ଗୋଟିଏ ପରେ ଗୋଟିଏ ଫ୍ଲାଇଟ୍ ବାତିଲ ହେବାରେ ଲାଗିଛି। ଗଲା ୨୦ ବର୍ଷ ଭିତରେ ଏତେ ସଂଖ୍ୟକ ଫ୍ଲାଇଟ୍ ବାତିଲ କେବେ ହୋଇନଥିଲା। ଯାହା ଗଲା ତିନି ଦିନ ଭିତରେ ଇଣ୍ଡିଗୋ କରିଛି। ଦେଶର ସବୁଠୁ ବଡ଼ ପ୍ରାଇଭେଟ୍ ଏୟାରଲାଇନ୍ସ ଗମ୍ଭୀର ସମସ୍ୟା ସହ ଜୁଝୁଛି। ଆଉ ଯାତ୍ରୀ ହନ୍ତସନ୍ତ ହେବା ସାର ହେଉଛି। ଅପରେସନାଲ ସମସ୍ୟାରେ ପଡ଼ିଥିବା ଇଣ୍ଡିଗୋ ଗୁରୁବାର ହିଁ ଦିନକ ଭିତରେ ୫୫୦ ଉଡ଼ାଣ ରଦ୍ଦ ହୋଇଛି। ଆଜି ବି ସମାନ ସମସ୍ୟା ଭୋଗିଛନ୍ତି ଯାତ୍ରୀ। ଅନେକ ଉଡ଼ାଣକୁ ବାତିଲ କରିଦିଆଯାଇଛି। ଏହାର ସମୟାନୁବର୍ତ୍ତିତା ପରଫର୍ମାନ୍ସ ବି ହ୍ରାସ ହୋଇ ୧୯.୭ ପ୍ରତିଶତ ହୋଇଯାଇଛି। ଯାହା ଇଣ୍ଡିଗୋର ସବୁଠୁ ବଡ଼ ଟ୍ୟାଗଲାଇନ୍। ଇଣ୍ଡିଗୋର ଦୈନିକ ପ୍ରାୟ ୨୩ଶହ ବିମାନ ଉଡ଼ାଣ ଭରିଥାଏ। ଏୟାରଲାଇନ୍ସ ଟିକଟ କାଉଣ୍ଟରରେ ହଙ୍ଗାମା କରିଛନ୍ତି ଯାତ୍ରୀ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ମିଳୁନଥିବାରୁ ଯାତ୍ରୀ ଇଣ୍ଡିଗୋ ବିରୁଦ୍ଧରେ ନାରାବାଜି କରିଛନ୍ତି। କେଉଁ ବିମାନ ଅହେତୁକ ବିଳମ୍ୱରେ ଉଡ଼ାଣ ଭରୁଛି ତ ଅଧିକାଂଶକୁ ବାତିଲ୍ କରିଦିଆଯାଉଛି। ଏପରିକି ବାତିଲ ପୂର୍ବରୁ ନା ଯାତ୍ରୀଙ୍କୁ ଇଣ୍ଡିଗୋ ଅବଗତ କରାଉଛି ନା ଟିକଟ ପଇସା ଫେରସ୍ତ କରୁଛି ବୋଲି ଆରୋପ ଲଦିଛନ୍ତି ଯାତ୍ରୀ। ଲଗେଜ୍ ଧରି ଯାତ୍ରୀ ବେଶ୍ ନାକେଦମ ହେଲେଣି। ଇଣ୍ଡିଗୋ କ୍ଷମା ମାଗି କହିଛି, ଆବଶ୍ୟକୀୟ କେବିନ କ୍ରୁ ନାହାନ୍ତି। ଏହା ସହ ଟେକ୍ନୋଲୋଜି ସମସ୍ୟା ଲାଗିରହିଛି। ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖାଦେବ। ସେଥିଲାଗି ଅନେକ ଫ୍ଲାଇଟର ସିଡ୍ୟୁଲକୁ ପରିବର୍ତ୍ତନ କରାଯାଉଛି। ଅପରେସନକୁ ନର୍ମାଲ ପାଇଁ ପୂର୍ବରୁ ଧାର୍ଯ୍ୟ ସର୍ଭିସକୁ ବାତିଲ୍ କରିବାକୁ ପଡ଼ୁଛି। ଏୟାରପୋର୍ଟ ବାହାରିବା ପୂର୍ବରୁ ଲାଟେଷ୍ଟ ଅପଡେଟ୍ ଦେଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷର ଶେଷ ମାସରେ ଲୋକେ ବଡ଼ ସଂଖ୍ୟାରେ ବାହାରକୁ ବୁଲିବାକୁ ବାହାରିଥିଲା ବେଳେ ଏୟାରପୋର୍ଟରେ ଭିଡ଼ ଜମିଛି। କ୍ରିଉ ମେମ୍ୱରଙ୍କ ସହ ପାଟିତୁଣ୍ଡ ହେଉଛି। ଏଭଳି ସମସ୍ୟାର ନିରାକରଣ ଲାଗି ବେସାମରିକ ମନ୍ତ୍ରୀ ତୁରନ୍ତ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ, ଡିଜିସିଏ, ଏଟିସି ଓ ବିମାନ କର୍ତ୍ତୃପକ୍ଷଙ୍କୁ ଡାକି ଏ ସମସ୍ୟା ସମାଧାନର ବାଟ ଖୋଜିବାକୁ ନିର୍ଦେଶ ଦେଇଛନ୍ତି। ପୁରା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ମନ୍ତ୍ରୀ। ସରକାର ବି ଇଣ୍ଡିଗୋକୁ କଡ଼ା ଚେତାବନୀ ଦେଇଛନ୍ତି। ଏଣିକି କୌଣସି ବାହାନା ଚଳିବନି। କର୍ମଚାରୀ ସଂକଟରୁ ଏଭଳି ଅବ୍ୟବସ୍ଥାକୁ ବରଦାସ୍ତ କରାଯିବନି। ଟ୍ରାଭେଲ ସିଜିନରେ ବିମାନ ବିଳମ୍ୱ, ବାତିଲ ଓ ଯାତ୍ରୀ ହଇରାଣକୁ ନେଇ କଠୋର ହୋଇଛି ମନ୍ତ୍ରଣାଳୟ। କେତେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି ଇଣ୍ଡିଗୋ, ପ୍ରତି ୧୫ ଦିନରେ ସରକାରଙ୍କୁ ଜଣାଇବ।

କାରଣ ଇଣ୍ଡିଗୋ ଏୟାରଲାଇନ୍ସ ଅଭୂତପୂର୍ବ ପରିଚାଳନା ସଙ୍କଟ ସହ ଜୁଝୁଛି। ସଂସଦରେ ବି ଇଣ୍ଡିଗୋ ବିମାନ ପ୍ରସଙ୍ଗ ଉଠିଛି। ଇଣ୍ଡିଗୋର ମନମାନିକୁ ଦାୟୀ କରିଛନ୍ତି ବିରୋଧୀ। କେବେ ସୁଦ୍ଧା ସମସ୍ୟା ସମାଧାନ ହେବ ବୋଲି ସରକାରଙ୍କଠୁ ଜବାବ ମାଗିଛନ୍ତି। ଦେଶର ପ୍ରମୁଖ ଏୟାରପୋର୍ଟ ଦିଲ୍ଲୀ, ମୁମ୍ୱାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଲକ୍ଷ୍ନୌରେ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଫସିରହିଛନ୍ତି। ଆଜି ୪ ପ୍ରମୁଖ ମେଟ୍ରୋ ଏୟାରପୋର୍ଟରେ ୪୫୧ ଫ୍ଲାଇଟ ବାତିଲ୍ ହୋଇଛି। ହାଇଦ୍ରାବାଦରୁ ୯୨, ଦିଲ୍ଲୀରୁ ୨୨୫, ବେଙ୍ଗାଲୁରୁରୁ ୧୦୨ ଓ ପୁଣେରୁ ୯୨ ଫ୍ଲାଇଟ୍ ବାତିଲ୍ ହୋଇସାରିଛି। ରାତିଯାକ ଏୟାରପୋର୍ଟ ଲଞ୍ଜରେ ଅପେକ୍ଷା କରିଥିଲେ ସୁଦ୍ଧା ନା ଖାଇବାକୁ ମିଳିଲା ନା ରହିବାର ବ୍ୟବସ୍ଥା ଥିଲା। ତେବେ ଏଭଳି ପରିଚାଳନା ସଙ୍କଟ ପଛର ଅସଲ ସମସ୍ୟା ହେଉଛି ଏଫଡିଟିଏଲ ବା ନ୍ୟୁ ଫ୍ଲାଇଟ୍ ଡ୍ୟୁଟି ଟାଇମ ଲିମିଟ୍। ଏହି ପଲିସି ବାବଦରେ ଜାନୁଆରୀ ୨୦୨୫ରୁ ସମସ୍ତ ଏୟାରଲାଇନ୍ସକୁ ଜଣାଇସାରିଥିଲା ଡିଜିସିଏ। ଆଉ ଏହାର ଦ୍ୱିତୀୟ ଫେଜ୍ ନଭେମ୍ୱର ପହିଲାରୁ ଆରମ୍ଭ ହେବ। ଏହା ସତ୍ତ୍ୱେ ଇଣ୍ଡିଗୋ ନୂଆ ପ୍ରାବଧାନ ଅନୁସାରେ ଅନୁରୂପ ରୋଷ୍ଟରକୁ ଅପଡେଟ୍ କଲାନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now