ଆପାର୍ଟମେଣ୍ଟ କିଣାବିକା ଲାଗି ଖୋଲିଲା ବାଟ। ରି ସେଲ୍ ଆପାର୍ଟମେଣ୍ଟ ବିକ୍ରି ନେଇ ନଗର ଉନ୍ନୟନ ବିଭାଗର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ଦିନ ହେଲା ଆପାର୍ଟମେଣ୍ଟ କିଣାବିକା ନେଇ ଲାଗିରହିଥିଲା ଅଚଳାବସ୍ଥା। ଆଉ ଏହି ଅଚଳାବସ୍ଥା ଦୂର କରିବାକୁ ନଗର ଉନ୍ନୟନ ବିଭାଗ ସ୍ପେଶିଆଲ ଅର୍ଡର କରିଛି। କ୍ରେତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସରକାର ଉପାୟ ବାହାର କଲେ। ଆପାର୍ଟମେଣ୍ଟ ଓନରଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆସିଥିଲା। ଆପାର୍ଟମେଣ୍ଟ ମାଲିକାନାକୁ ଟ୍ରାନ୍ସଫର ପାଇଁ ଜରୁରୀ ଦସ୍ତାବିଜ୍ ଓ କମ୍ପ୍ଲାଏନ୍ସ ପାଇଁ ହଇରାଣ ହେଉଥିଲେ ଓନର୍ସ। ଅକ୍ଟୋବର ୫, ୨୦୧୬ ପୂର୍ବରୁ କିଣିଥିବା ଆପାର୍ଟମେଣ୍ଟ ମାଲିକ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ସେମାନେ ସେମାନଙ୍କ ଆପାର୍ଟମେଣ୍ଟ ନା ବିକିପାରୁଥିଲେ ନା ହସ୍ତାନ୍ତର କରିପାରୁଥିଲେ। ନା ରି-ସେଲ୍ କରିପାରୁଥିଲେ। ଆଉ ଏଥିରେ କଣ୍ଟା ସାଜିଥିଲା ଓଏମଓଏମ ଆକ୍ଟର ସେକ୍ସନ ୮(୨)। ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ କହୁଛି, ଆପାର୍ଟମେଣ୍ଟ କ୍ରେତାଙ୍କ ଅଧିକାରକୁ ସୁରକ୍ଷିତ କରିବା ହେଉଛି ପ୍ରାଥମିକତା। କମନ ଏରିଆରେ କ୍ରେତାଙ୍କ ଅଧିକାର ଓ ଆଇନଗତ ଅଧିକାରକୁ ସୁନିଶ୍ଚିତ କରିବା। ୨୦୧୬ ପୂର୍ବରୁ କିଣିଥିବା ଆପାର୍ଟମେଣ୍ଟ ମାଲିକଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ଏଣିକି ସେମାନେ କେବଳ ପୁରୁଣା ଡିଡ୍ ଦାଖଲ କରିବେ। ପଞ୍ଜୀକରଣ ଅଧିକାରୀ ଏହାକୁ ଦେଖି ଆପାର୍ଟମେଣ୍ଟ କିଣାବିକାରେ ମୋହର ମାରିବେ। କିନ୍ତୁ ରି-ସେଲ୍ ପାଇଁ ନୂଆ ସେଲ୍ ଡିଡ୍ ରେ ଯାହା ଉଲ୍ଲେଖ ରଖିବା କଥା, ତାକୁ ସୁନିଶ୍ଚିତ କରିବେ ଓନର୍ସ। କମନ ଏରିଆରେ କେତେ ପ୍ରତିଶତ ସୁବିଧା ଉପଲବ୍ଧ ହୋଇଛି, ଏହାକୁ ଦର୍ଶାଯିବ। ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆସିବା ଆଗରୁ ଯଦି ଆଲଟି ଆସୋସିଏସନ ବା ସୋସାଇଟି ଗଠନ ହୋଇଥିବ। ଏହା ବୈଧ ବିବେଚିତ ହେବ। ତେବେ ଏଥିଲାଗି ଏହି ଆକ୍ଟର ସେକ୍ସନ ୧୫ରେ ଥିବା ବାଇ-ଲ କୁ ଗ୍ରହଣ କରିବାକୁ ପଡ଼ିବ। ତେବେ ବିଲଡିଂ ରେଗୁଲେସନରେ କୌଣସି ଖିଲାଫ ହେଲେ, ଏହି ରିହାତି ଲାଗୁ ହେବନି। ଫେବୃଆରୀ ପହିଲା ୨୦୨୫ରେ ନଗର ଉନ୍ନୟନ ବିଭାଗ ଜାରି କରିଥିବା ନୋଟିଫିକେସନ ରଦ୍ଦ ହେଲା ବୋଲି କହିଛନ୍ତି ସଚିବ ଉଷା ପାଢୀ।ଆଗରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଯେଉଁ ଆପାର୍ଟମେଣ୍ଟ ରେରା ଆସିବା ଆଗରୁ ସମ୍ପୂର୍ଣ୍ଣ ହୋଇସାରିଛି, ସେ ସବୁ ପଞ୍ଜୀକରଣ ହୋଇପାରିବ। କୌଣସି ପ୍ରତିବନ୍ଧକ ନାହିଁ। ଅର୍ଥାତ୍ ଫେବୃଆରୀ ୨୫, ୨୦୧୭ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ଆପାର୍ଟମେଣ୍ଟ ଲାଗି ଲାଗୁ କରିଥିଲେ ସରକାର। ପଞ୍ଜୀକରଣ ଲାଗି କଟକଣା ହଟାଇଦେଇଥିଲେ। ହେଲେ ସଚିବଙ୍କ ଦସ୍ତଖତରେ ଜାରି ହୋଇଥିବା ଏକଜିକ୍ୟୁଟିଭ ଅର୍ଡରକୁ ଚ୍ୟାଲେଞ୍ଜ୍ କରାଯାଇଥିଲା ହାଇକୋର୍ଟରେ। ଫଳରେ ପୁରୁଣା ଆପାର୍ଟମେଣ୍ଟ କିଣାବିକା ସମସ୍ୟା ପୁଣି ଲାଗି ରହିଥିଲା। ଏମିତିରେ ଅଧିକାଂଶ ଆପାର୍ଟମେଣ୍ଟର ଅକ୍ୟୁପାନ୍ସି ସାର୍ଟିଫିକେଟ ବା ଓସି ନାହିଁ। କମନ ଏରିଆର ଉପଯୁକ୍ତ ରେଜିଷ୍ଟ୍ରେସନ ହେଉନଥିଲା। ସେଥିଲାଗି ଏସବୁ ଦସ୍ତାବିଜ ଅଭାବରୁ ନା ବିକିପାରୁଥିଲେ ନା ମାଲିକାନା ହସ୍ତାନ୍ତର କରିପାରୁଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ମେ 2022ରୁ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବନ୍ଦ ଥିଲା। କାରଣ ହାଇକୋର୍ଟ ନିର୍ଦେଶ ଦେଇଥିଲେ ଯେ, ରିଅଲ ଇଷ୍ଟେଟ ରୁଲ୍ସ ଓ ରେଗୁଲେସନରେ ତିଆରି ଆପାର୍ଟମେଣ୍ଟ କେବଳ ରେଜିଷ୍ଟ୍ରେସନ ହୋଇପାରିବ। ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ, ୨୦୨୩ ଲାଗୁ ପରେ ମେ ୨୦୨୪ରେ ଆଂଶିକ ପଞ୍ଜୀକରଣ ଆରମ୍ଭ ହୋଇଥିଲା। କିନ୍ତୁ ଏ ସଂଖ୍ୟା ଅତି ନଗଣ୍ୟ ଥିଲା। କାରଣ ଏହି ଆକ୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ ଜରୁରୀ ଥିଲା। ନୂଆ ଆପାର୍ଟମେଣ୍ଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ରୁଲ୍ସ ୨୦୨୪ ଆସିବା ସତ୍ତ୍ୱେ ୧୦ହଜାରରୁ ଅଧିକ ଆପାର୍ଟମେଣ୍ଟ ପଞ୍ଜୀକରଣ ନ ହୋଇ ସରକାରଙ୍କର ପ୍ରାୟ ୨ହଜାର କୋଟି ଟଙ୍କାର ବିପୁଳ ରାଜସ୍ୱ କ୍ଷତି ହୋଇଥିଲା। ସେଥିଲାଗି ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ, ପୁରୁଣା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବାକୁ ସରକାର ଏକ ରେଗୁଲାଇରେଜେସନ ପ୍ରକ୍ରିୟା ଆଣନ୍ତୁ। ନୂଆ ନିୟମରୁ ପୁରୁଣା ଆପାର୍ଟମେଣ୍ଟକୁ ବାଦ୍ ଦିଆଯାଉ।

Naxatra News is now on Whatsapp
Join and get latest news update delivered to you via whatsapp
Join Now