ରାୟପୁର ଓ୍ୱାନ ଡେ ମ୍ୟାଚରେ ଦୁର୍ଲ୍ଲଭ ଛକା ମାରି ଶତକ ହାସଲ କରିଛନ୍ତି କୋହଲି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜବରଦସ୍ତ ୧୦୨ ରନ୍ କରି କ୍ରିକେଟ ପ୍ରଶଂସକଙ୍କ ମନ ଜିଣି ନେଇଛନ୍ତି। ଏଥିରେ ୨ଟି ଛକା ସାମିଲ ଅଛି। ତେବେ ୧୨ ବର୍ଷ ପରେ କୋହଲିଙ୍କ ଏହି ଛକା ସ୍ମରଣୀୟ ହୋଇ ରହିଲା। ଦ୍ରୁତ ବୋଲର ଲୁଙ୍ଗି ଏନଗିଡିଙ୍କ ବଲରେ ଯେଉଁ ଛକା ମାରି ନିଜର ପ୍ରଥମ ରନ୍ କଲେ, ତାହା ବି ଏକ କୀର୍ତ୍ତିମାନ ରଚିଛି। ନିଜ ଓ୍ୱାନ-ଡେ କ୍ୟାରିଅରରେ ଏଭଳି ଛକା ମାରି ଦ୍ୱିତୀୟ ଥର ଖାତା ଖୋଲିଛନ୍ତି କୋହଲି। କିଙ୍ଗ କୋହଲି ରାୟପୁରରେ ୬ ରନ୍ ସହ ନିଜର ଖାତା ଖୋଲିଥିଲେ। ଏନଗିଡିଙ୍କ ବଲକୁ ଫାଇନ ଲେଗ୍ ଉପର ଦେଇ ସେ ଛକା ମାରିଥିଲେ। ଏହା ପୂର୍ବରୁ ୨୦୧୩ରେ କିଙ୍ଗଷ୍ଟନରେ ଖେଳାଯାଇଥିବା ଓ୍ୱାନ-ଡେ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏଭଳି ୬ ରନ୍ ମାରି ଖାତା ଖୋଲିଥିଲେ କୋହଲି। ଟିନୋ ବେଷ୍ଟଙ୍କ ବଲରେ ୬ ରନ୍ ମାରିଥିଲେ। କୋହଲିଙ୍କ ନାଁରେ ଓ୍ୱାନଡେ ଇଣ୍ଟରନାସନାଲ କ୍ରିକେଟରେ ମୋଟ୍ ୧୬୧ ଛକା ହେଲା। ସେ ଏକଦିବସୀୟରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାର ପଞ୍ଚମରେ ଅଛନ୍ତି। ୩୫୨ ଛକା ମାରି ରୋହିତ ଶର୍ମା ଏକ ନମ୍ୱରରେ ଥିଲା ବେଳେ ୨୨୯ ଛକା ସହ ଧୋନି ଦ୍ୱିତୀୟରେ ଅଛନ୍ତି। ୧୯୫ ଛକା ସହ ତେନ୍ଦୁଲକର ତୃତୀୟରେ ଥିଲା ବେଳେ ୧୯୦ ଛକା ସହ ଗାଙ୍ଗୁଲି ଚତୁର୍ଥ ସ୍ଥାନରେ ଅଛନ୍ତି। ଇଣ୍ଟରନାସନାଲ କ୍ରିକେଟରେ ଏବେ କୋହଲିଙ୍କ ଶତକ ସଂଖ୍ୟା ୮୪ ହୋଇଛି। ଓ୍ୱାନ-ଡେ ରେ ୫୩ ଶତକ ପୂରଣ କରିଛନ୍ତି। କିଙ୍ଗ କୋହଲିଙ୍କ ଦମଦାର ପ୍ରଦର୍ଶନରେ ଶତମୁଖ ତାଙ୍କର ପ୍ରଶଂସକ। ଆଉ ସୋସିଆଲ ମିଡିଆରେ ମୁଖ୍ୟ କୋଚ୍ ଗୌତମ ଗାମ୍ଭୀରଙ୍କୁ ସମାଲୋଚନାର ପର୍ବ ଆରମ୍ଭ କରିଦେଇଛନ୍ତି ତାଙ୍କ ଫ୍ୟାନ୍ସ ଓ ଫଲୋଅର। ବିରାଟ ଏବେ ସନ୍ୟାସ ନେଇଯିବା ଦରକାର ବୋଲି କିଛି ଦିନ ତଳେ ଟ୍ରୋଲ ହୋଇଥିଲା। ଏହି ସିରିଜରେ ଲଗାତାର ଦୁଇଟି ଶତକ ବ୍ୟତୀତ ବିରାଟ ଏହା ପୂର୍ବରୁ ଓ୍ୱାନ-ଡେ ଓ୍ୱାର୍ଲଡ କପ୍ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ବି ଶତକ ଲଗାଇଥିଲେ। ଶ୍ରୀଲଙ୍କା ବିରୁଦ୍ଧରେ ୧୦, ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୯, ଅଷ୍ଟ୍ରେଲିଆ ବିରୁଦ୍ଧରେ ୮ ଓ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୭ ଶତକ ମାରିଛନ୍ତି କୋହଲି। ଏବେ କମାଲ ଫର୍ମରେ ଅଛନ୍ତି କୋହଲି।
Naxatra News is now on Whatsapp
Join and get latest news update delivered to you via whatsapp
Join Now