଲ୍ଟକୁ ନେଇ ଭାଙ୍ଗିଲେ ଚଳିବନି। ରାହୁଲ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ। ବିହାରରେ ଦୁର୍ଗ ଭାଙ୍ଗିବା ପରେ ଆରଜେଡି କହିଛି, ରାଜନୀତିରେ ଉତଥାନ ପତ୍ତନ ଅପରିହାର୍ଯ୍ୟ। ହାରିବାରେ ଦୁଃଖ ନାହିଁ ବି ବିଜୟରେ ଅହଙ୍କାର ଦେଖାଇବାର ନାହିଁ। ଆରଜେଡି ଗରିବଙ୍କ ଦଳ। ବିହାରବାସୀଙ୍କ ସ୍ୱାର୍ଥ ଲାଗି ଆରଜେଡି ନିରନ୍ତର ସ୍ୱର ଉଠାଇବ। ଭିଆଇପିର ମୁକେଶ ସହନୀ କହିଛନ୍ତି, ଏଭଳି ରେଜଲ୍ଚ ଆସିବ ବୋଲି କଳ୍ପନା କରିନଥିଲୁ। କାହିଁକି ଏଭଳି ଆସନ କମିଲା, ତାହାର ସମୀକ୍ଷା କରାଯିବ। ଏଥର ମହାମେଣ୍ଟ ଅଧିକ ଭୋଟ ପାଇଲା ସତ, କିନ୍ତୁ ଆସନ ଦଖଲ କରିପାରିଲାନି। ବିହାରରେ ବିପୁଳ ଜନାଦେଶ ପାଇ ସରକାର ଗଠନରେ ଲାଗିଛି ଏନଡିଏ। ଆଉ ଏଭଳି ରେଜଲ୍ଚ ଦେଖି ତାଜୁବ୍ ମହାଗଠବନ୍ଧନ ନିର୍ବାଚନମଣ୍ଡଳୀ ଓ୍ୱାରୀ ଭୋଟର ତାଲିକା ବାହାର କରି ଆଇନଗତ ଲଢେଇ ଲାଗି ପ୍ରସ୍ତୁତ ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now