ଇଣ୍ଡିଗୋରେ ଅପରେସନାଲ ଡିଜାଷ୍ଟର। ଆଜି ବି ବାତିଲ ସଙ୍କଟ ଜାରି ରହିଛି। ଲଗାତାର ୮ ଦିନରେ ବି ପରିସ୍ଥିତି ସ୍ୱାଭାବିକ ହୋଇପାରୁନି। ଆଜି ବି ଶତାଧିକ ଫ୍ଲାଇଟ୍ ବାତିଲ୍ ହୋଇଛି। ଚେନ୍ନାଇ, ବେଙ୍ଗାଲୁରୁ ଓ ଥିରୁବନନ୍ତପୁରମ ଭଳି ଏୟାରପୋର୍ଟରେ ଏ ସମସ୍ୟା ଉପୁଜିଛି। ତେବେ ଧୀରେ ଧୀରେ ଇଣ୍ଡିଗୋ କ୍ରାଇସିସ୍ ସମାଧାନ ହେବା ଦିଶିଲାଣି। କ୍ରାଇସିସ୍ ମ୍ୟାନଜେମେଣ୍ଟ ଗ୍ରୁପ କରି ସମସ୍ୟାର ସମାଧାନ ଲାଗି ଅଣ୍ଟା ଭିଡ଼ିଛି ଇଣ୍ଡିଗୋ। ସେପଟେ ଇଣ୍ଡିଗୋର ଅବହେଳା ପରେ ସରକାର ବି ଆକ୍ସନ ମୁଡରେ। ଏହାରି ଭିତରେ ଇଣ୍ଡିଗୋର ୫ ପ୍ରତିଶତ ଫ୍ଲାଇଟ୍ କାଟିବା ସହ ଡିସେମ୍ୱର ୧୦ ସଂଧ୍ୟା ୫ଟା ସୁଦ୍ଧା ନୂଆ ସିଡ୍ୟୁଲ ଦେବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଇଛି ଡିଜିସିଏ। ଡିଜିସିଏର କହିବା କଥା, ଇଣ୍ଡିଗୋ ଏୟାରଲାଇନ୍ସ ନିଜର ଉଡ଼ାଣ ସଠିକ୍ ସମୟରେ କରିପାରୁନି। କହିବାକୁ ଗଲେ ଇଣ୍ଡିଗୋ ୧୧୫ ଫ୍ଲାଇଟ୍ କମ୍ କରିଛି। ଦୈନିକ ଇଣ୍ଡିଗୋର ୨୩ଶହ ଫ୍ଲାଇଟ୍ ଅପରେଟ୍ କରିଥାଏ। ଅର୍ଥାତ ଇଣ୍ଡିଗୋର ସବୁଠୁ ବଡ଼ ଟ୍ୟାଗଲାଇନ ସମୟାନୁବର୍ତ୍ତିତା ଉପରେ ଲାଗିଛି ବଡ଼ ସରକାରୀ ଝଟକା। ଏନଡିଏ ସଂସଦୀୟ ଦଳ ବୈଠକରେ ଇଣ୍ଡିଗୋ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ଆସିଛି। ଏମିତି କୌଣସି ନିୟମ ବା ଆଇନ ହେବା ଉଚିତ ନୁହେଁ। ଯାହା ଅକାରଣରେ ନାଗରିକଙ୍କୁ ହଇରାଣ କରିବ। ଆଇନ ବା ନିୟମ ଲୋକଙ୍କ ଲାଗି ବୋଝ ନୁହେଁ, ବରଂ ସେମାନଙ୍କ ସୁବିଧା ଲାଗି ହେବା ଜରୁରୀ। ସୋମବାର ଇଣ୍ଡିଗୋ ସଙ୍କଟକୁ ନେଇ ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଥିଲେ, ଇଣ୍ଡିଗୋ ବିରୁଦ୍ଧରେ ଯେଉଁ ଆକ୍ସନ ହେବ, ତାହା ଅନ୍ୟ ଏୟାରଲାଇନ୍ସ ପ୍ରତି ବଡ଼ ଦୃଷ୍ଟାନ୍ତ ହୋଇ ରହିବ।ଆଉ ଆଜି ଲୋକସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି, ଇଣ୍ଡିଗୋର ସେବା ସ୍ୱାଭାବିକ ହେବାରେ ଲାଗିଛି। ଇଣ୍ଡିଗୋର ଦୈନିକ ଉଡ଼ାଣ ସୋମବାର ସୁଦ୍ଧା ୧୮ଶହ ଯାଏ ଛୁଇଁଥିଲା। ଆଜି ଏହା ବଢ଼ିବାର ସମ୍ଭାବନା ରହିଛି। ଉଡ଼ାଣକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଇଣ୍ଡିଗୋ ଲାଗିଛି। ରିଫଣ୍ଡ, ବ୍ୟାଗେଜକୁ ଠାବ ଓ ଯାତ୍ରୀ ସହାୟତା ଭଳି ବ୍ୟବସ୍ଥାକୁ ନିରନ୍ତର ନଜର ରଖାଯାଇଛି। ଏହା ସହ ଜବାବଦେହୀ ସୁନିଶ୍ଚିତ କରାଯିବ। ଇଣ୍ଡିଗୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଏୟାରଲାଇନ୍ସ ଯେତେ ବଡ଼ ହେଲେ ବି। ପରିଚାଳନାରେ ବିଫଳତା, ନିୟମ ଅନୁପାଳନରେ ଖିଲାଫ କରି ଯାତ୍ରୀଙ୍କୁ ହଇରାଣରେ ପକାଇଲେ ବରଦାସ୍ତ କରାଯିବନି। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବୟାନ ପରେ ଲୋକସଭାରେ ପ୍ରବଳ ହଙ୍ଗାମା କରିଥିଲେ। ଲୋକସଭାରେ କକ୍ଷତ୍ୟାଗ କରିଥିଲେ ବିରୋଧୀ ଦଳ। ଇଣ୍ଡିଗୋ ଯେଭଳି ମନମାନି କଲା, ଇଛାକୃତ ତୃଟିରୁ ଯାତ୍ରୀଙ୍କୁ ହନ୍ତସନ୍ତ କଲା। ଇଣ୍ଡିଗୋ ବିରୁଦ୍ଧରେ ସରକାର ସେଭଳି ଆକ୍ସନ ନେବାଭଳି ଜଣାପଡ଼ୁନି। ଇଣ୍ଡିଗୋ ନିୟମ ମାନିଲାନି। କାରଣଦର୍ଶାଅ ନୋଟିସର ଉତ୍ତରରେ କୌଣସି ଉତ୍ତରଦାୟିତ୍ୱର ସ୍ପଷ୍ଟତା ନାହିଁ। ସୋମବାର ସଂଧ୍ୟା ୬ଟାରେ ଇଣ୍ଡିଗୋ ସିଇଓ ଓ ମୁଖ୍ୟ ପରିଚାଳନା ଅଧିକାରୀ ଦୁହିଁଙ୍କ ଦସ୍ତଖତରେ କାରଣଦର୍ଶାଅ ନୋଟିସର ଜବାବ ଡିଜିସିଏକୁ ଦିଆଯାଇଛି। ଦୁର୍ଭାଗ୍ୟପୂର୍ଣ୍ଣ ଓ ଅପ୍ରତ୍ୟାଶିତ ବୋଲି କହିଛି ଇଣ୍ଡିଗୋ। ତେବେ ଏଭଳି ସଙ୍କଟ ପଛରେ ଅସଲ କାରଣ ଏବେ କହିବା ସମ୍ଭବ ନୁହେଁ ବୋଲି କହିଛି ଇଣ୍ଡିଗୋ। କୌଣସି କାରଣଦର୍ଶାଅ ନୋଟିସର ଜବାବ ଦେବାକୁ ୧୫ ଦିନ ମିଳିଥାଏ। ଏହି ଅବଧି ଭିତରେ ରୁଟ୍ କଜ୍ ଆନାଲିସିସ୍ ବା ଆରସିଏ ପାଇଁ ଅତିରିକ୍ତ ସମୟ ଜରୁରୀ। ଆରସିଏ ପୁରା ହେବା ପରେ ହିଁ ଡିଜିସିଏକୁ ବିସ୍ତୃତ ରିପୋର୍ଟ ଦେବ ଇଣ୍ଡିଗୋ। ଯାତ୍ରୀଙ୍କୁ ଭୋଜନ, ରିଫ୍ରେସମେଣ୍ଟ, ହୋଟେଲ ଓ ସ୍ଥାନୀୟ ପରିବହନର ଯଥାସମ୍ଭବ ବ୍ୟବସ୍ଥା କରାଯାଇଥିଲା। ଯାତ୍ରୀଙ୍କୁ ସମୟ ଅନୁସାରେ ରିଫଣ୍ଡ କରାଯାଇଛି। ଇଣ୍ଡିଗୋର ଇଛାକୃତ ତୃଟିରୁ ଲକ୍ଷ ଲକ୍ଷ ଯାତ୍ରୀ ହନ୍ତସନ୍ତ ହୋଇଥିଲା ବେଳେ ଏଭଳି ଉତ୍ତର ବିରୋଧୀଙ୍କୁ ତତାଇ ଦେଇଛି। ଆଉ ଇଣ୍ଡିଗୋକୁ ସରକାର କେତେ ମହଲତ ଦେବେ। କେତେଦିନ ଇଣ୍ଡିଗୋର ମନମାନିକୁ ସହି ଯାତ୍ରୀଙ୍କୁ ହଇରାଣରେ ପକାଇବେ ସରକାର ବୋଲି ପଚାରିଛନ୍ତି ବିରୋଧୀ। ନୂଆ ଏଫଡିଟିଏଲ ନିୟମ ଇଣ୍ଡିଗୋର ପୋଲ୍ ଖୋଲିଦେଇଛି। ଯାହାକୁ ମାନିବାକୁ ଇଣ୍ଡିଗୋ ପ୍ରସ୍ତୁତ ନଥିଲା। ବାକି ଏୟାରଲାଇନ୍ସ ଏହାକୁ ମାନି ନିଜ ଫ୍ଲାଇଟ୍ ସମୟରେ ଉଡ଼ାଣ ଭରିଥିଲା ବେଳେ ଇଣ୍ଡିଗୋର ମନୋପଲି ଯାତ୍ରୀଙ୍କୁ ଜାଣିଶୁଣି ହଇରାଣରେ ପକାଇଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now