ବାଂଲାଦେଶରେ ବ୍ୟାପକ ହିଂସା। ରାଜନୈତିକ ଉତ୍ତେଜନା ଚରମସୀମାରେ। ଆଇସିଟି ବା ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ ରାୟ ଆସିବା ପୂର୍ବରୁ ପରିସ୍ଥିତି ବିଗିଡ଼ିଯାଇଥିଲା। ଶେଖ୍ ହାସିନାଙ୍କ ଆଓ୍ୱାମୀ ଲିଗ୍ ପାର୍ଟି ପୁରା ବାଂଲାଦେଶ ବନ୍ଦର ଡାକରା ଦେଇଛି। ହିଂସା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି। ଢାକାରେ ଅନେକ ଜାଗାରେ ବମ୍ ବ୍ଲାଷ୍ଟ ହୋଇଛି। ରବିବାର ରାତିରେ ଅନେକ ଜାଗାରେ ଅଗ୍ନିକାଣ୍ଡ, ମଶାଲ ଶୋଭାଯାତ୍ରା ବାହାରିଥିଲା। ଟ୍ରିବ୍ୟୁନାଲକୁ କଙ୍ଗାରୁ କୋର୍ଟ ବୋଲି ଅଭିହିତ କରିଛି ଆଓ୍ୱାମୀ ଲିଗ୍ ପାର୍ଟି। ଏହି ଅଶାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଉପରେ ଅଦାଲତ ରାୟ ଶୁଣାଇବା ପୂର୍ବରୁ ବ୍ୟାପିଛି। ଏହି ହିଂସାକୁ ନେଇ ପୁରା ଦେଶରେ ହାଇଆଲର୍ଟ ଜାରି ହୋଇଛି। ୭୮ ବର୍ଷୀୟା ହାସିନାଙ୍କୁ ମୃତ୍ୟୁଦଣ୍ଡ ଦାବି ହୋଇଛି। ଏହା ସହ ଦୋଷୀଙ୍କ ସମ୍ପତ୍ତି ଜବତ କରି ସେହି ସମ୍ପତ୍ତିକୁ ମୃତାହତଙ୍କ ପରିବାରକୁ ବାଣ୍ଟିବାକୁ ଅପିଲ୍ କରାଯାଇଥିଲା। ଶେଖ୍ ହାସିନାଙ୍କ ବିରୁଦ୍ଧରେ ୫ଟି ଗମ୍ଭୀର ଆରୋପ ରହିଛି। ବିଶେଷ କରି ମାନବତା ବିରୋଧୀ ଅପରାଧକୁ ନେଇ ଶେଖ୍ ହାସିନାଙ୍କ ବିରୁଦ୍ଧରେ ମାମଲା ଚାଲିଥିଲା। ବିରୋଧୀ ଦଳ ନେତାଙ୍କୁ ଗାଏବ କରିଥିବାର ଶେଖ୍ ହାସିନାଙ୍କ ଉପରେ ଆରୋପ ରହିଛି। ହିଂସା ବେଳେ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ। ମେ ୧୨, ୨୦୨୫ରେ ଆସିଥିବା ଯାଞ୍ଚ ରିପୋର୍ଟ ଦାବି କରିଛି ଯେ, ଶେଖ୍ ହାସିନା ହତ୍ୟା କରିବାକୁ ଆଦେଶ ଦେଇଥିଲେ। ଯାହାଲାଗି ହିଂସା ଅଧିକ ବ୍ୟାପକ ହୋଇଯାଇଥିଲା। ମହିଳା, ଛୋଟ ପିଲାଙ୍କ ସମେତ ୧୪ଶହ ଜଣଙ୍କୁ ହତ୍ୟା ସହ ୨୫ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଗଲା ବର୍ଷ ହିଂସାକାଣ୍ଡ ପଛରେ ହାସିନାଙ୍କୁ ମାଷ୍ଟରମାଇଣ୍ଡ ଓ ପ୍ରିନ୍ସିପାଲ ଆର୍କିଟେକ୍ କୁହାଯାଉଛି। ଶେଖ୍ ହାସିନା, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜନାମ ଖାନ୍ କମାଲ ଓ ପୂର୍ବତନ ପୁଲିସ ଡିଜି ଚୌଧୁରୀ ଅବଦ୍ଦୁଲା ଅଲ-ମାମୁନଙ୍କ ଉପରେ ଗଲା ଜୁଲାଇରେ ଛାତ୍ର ଆନ୍ଦୋଳନ ବେଳେ ବେଗମ ରାକୌୟା ୟୁନିଭରସିଟିର ଛାତ୍ର ଅବୁ ସଇଦଙ୍କୁ ହତ୍ୟା କରିଥିବାର ଷଡ଼ଯନ୍ତ୍ର ଆରୋପ ରହିଛି। ଢାକାର ଚଙ୍ଖର ପୋଲରେ ୬ ଲୋକଙ୍କୁ ମର୍ଡର, ଢାକା ଛାଡ଼ିବା ଆଗରୁ ୫ ଲୋକଙ୍କୁ ଗୁଳି କରି ମାରିବା ସହ ଶବକୁ ଜାଳିବାର ଅଭିଯୋଗ ରହିଥିଲା। ଏ ସମସ୍ତ ହତ୍ୟାକାଣ୍ଡରୁ ବାଂଲାଦେଶର ଅନ୍ତରୀଣ ସରକାର ଶେଖ୍ ହାସିନାଙ୍କ ପାସପୋର୍ଟକୁ ରଦ୍ଦ କରି ଦିଆଯାଇଥିଲା। ଏଥିରେ ଶେଖ୍ ହାସିନାଙ୍କୁ ଫାଶୀ ଦଣ୍ଡ ଦାବି ହୋଇଥିଲା। ଯଦିଓ ହାସିନା ତାଙ୍କ ବିରୁଦ୍ଧରେ ସମସ୍ତ ଅପରାଧକୁ ଦୃଢ଼ତାର ସହ ଖାରଜ କରିଦେଇଛନ୍ତି। ଆଇସିଟିରେ ଚାଲିଥିବା ତର୍କ ଅକ୍ଟୋବର ୨୩ରେ ଶେଷ ହୋଇଥିଲା। ଆଉ ଆଜି ରାୟ ଆସିବା ପୂର୍ବରୁ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ରାୟ ଆସିବା ଆଗରୁ ଦେଶରେ ଏମିତି ମାହୋଲ ଉତ୍ତେଜନାପୂର୍ଣ୍ଣ ଥିଲା ବେଳେ ହାସିନାଙ୍କ ପୁଅ ସଜିବ ଓ୍ୱାଜେଦ୍ ବଡ଼ ବୟାନ ଦେଇଥିଲେ। ଯଦି ଆଓ୍ୱାମୀ ଲିଗ୍ ଉପରେ ବ୍ୟାନ୍ ହଟିବନି, ତେବେ ଫେବୃଆରୀରେ ନିର୍ବାଚନ କରିବାକୁ ଦିଆଯିବନି। ବିରୋଧ ପ୍ରଦର୍ଶନ ହିଂସାର ବି ରୂପ ନେଇପାରେ। ନିଜ ପାର୍ଟି ଓ୍ୱେବସାଇଟରେ ଅପଲୋଡ୍ କରାଯାଇଥିବା ଏକ ଅଡ଼ିଓ ସନ୍ଦେଶରେ ହାସିନା କହିଥିଲେ, ନେତା ଓ କର୍ମୀ ସଜ୍ଜାକୁ ନେଇ ଚିନ୍ତା କରନ୍ତୁନି। ସେ ଏଭଳି ଆକ୍ରମଣ ଓ ମାମଲା ଅନେକ ଦେଖିଛନ୍ତି। ସେ ଜନ୍ମ ନେଇଛନ୍ତି ଅର୍ଥ ଦିନେ ନା ମରିବେ। କିନ୍ତୁ ସେ ଦେଶର ଜନତାଙ୍କ ଲାଗି କାମ କରୁଛନ୍ତି ଓ ଏହା ସେ ଜାରି ରଖିବେ। ତାଙ୍କ ବିରୁଦ୍ଧରେ ଅଭିଯୋଗ ମିଛ। ଜୁଲାଇ ୧୦ରେ ଶେଖ୍ ହାସିନା, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜନାମ ଖାନ୍ କମାଲ ଓ ପୂର୍ବତନ ପୁଲିସ ଡିଜି ଚୌଧୁରୀ ଅବଦ୍ଦୁଲା ଅଲ-ମାମୁନଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ପ୍ରତାଡ଼ିତ ସମେତ ଅମାନବୀୟ କାରନାମାର ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା। ହାସିନା ଓ କମାଲଙ୍କ ଅନୁପସ୍ଥିତିରେ ଅଦାଲତ ଏହା ଶୁଣାଣୀ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ସେମାନଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଚୌଧୁରୀ ମାମୁନ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇଥିଲେ। ଆଉ ସରକାରୀ ସାକ୍ଷୀ ହୋଇଗଲେ। ଦୀର୍ଘ ୧୫ ବର୍ଷ ଧରି ବାଂଲାଦେଶ ଶାସନ କ୍ଷମତା ଚୌକିରେ ବସିଥିଲେ ହାସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗଲା ବର୍ଷ ଅଗଷ୍ଟ ୫ରେ ବାଂଲାଦେଶ ଛାଡ଼ି ଭାରତ ପଳାଇଥିଲେ ହାସିନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now