ଭଦ୍ରକ ବିଜେଡିରେ ହଲଚଲ- ପ୍ରଫୁଲ୍ଲଙ୍କ ଭୂମିକା ସନ୍ଦେହରେ- ପଦ୍ମ ଧରିଲେ ଦୁଇ ପୁଅ ଓ ଭଉଣୀ

ଭଦ୍ରକରେ ବିଜେଡି ଗଡ଼ ଭୁଷୁଡ଼ିବାରେ ଲାଗିଛି । ୪ ବ୍ଲକ୍ ଅଧ୍ୟକ୍ଷ ବିଜେଡିକୁ ବାଏ ବାଏ କରିସାରିଲେଣି। ଆଉ ପଦ୍ମ କ୍ୟାମ୍ପକୁ ଡେଇଁଛନ୍ତି। ଆଉ ଏହା ପଛରେ ମୁଖ୍ୟ କାର୍ପଟଦାର ଭାବେ ବିବେଚନା କରାଯାଉଛି ଭେଟେରାନ ପ୍ରଫୁଲ୍ଲ ସାମଲଙ୍କୁ। ପ୍ରଫୁଲ୍ଲଙ୍କ କଥାରେ ହିଁ ୪ ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିଲେ ବୋଲି ଚର୍ଚ୍ଚା ହେଉଥିଲା। ବନ୍ତ,ବାସୁଦେବପୁର, ଭଦ୍ରକ ଓ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ଏପିସୋଡ୍ ଦେଖି ନବୀନ ନିବାସରେ ହଲଚଲ ଶୁଭିଥିଲା। ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକର ଉର୍ମିଳା ନାୟକ, ଭଣ୍ଡାରିପୋଖରୀର ସୁମତୀ ସେଠୀଙ୍କ ପରେ ଏବେ ନିକଟରେ ଇସ୍ତଫା ଦେଇଛନ୍ତି ବାସଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ। ଦଳର ଏ ଘଡ଼ିସନ୍ଧି ସମୟରେ ଏଭଳି ଇସ୍ତଫା ଧାରାକୁ କେମିତି ରୋକାଯିବ, ୪ଦିନ ତଳେ ନବୀନ ନିବାସରେ ବସିଥିଲା ବୈଠକ। ଏଭଳି ବିଶୃଙ୍ଖଳାକୁ ଦେଖି ଅସନ୍ତୋଷ ଝାଡ଼ିବା ସହ ଏ ଧାରା ରୋକିବାକୁ କୁଆଡ଼େ ପ୍ରଫୁଲ୍ଲଙ୍କୁ ଦାୟିତ୍ୱ ଦେଇଥିଲେ ନବୀନ। କାରଣ ପ୍ରଫୁଲ୍ଲଙ୍କ ଘରେ ବସି ହିଁ ଇସ୍ତଫା ପ୍ଲଟ କୁଆଡ଼େ ତିଆରି ହୋଇଥିଲା। ବନ୍ତ ବ୍ଲକ ଅଧ୍ୟକ୍ଷ ଏଭଳି ଆରୋପ ଲଦିଥିଲେ। ସେତେବେଳେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ବି ଆଉ ନିୟନ୍ତ୍ରଣରେ ନାହାନ୍ତି। ଦଳକୁ ଭାଙ୍ଗି ବିଜେପିକୁ ଚାଲିଯିବେ ବୋଲି ଆରୋପ ଲଦିଥିଲେ କିଛି ବିଜେଡି ନେତା। ପ୍ରଫୁଲ୍ଲଙ୍କ ବି ପ୍ରଛନ୍ନ ହାତ ଥିବା ସନ୍ଦେହ କରିଥିଲେ ଅନେକ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ବି ପରୋକ୍ଷରେ ପ୍ରଫୁଲ୍ଲଙ୍କୁ ଟାର୍ଗେଟ କରିଥିଲେ। ନିରନ୍ତର ଇସ୍ତଫା ଓ ବିଭାଜନ ବିବାଦରେ ଭଦ୍ରକ ବିଜେଡିରେ ସ୍ଥିରତାକୁ ନେଇ ପ୍ରଶ୍ନ ଉଠୁଥିଲା। ଭଦ୍ରକ କନ୍ଦଳରେ ଛୁଙ୍କ ମାରି ବୁଧବାର ବଦ୍ରି ପାତ୍ର ବି କହିଥିଲେ, ପ୍ରଫୁଲ୍ଲ ସ୍ଥିତି ନିୟନ୍ତ୍ରଣ କରିପାରିବା ଭଳି ଲାଗୁନି।

ସେପଟେ ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହେଲା। ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣିତକାନ୍ତି ସାମଲ ଆଜି ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି। ରାଜ୍ୟ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବରେ ସାମିଲ୍ ହୋଇଛନ୍ତି। ପ୍ରଣିତକାନ୍ତି ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି। ୩୦ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଏହି ମହାମିଶ୍ରଣ ପର୍ବ ହୋଇଛି। ଦୁଇ ପୁଅ ବିଜେଡିରୁ ବାଟ କାଟିବା ପୂର୍ବରୁ ଆଜି ସକାଳେ ପ୍ରଫୁଲ୍ଲ ଭଦ୍ରକରେ ପ୍ରେସମିଟ୍ କରି ଦଳ ସଂଗଠିତ ଅଛି। ଆଗକୁ ଅଧିକ ମଝଭୁତ୍ ହେବ ବୋଲି କହିଥିଲେ। ନବୀନଙ୍କ ନିର୍ଦେଶରେ ଜନସମ୍ପର୍କ ପଦଯାତ୍ରାର ଦ୍ୱାହି ଦେଇ ଦଳର ସାଂଗଠନିକ ସବଳତାକୁ ନେଇ ବଖାଣିଥିଲେ। ହେଲେ ସେପଟେ ନିଜ ପୁଅ ଚିତା କାଟି ପଦ୍ମ ଧରିଲେ। ଏମିତିରେ ପ୍ରୟାସକାନ୍ତି ପ୍ରାୟ ୧୫ ବର୍ଷ ଧରି ଦଳ ପାଇଁକାମ କରୁଥିଲେ। ହେଲେ ଦଳ ଟିକଟ ଦେବା ଦୂରରେ ଥାଉ। ପଦପଦବୀଟିଏ ବି ଦେଇନଥିଲା। ବାପା ପ୍ରଫୁଲ୍ଲଙ୍କୁ ବି ଚକ୍ରାନ୍ତ କରି ଭଣ୍ଡାରିପୋଖରୀରୁ ନେଇ ଭଦ୍ରକରେ ଲଢ଼ିବାକୁ କହିଥିଲା ବିଜେଡି। ଆଉ ବିଜେଡିର ଭବିଷ୍ୟତ ଏବେ ଅନ୍ଧାରର ଆକଳନ କରି ପଦ୍ମ ପୋଖରୀକୁ ଡେଇଁଛନ୍ତି ପ୍ରୟାସକାନ୍ତି ଓ ପ୍ରଣୟକାନ୍ତି। ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ବି ବିଜେପିରେ ମିଶିଛନ୍ତି। ବିଜେପି କହିଛି, ବିଜେଡି ଛିଣ୍ଡୁଛି। ପ୍ରଫୁଲ୍ଲଙ୍କ ଭଳି ନେତାଙ୍କୁ ବି କଣଠେସା କରିରଖାଯାଇଛି। କାଉଣ୍ଟରରେ ବିଜେଡି କହିଛି, ବିଜେଡିରେ ଯିଏ ପୋକ ଲାଗିଛନ୍ତି, ସେମାନେ କୌଣସି କାମରେ ଲାଗିବେନି। ବିଜେଡି ସେମାନଙ୍କୁ ଫିଙ୍ଗି ଦେଇଥିବାରୁ ବିଜେପି ଆଦରି ନେଇଛି।ଭଦ୍ରକ ଚିନ୍ତା ଘାରିଛି ବିଜେଡିକୁ। ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଭଦ୍ରକରେ ଦଳର ଏଭଳି ଅବସ୍ଥା ଲାଗି ଦାୟୀ କିଏ। କମାଣ୍ଡ ଧରିଥିବା ପ୍ରଫୁଲ୍ଲ ନା ଆଉ କିଏ। ବାପା କହୁଛନ୍ତି ଦଳକୁ ଯୋଡ଼ୁଛୁ ହେଲେ ପୁଅ ଭାଙ୍ଗିବାରେ ଲାଗିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *