ଜୁବିନଙ୍କ ମୃତ୍ୟୁ ଯୋଜନାବଦ୍ଧ ମର୍ଡର- ଆଉ ହ୍ୟୁମାନଙ୍କ ମୃତ୍ୟୁ?

ଜୁବିନ ଗର୍ଗଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନଥିଲା। ଏହା ଥିଲା ଏକ ସୁଚିନ୍ତିତ ଯୋଜନାବଦ୍ଧ ମର୍ଡର। ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ। ବିଧାନସଭାରେ ଜୁବିନ ମୃତ୍ୟୁକୁ ନେଇ ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏ ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ୨୫୨ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଛି। ଡିସେମ୍ୱର ୮ ସୁଦ୍ଧା ଚାର୍ଜସିଟ୍ ଫାଇଲ କରିବ ଏସଆଇଟି। ଚାର୍ଜସିଟ୍ ଫାଇଲ ପରେ ତଦନ୍ତର ପରିସର ବଢିବ। କାହା ଅବହେଳା, ଅପରାଧିକ ବିଶ୍ୱାସଘାତ ଓ ଅନ୍ୟ କାରଣରୁ ଜୁବିନଙ୍କ ମୃତ୍ୟୁ ହେଲା, ସବୁ ଦିଗର ତନାଘନା ହେବ। ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗର ଦାୟିତ୍ୱରେ ଥିବା ହିମନ୍ତ ସ୍ପଷ୍ଟ କରିଛନ୍ତି ଯେ, ସିଙ୍ଗାପୁରରେ ସମୁଦ୍ରରେ ପହଁରୁଥିବା ବେଳେ ଜୁବିନଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବରେ ଜୁବିନ ମୃତ୍ୟୁ ମାମଲାରେ ଆଲୋଚନା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ହତ୍ୟା ପୁଷ୍ଟି ହେବା ପରେଜୁବିନଙ୍କ ମୃତ୍ୟୁର ୩ ଦିନ ଭିତରେ ବିଏନଏସର ଧାରା ୧୦୩କୁ ଯୋଡ଼ି ଦିଆଗଲା। ହିମନ୍ତ ଦାବି କରିଛନ୍ତି ଯେ, ଜଣେ ଅଭିଯୁକ୍ତ ଜୁବିନଙ୍କୁ ହତ୍ୟା କରିଥିଲା ତ ଅନ୍ୟ ଜଣେ ହତ୍ୟାକାଣ୍ଡରେ ସାହାଯ୍ୟ କରିଥିଲା। ଗିରଫ ଅଭିଯୁକ୍ତ ହେଲେ ଜୁବିନଙ୍କ ଦୁଇ ମ୍ୟାନେଜର ଶ୍ୟାମକାନୁ ମହନ୍ତ ଓ ସିଦ୍ଧାର୍ଥ ଶର୍ମା। ଏହା ସହ ବ୍ୟାଣ୍ଡ୍ ମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀ, ସହ ଗାୟକ ଅମୃତପ୍ରଭା ମହନ୍ତା, ଜୁବିନଙ୍କ ଦାଦା ପୁଅ ଭାଇ ସନ୍ଦୀପନ ଗର୍ଗ ଓ ତାଙ୍କର ଦୁଇ ପିଏସଓ ନନ୍ଦେଶ୍ୱର ବୋରା ଓ ପରେଶ ବୈଶ୍ୟ। ଗଲା ସେପ୍ଟେମ୍ୱର ୧୯ରେ ସିଙ୍ଗାପୁରରେ ସମୁଦ୍ରରେ ପହଁରୁଥିବା ବେଳେ ଜୁବିନଙ୍କ ମୃତ୍ୟୁ ହୋଇଥିଲା। ସେପଟେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ଆସାମ ସରକାରଙ୍କୁ ଏ ନେଇ ଟାର୍ଗେଟ କରିଛନ୍ତି। ଯଦିଓ ସରକାର ଏହାକୁ ମର୍ଡର ବୋଲି ସ୍ପଷ୍ଟ କରିଦେଲେ। ସୋସିଆଲ ମିଡିଆରେ ବି ଅନେକ ଥର ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଉଦୀୟମାନ ଗାୟକଙ୍କ ମୃତ୍ୟୁ ମିଷ୍ଟ୍ରି ପଛରେ ରହସ୍ୟ କାହିଁକି ଖୋଲୁନାହାନ୍ତି ସରକାର। ଭାରତ ଓ ସିଙ୍ଗାପୁର ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ମୃତ୍ୟୁ ରହସ୍ୟ କାହିଁକି ଖୋଲୁନାହାନ୍ତି। ନର୍ଥ-ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ଆୟୋଜକ, ସେମାନଙ୍କ ଆର୍ଥିକ ନେଣଦେଣକୁ ନେଇ ଏସଆଇଟି ଏଯାଏଁ ଖୋଳତାଡ଼ କଲାଣି ନା ନାହିଁ। ଚତୁର୍ଥ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ସେପ୍ଟେମ୍ୱର ୧୯ରୁ ୨୩ ଯାଏ ହୋଇଥାଆନ୍ତା। ଜୁବିନଙ୍କ ମୃତ୍ୟୁ ପରେ ଏହି ଇଭେଣ୍ଟ ବାତିଲ୍ କରାଯାଇଥିଲା। ଆସାମ ସରକାର ଏହାର ଆୟୋଜକ ଶ୍ୟାମାକାନୁ ମହାନ୍ତଙ୍କୁ ବ୍ୟାନ୍ କରିଥିଲେ। ଏହାର ସିବିଆଇ ତଦନ୍ତ ହେଉ। କାରଣ ଏହା ବିଦେଶରେ ଘଟିଛି। ତଦନ୍ତର ଅଗ୍ରଗତି କେତେବାଟ ଗଲା। ଆସାମ ବିଧାୟକ ଅଖିଲ ଗୋଗୋଇ ଜୁବିନଙ୍କୁ ନ୍ୟାୟ ଦେବା ଦାବିରେ ବେକରେ ପ୍ଲାକାର୍ଡ ପକାଇ ଆସିଥିଲେ ବିଧାନସଭାକୁ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ପଷ୍ଟ ମର୍ଡର ବୋଲି କହୁଛନ୍ତି। ଜୁବିନଙ୍କୁ ନ୍ୟାୟ ପାଇଁ ନା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ସରକାର। ମର୍ଡର ପଛର କାରଣକୁ ଖୁଲାସା କରନ୍ତୁ ସରକାର। ମର୍ଡର ନେଇ କଅଣ ପ୍ରମାଣ ରହିଛି। ଏ କଥା କହୁନାହାନ୍ତି ସରକାର। ତାହେଲେ ହତ୍ୟାକାରୀଙ୍କୁ କେମିତି କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବ। ଆସାମ ବିଧାନସଭାରେ ଜୁବିନଙ୍କ ମୃତ୍ୟୁକୁ ନେଇ ସରକାର ଏଭଳି ସ୍ପଷ୍ଟତା ରଖିଲେ। ସେପଟେ ଓଡ଼ିଶାର ଉଦୀୟମାନ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ନେଇ ବିଭିନ୍ନ ଥାନାରେ ଦୁଇ ମ୍ୟାନେଜରଙ୍କ ବିରୁଦ୍ଧରେ ଏତଲା ଦିଆ ଜାରି ରହିଛି। ଯାଜପୁର, ପାଟଣାଗଡ଼, ବଲାଙ୍ଗୀର ଥାନାରେ ଏତଲା ଦିଆହୋଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଟିଟିଲାଗଡ଼ ବିକାଶ ସେନା। ନିରପେକ୍ଷ ତଦନ୍ତ କରି ସତ ପଦାକୁ ନ ଆଣିଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଦାବି କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ଓଡ଼ିଶା ସିଭିଲ ସୋସାଇଟି। ଲୋକସେବା ଭବନରେ ଗୃହ ସଚିବଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିଛି ସୋସାଇଟି। ହ୍ୟୁମାନ ସାଗର ମୃତ୍ୟୁ ମାମଲା ଓଡ଼ିଶା ବିଧାନସଭାରେ ବି ଉଠିପାରେ। ଆଜି ହେଉଛି ହ୍ୟୁମାନଙ୍କ ଜନ୍ମଦିନ। ଜନ୍ମଦିନରେ ତାଙ୍କୁ ତାଙ୍କର ଅଗଣିତ ଫ୍ୟାନ୍ସ ଝୁରୁଛନ୍ତି। ବିଦେଶରେ ଜୁବିନଙ୍କ ମୃତ୍ୟୁ ମର୍ଡର ବୋଲି ଆଜି ସ୍ପଷ୍ଚ କରିଦେଲେ ଆସାମ ସରକାର। ସେପଟେ ଓଡ଼ିଶାରେ ହ୍ୟୁମାନଙ୍କ ଏଭଳି ମୃତ୍ୟୁ, ଅସୁସ୍ଥ ସତ୍ତ୍ୱେ ଷ୍ଟେଜ ପ୍ରୋଗ୍ରାମକୁ ବାଧ୍ୟ କରି ନେବା, ପୁଅ ମରଣଶଯ୍ୟାରେ ଥିଲା ବେଳେ ମ୍ୟାନେଜର ପପୁ ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିବା ଆଦି ଅନେକ ଘଟଣା ଏବେ ବି ଆନ୍ଦୋଳିତ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *