ଭାରତ ଓ ଋଷିଆ ଭିତରେ ବନ୍ଧୁତା ଅତୁଟ ରହିଆସିଛି ଓ ଏହା ରହିବ। ଭାରତ ନ୍ୟୁଟ୍ରାଲ ନୁହେଁ, କିନ୍ତୁ ସବୁବେଳେ ଶାନ୍ତି ସପକ୍ଷରେ। ପୁଟିନଙ୍କ ସହ ଆଲୋଚନାରେ ଏଭଳି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ଗସ୍ତରେ ଥିବା ପୁଟିନଙ୍କୁ ଭାଗବତ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଋଷିଆ ଭାଷାରେ ଲିଖିତ ଭାଗବତ ଗୀତାର ଏକ ନକଲ ପୁଟିନଙ୍କୁ ଦେଇଛନ୍ତି। ଏହା ହେଉଛି ପୁଟିନଙ୍କ ଦଶମ ଭାରତ ଗସ୍ତ। ରାଷ୍ଟ୍ରପତି ଭବନରେ ସେରିମୋନିଆଲ ସେରିମନିରେ ସାମିଲ୍ ହୋଇଥିଲେ ପୁଟିନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ୨୧ ତୋପ ସଲାମି ଦିଆଯାଇଥିଲା। ଏହା ପରେ ରାଜଘାଟରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପୁଟିନ୍। ଭିଜିଟର ବୁକରେ ନିଜର ଅନୁଭବକୁ ଲେଖିଥିଲେ। ଆଉ ହାଇଦ୍ରାବାଦ ହାଉସରେ ପୁଟିନଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ। ୨୩ତମ ଭାରତ-ଋଷ ଶୀଖର ସମ୍ମିଳନୀରେ ଦୁଇ ରାଷ୍ଟ୍ର ନେତା ଟ୍ରେଡ୍, ଡିଫେନ୍ସ ଓ ଏନର୍ଜି ଭଳି ମହତ୍ତ୍ୱପୂର୍ଣ୍ଣ ମୁଦ୍ଦା, ବୁଝାମଣା ଉପରେ ଚର୍ଚ୍ଚା କରିଥିଲେ। ଆଉ ମିଡିଆକୁ ମିଳିତ ସମ୍ୱୋଧନ କରିଛନ୍ତି ମୋଦି ଓ ପୁଟିନ୍। ଶାନ୍ତି ପ୍ରତିଷ୍ଠାରେ ମୋଦିଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୁଟିନ୍। ମୋଦି କହିଛନ୍ତି, ପୁଟିନଙ୍କ ଏହି ଯାତ୍ରା ଐତିହାସିକ। ୟୁକ୍ରେନ ସଙ୍କଟକୁ ନେଇ ନିରନ୍ତର ସେ ପୁଟିନଙ୍କ ସହ କଥା ହେଉଥିଲେ। ଶାନ୍ତି ମାର୍ଗରେ ହିଁ ବିଶ୍ୱର କଲ୍ୟାଣ ସମ୍ଭବ। ଖୁବ ଶୀଘ୍ର ବିଶ୍ୱ ଚିନ୍ତାମୁକ୍ତ ହେବ। ଦୁନିଆ ଜଲଦି ଶାନ୍ତିର ମାର୍ଗକୁ ଫେରିବ। ଶାନ୍ତିପୂର୍ଣ୍ଣ ସମାଧାନ କରି ସବୁ କ୍ଷେତ୍ରରେ ସମ୍ପର୍କକୁ ଆଗକୁ ନେବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୦୧ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇ ୨୫ ବର୍ଷ ତଳେ ଆସିଥିବା ପୁଟିନ ସେତେବେଳେ ଭାରତ ସହ ରଣନୀତିକ ସମ୍ପର୍କର ମୂଳଦୁଆକୁ ମଝଭୁତ୍ କରିଥିଲେ। ପୁଟିନଙ୍କ ସହ ମୋଦିଙ୍କ ୨୫ ବର୍ଷର ବ୍ୟକ୍ତିଗତ ସମ୍ପର୍କ ବି ଏହା ସହ ପୁରା ହୋଇଛି। ୨୦୦୧ରେ ଯେଉଁ ଭୂମିକାରେ ଥିଲେ ପୁଟିନ୍। ଆଜି ବି ଦୂରଦର୍ଶୀ ନେତା ଭାବେ ସେ ସମ୍ପର୍କକୁ ବେଶ୍ ଆଗକୁ ନେଇପାରିବେ ବୋଲି କହିଛନ୍ତି ମୋଦି। ଟ୍ରମ୍ପଙ୍କ ଚେତାବନୀକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଉଭୟ ମୋଦି ଓ ପୁଟିନ୍। ଭାରତକୁ ତେଲ ଯୋଗାଣ ଜାରି ରହିବ ବୋଲି ପୁଟିନ୍ କହିଥିଲା ବେଳେ ମୋଦି କହିଛନ୍ତି, ଋଷ୍ ନାଗରିକଙ୍କୁ ୩୦ ଦିନିଆ ଇ-ଟୁରିଷ୍ଟ ଭିସା ଓ ୩୦ ଦିନିଆ ଗ୍ରୁପ ଟୁରିଷ୍ଟ ଭିସା ମାଗଣାରେ ମିଳିବ। ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜିନାମା ସ୍ୱାକ୍ଷରିତ ହୋଇଛି। କୋପରେସନ, ମାଇଗ୍ରେସନ, ଅସ୍ଥାୟୀ ଶ୍ରମିକ ଗତିବିଧି, ହେଲଥକେୟାର, ମେଡିକାଲ ଏଜୁକେସନ, ଖାଦ୍ୟ ନିରାପତ୍ତା ଓ ମାନ, ପୋଲର ସିପ୍ସ, ମାରିଟାଇମ କୋପରେସନ, ଫର୍ଟିଲାଇଜର ଉପରେ ଏଗ୍ରିମେଣ୍ଟ ହୋଇଛି। ମିଳିତ ପ୍ରେସମିଟରେ ମୋଦି କହିଛନ୍ତି, ଆତଙ୍କବାଦର ଚେର ଗୋଟିଏ। ଆତଙ୍କବାଦ ବିରୋଧୀ ଲଢ଼େଇ ମୁଦ୍ଦା ଉପରେ ଉଭୟ ଭାରତ ଓ ଋଷ କାନ୍ଧକୁ କାନ୍ଧ ମିଶାଇ ଚାଲୁଛନ୍ତି। ଧନ୍ଦାମୂଳକ ଶିକ୍ଷା, ତାଲିମକୁ ନେଇ ମିଶିକି କାମ କରିବେ ଉଭୟ ରାଷ୍ଟ୍ର। କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି, ଏହି ବନ୍ଧୁତା ଓ ଡିପ୍ଲୋମାସି ଉଭୟ ରାଷ୍ଟ୍ର ଭିତରେ ସମ୍ପର୍କକୁ ମଝଭୁତ କରିବ। ମୋଦି ଯେଭଳି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ବିମାନବନ୍ଦରରୁ ସ୍ୱାଗତ କରିବାଠୁ ନେଇ ଏକାଠି ଗୋଟିଏ ଗାଡ଼ିରେ ଗଲେ। ସାଙ୍ଗରେ ଡିନର କରିଥିଲେ। ଏହା ସୂଚାଉଛି ବିଦେଶନୀତିକୁ ଏହା ବଡ଼ ପ୍ରତୀକାତ୍ମକ ନ୍ୟାୟ ଦେବ। ପ୍ରତିରକ୍ଷାରୁ ନେଇ ଅନେକ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ସମାନତା ଦୁଇ ରାଷ୍ଟ୍ରକୁ ବଳ ଦେବ। ପୁଟିନଙ୍କ ଗସ୍ତ ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିଲା। ଦୁଇ ରାଷ୍ଟ୍ର ଭିତରେ ବୁଝାମଣା, ଆପୋଷ ଆଲୋଚନା ଜରିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବଳ ମିଳିଲା କହିଲେ ଭୁଲ୍ ହେବନି। କ୍ରୀଡ଼ା, ସ୍ୱାସ୍ଥ୍ୟରୁ ନେଇ ଅନେକ କ୍ଷେତ୍ରରେ ବୁଝାମଣା ହୋଇଛି। ମୋଦି-ପୁଟିନଙ୍କ ଭିତରେ ସାକ୍ଷାତ ବନ୍ଧୁତା..ବିଦେଶନୀତି..ବଳର ପ୍ରତୀକ ସାଜିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now