ବେଆଇନ ଖଣିଜ ଉତ୍ତୋଳନରୁ କେବେ ସୁଦ୍ଧା ବକେୟା ଆଦାୟ ହେବ। ଏ ସମ୍ପର୍କିତ ମାମଲା ତୁରନ୍ତ ଫୈସଲା କର। ଓଡ଼ିଶା ହାଇକୋର୍ଟକୁ ଏ ସମ୍ପର୍କିତ ମାମଲାର ଫୈସଲା ସାରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ରିକଭରି ଉପରେ ହାଇକୋର୍ଟ ରହିତାଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି ଯେ, ସେ ତୁରନ୍ତ ଏ ମାମଲାର ଫୈସଲା ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ କର। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ସମସ୍ତ ମାମଲାର ଫୈସଲା କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଯଦି ମାମଲା ତୁଟାଇବାକୁ କୌଣସି ଅସୁବିଧା ହୁଏ, ତାହେଲେ ହାଇକୋର୍ଟ ଅନ୍ତତଃ ରାଜ୍ୟ ସରକାର କରିଥିବା ଅନ୍ତରୀଣ ରହିତାଦେଶକୁ ହଟାଇବା ଆବେଦନ ଉପରେ ନିଷ୍ପତ୍ତି ନିଅନ୍ତୁ। ବେଆଇନ ଖଣି ଉତ୍ତୋଳନରୁ ପ୍ରାୟ ୨୭ଶହ କୋଟି ଟଙ୍କା ଆଦାୟ ହେବାକୁ ବାକି ଅଛି। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ଏଜି ମସିହା ଏହାର ଶୁଣାଣୀ କରି ଏଭଳି ନିର୍ଦେଶ ଦେଇଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ବେଆଇନ ମାଇନିଂ କରିଥିବା ଲିଜ୍ ହୋଲଡରଙ୍କଠୁ ଆଦାୟ ହୋଇନି। ବିଶେଷ କରି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଖିଲାଫି ଲିଜ୍ ହୋଲଡରଙ୍କଠୁ ଏହା ଆଦାୟ ହୋଇନି। ସେପ୍ଟେମ୍ୱର ୧୭ରେ କୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ, ରିକଭରି ପ୍ରୋସେସ ବାବଦରେ ଷ୍ଟାଟସ ରିପୋର୍ଟ ଦାଖଲ କରନ୍ତୁ। ଅକ୍ଟୋବର ୨୯ରେ ରିକଭରି ବାବଦରେ ଆଉ ୨୭ଶହ କୋଟି ଟଙ୍କା ଆଦାୟ ବାକି ଅଛି ବୋଲି କୁହାଗଲା। ଏହାକୁ ଶୁଣି କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଚରମ ଅବହେଳାକୁ ଦାୟୀ କରି ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟରେ ଆଇନଜୀବି ପ୍ରଣବ ସଚ୍ଚଦେବା ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ, ହାଇକୋର୍ଟରେ ଏ ନେଇ ଦୁଇଟି ମାମଲା ରହିଛି। ପ୍ରଥମ କ୍ୟାଟାଗୋରୀରେ ରିକଭରି ଉପରେ ଅନ୍ତରୀଣ ରହିତାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏ ସବୁ ମାମଲା ଅବିଳମ୍ୱେ ତୁଟାଇବାକୁ କୁହାଯାଉ। ଦ୍ୱିତୀୟ କ୍ୟାଟାଗୋରୀରେ ଏମିତି ଅନେକ ମାମଲା ଅଛି, ରିକଭରି ଅର୍ଡର ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ୍ କରିବା ଉଚିତ୍। ସୁପ୍ରିମକୋର୍ଟରେ ଏ ନେଇ ସ୍ପେଶିଆଲ ଲିଭ୍ ପିଟିସନ ପକାଇବା ଜରୁରୀ। ବିନା ସୁଧରେ ଆଦାୟ ହେଲେ ଜରିମାନା ପରିମାଣ ୨୭ଶହ କୋଟି ଟଙ୍କା ହେବ। ଆଉ ସୁଧ ମିଶାଇଲେ ଏହା ୬ହଜାର କୋଟି ଟଙ୍କା ଡେଇଁବ। ଗଲା ୨ ବର୍ଷ ଭିତରେ କୋର୍ଟ ୧୦ଟି ଅର୍ଡର କଲେଣି। ଆଉ ଏହାର କେବଳ ଗୋଟିଏ ପରିଣାମ ହେଲା, ଆକୋନୋଲେଜମେଣ୍ଟ। ଏହି ନୂଆ ସତ୍ୟପାଠରେ ସରକାର କହିଲେଣି, ଏହା ଗମ୍ଭୀର ସମସ୍ୟା। ଜିଲ୍ଲାପାଳଙ୍କୁ କୁହାଯାଇଛି, ଗଲା ୭ ବର୍ଷ ହେଲା ସାର୍ଟିଫିକେଟ କେସ୍ କରି ମାମଲାକୁ ତ୍ୱରିତ ଫୈସଲା କରିବାକୁ। କିନ୍ତୁ ରିକଭରି ବାବଦରେ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଇନି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ଏହାକୁ ଅନୁପାଳନ ହୋଇନି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ୧୯ ସାର୍ଟିଫିକେଟ କେସ୍ ପେଣ୍ଡିଂ ଅଛି। ଏହା ସମୟସାପେକ୍ଷ। ଅନେକ ଖିଲାଫୀ ମୃତ୍ୟୁବରଣ କରିଛନ୍ତି। କର୍ତ୍ତୃପକ୍ଷ ସେମାନଙ୍କ ପ୍ରତିନିଧିଙ୍କୁ ଅବଗତ କରାଇବାରେ ଲାଗିଛନ୍ତି। ଅନେକ ସାର୍ଟିଫିକେଟ ନୋଟିସ କେସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମସ୍ୟା ହେଉଛି, ସେମାନେ ନିଜ ଆଡ଼ୁ ଆସନ୍ତୁ ଓ ଏହା ତାଙ୍କ ସମ୍ପତ୍ତି ନୁହେଁ ବୋଲି କହିବେ। ତା ପରେ ଯାଇ ସମ୍ପତ୍ତି ଆଟାଚ୍ କରାଯିବ। ୨୦୧୭ ରାୟରେ ସୁପ୍ରିମକୋର୍ଟ କହିଥିଲେ, ବିନା ପରିବେଶ ମଞ୍ଜୁରୀ, ଜଙ୍ଗଲ ବିଭାଗର ଅନୁମତିରେ ବେଆଇନ ଭାବେ ଅନେକ ଖଣି ଲିଜଧାରୀ ଆଇରନ ଓ ମାଙ୍ଗାନିଜ୍ ଖଣି ଉତ୍ତୋଳନ କରିଥିଲେ। ଏମଏମଡିଆର ଆକ୍ଟ ଅନୁସାରେ ଖିଲାଫିଙ୍କଠୁ ପୁରା ଅର୍ଥ ଆଦାୟ କରାଯାଉ। ସେତେବେଳେ ଏହାର ପରିମାଣ ୧୭ହଜାର୫ଶହ କୋଟି ଥିଲା। ଜାନୁଆରୀ ୨୦୨୫ରେ କୋର୍ଟରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରାଳୟ ସତ୍ୟପାଠରେ ଦର୍ଶାଇଥିଲେ ଯେ, ମୋଟ୍ ୨୭୨୧କୋଟି୬୫ଲକ୍ଷ ଟଙ୍କା ବାକି ଅଛି। ସୁଧ ମିଶାଇଲେ ଏହା ୩୫୦୬.୬୮କୋଟି ହେଉଛି। ରିକଭରି ପ୍ରୋସିଡିଂ ପାଇଁ ବିଭିନ୍ନ ଫୋରମରେ ଆକ୍ସନ ନିଆଯାଉଛି। ଓଡ଼ିଶା ପବ୍ଲିକ ଡିମାଣ୍ଡସ ରିକଭରି ଆକ୍ଟ, ୧୯୬୨ରେ ଆକ୍ସନ ନିଆଯିବ। ସେହି ସତ୍ୟପାଠ ଅନୁସାରେ ମାତ୍ର ୩ଜଣ ଲିଜଧାରୀଙ୍କଠୁ କ୍ଷତିପୂରଣ ଆଦାୟ ହୋଇଛି। ଆଉ ୪ ମାମଲାରେ ରିକଭରି ପ୍ରକ୍ରିୟା ଜାରି ରହିଛି। ୫ଟି ମାମଲାରେ ବିବାଦ ଲାଗି ରିକଭରି ସ୍ଥଗିତ ରଖାଯାଇଛି। ୧୪ ଟି କେସରେ ଓପିଡିଆର ଆକ୍ଟ ଅନୁସାରେ ଆଟାଚମେଣ୍ଟ ପ୍ରୋସିଡିଂ ଚାଲିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now