ଇନ୍ଦିରା ଭବନରେ ବସିଥିଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ। ଖଡ଼ଗେ, ସୋନିଆ ଓ ରାହୁଲଙ୍କ ସମେତ ବହୁ ବରିଷ୍ଠ ନେତା ମିଳିତ ମାନସମନ୍ଥନ କରିଛନ୍ତି। ଦୀର୍ଘ ସମୟ ବ୍ୟବଧାନ ପରେ ଶଶୀ ଥରୁର ବି ଏହି ବୈଠକରେ ସାମିଲ୍ ହୋଇଥିଲେ। ଗଲା କିଛି ମାସ ହେଲା କଂଗ୍ରେସ ବୈଠକରେ ସାମିଲ୍ ହେଉନଥିଲେ ଶଶୀ। କଂଗ୍ରେସ ଲାଇନରୁ ହଟି ବୟାନବାଜି ବି କରୁଥିଲେ। ବୈଠକ ଆରମ୍ଭ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଜି ରାମ ଜି ଆଇନରେ ପରିବର୍ତ୍ତନ, ଏସଆଇଆର, ଆରାବଳୀ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ବଡ଼ଦିନରେ ଭାରତର ଅନେକ ଜାଗାରେ ଭାଇଚାରା ବିଗାଡ଼ିଥିବା ଆଦି ଅନେକ ପ୍ରସଙ୍ଗକୁ ନେଇ ବିସ୍ତୃତ ଚର୍ଚ୍ଚା ହୋଇଛି। ମନରେଗା ସ୍କିମରୁ ମହାତ୍ମାଗାନ୍ଧୀଙ୍କ ନାଁ ବାଦ୍ ଦେଇଥିବାରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନକୁ ଜୋରଦାର କରିବାକୁ ଖସଡ଼ା ପ୍ରସ୍ତୁତ କରିଛି କଂଗ୍ରେସ। ଏହା ବାପୁଙ୍କ ପ୍ରତି ଅପମାନ ବୋଲି କହିଛି କମିଟି। ଏହି ସ୍କିମରେ ରାଜ୍ୟ ଉପରେ ୪୦ ପ୍ରତିଶତ ଆର୍ଥିକ ବୋଝ କେନ୍ଦ୍ର ଲଦିଦେବାରୁ ଅନେକ ରାଜ୍ୟରେ ସ୍କିମ ବନ୍ଦ ହେବ ଓ ଶ୍ରମିକ କାମ ପାଇବେନି କହି ଆଶଙ୍କା କରି ଆଇନକୁ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ କଂଗ୍ରେସ। ଜାନୁଆରୀ ୫ରୁ ଜି-ରାମଜି ଆଇନ ବିରୁଦ୍ଧରେ ବିକ୍ଷୋଭ କରିବ କଂଗ୍ରେସ। ସଡ଼କରୁ ନେଇ ସଂସଦ ଯାଏ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଦଳ। ଜାନୁଆରୀ ୫ରୁ ମନରେଗା ବଞ୍ଚାଅ ଅଭିଯାନ ଆରମ୍ଭ ହେବ। ଏଆଇସିସି ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି, ଶପଥ ଓ ସଂକଳ୍ପ ନେଇଛି ଦଳ। ଗ୍ରାମୀଣ ମଜଦୁରଙ୍କ ସମ୍ମାନ, ରୋଜଗାର, ସମୟ ଅନୁସାରେ ପାଉଣା ପାଇବାର ଅଧିକାରକୁ ହାସଲ ଲାଗି ସଂଘର୍ଷ କରିବ କଂଗ୍ରେସ। ଡିମାଣ୍ଡ ଆଧାରିତ ରୋଜଗାର ଓ ଗ୍ରାମସଭାର ଅଧିକାରକୁ ରକ୍ଷା କରିବୁ ବୋଲି କହିଛନ୍ତି ଖଡ଼ଗେ। ମନରେଗାରୁ ଗାନ୍ଧୀଙ୍କ ନାଁ ହଟାଇବା ଓ ଶ୍ରମିକଙ୍କ ଅଧିକାରକୁ ବିପଦରେ ପକାଇବା ଭଳି ସମସ୍ତ ଷଡ଼ଯନ୍ତ୍ରର ଲୋକତାନ୍ତ୍ରିକ ବିରୋଧ ହେବ ବୋଲି ଶପଥ ନେଇଛି କଂଗ୍ରେସ। ଗାଁ ଗାଁରେ ଏହି ସ୍ୱରକୁ ପହଞ୍ଚାଇବାକୁ କଂଗ୍ରେସ ସଂକଳ୍ପ ନେଇଛି। କଂଗ୍ରେସର ସବୁଠୁ ବଡ଼ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିରେ ଆଗାମୀ ସାଧାରଣ ନିର୍ବାଚନରେ ଦଳ କେଉଁ ସବୁ ମୁଦ୍ଦାକୁ ଗଣ୍ଠି କରିବ। ସଂଗଠନକୁ ମଝଭୁତ୍ ସହ ଲୋକଙ୍କର କେମିତି ଦଳ ଆସ୍ଥାଭାଜନ ହେବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଛି। ସମ୍ପ୍ରତ୍ତି ସାଂଗଠନିକ ସ୍ଥିତି ଓ ରାଜନୈତିକ ପରିସ୍ଥିତି ଭିତରେ କଂଗ୍ରେସ କେମିତି ଆଗକୁ ଆସିବ। ମେଣ୍ଟ ସହଯୋଗୀଙ୍କ ସହ ଉତ୍ତମ ବୁଝାମଣା ରଖି ଏନଡିଏକୁ କେମିତି ମୁକାବିଲା କରିବ। ଏ ସବୁ ଦିଗକୁ ଟିକିନିଖି ଅନୁଶୀଳନ କରାଯାଇଛି ସିଡବ୍ଲୁସିରେ। ଆଜି ଯାଏଁ ୫ଶହ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି ସରିଲାଣି। ବାକି ଥିବା ଜିଲ୍ଲା ସଭାପତି ନିଯୁକ୍ତି ପ୍ରକ୍ରିୟା ୧୨୦ ଦିନ ଭିତରେ ସରିବ। ବୁଥ ସ୍ତରରୁ ସଂଗଠନକୁ ମଝଭୁତ୍ ସହ ଜବାବଦେହୀ କରିବାକୁ ହେବ। ଏପ୍ରିଲ-ମେ ବେଳକୁ ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଓ ପୁଡ୍ଡୁଚେରୀରେ ନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ଓ ରଣନୀତି ଆରମ୍ଭ ହୋଇଛି। ଭୋଟ ଚୋରିକୁ ରୋକିବାକୁ ହେବ। ତାଲିକାରୁ ଯେଭଳି ନାଁ ନ କଟିବ, ସେଥିଲାଗି ଆଖି ଖୋଲା ରଖିବାକୁ ପଡ଼ିବ। ଗଲା ୧୧ ବର୍ଷ ଧରି ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ ଚାଲିଛି। ବିଜେପି ଓ ଆରଏସଏସ ନାସନାଲ ହେରାଲ୍ଡ ମୁଦ୍ଦାରେ କଂଗ୍ରେସ ନେତାଙ୍କ ଛବିକୁ ମଳିନ କରିବାରେ ଲାଗିଛନ୍ତି। ଏହି ନ୍ୟାୟିକ ଲଢ଼େଇରେ କଂଗ୍ରେସ ଜିତିବ। ଲୋକତନ୍ତ୍ର, ସମ୍ୱିଧାନ ଓ ନାଗରିକ ଅଧିକାର ଉପରେ ଗମ୍ଭୀର ସଙ୍କଟ ପଡ଼ିଛି।ଏଆଇସିସି ଦପ୍ତର ଭିତରେ ବୈଠକ ଜାରି ଥିଲା ବେଳେ ବାହାରେ କର୍ଣ୍ଣାଟକରେ ଚାଲିଥିବା ସତ୍ତା ସଂଘର୍ଷର ଚିତ୍ର ଥିଲା। କର୍ଣ୍ଣାଟକ କଂଗ୍ରେସର କିଛି ନେତା କର୍ଣ୍ଣାଟକରେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ଆନ୍ଦୋଳନ କରିଥିଲେ। କର୍ଣ୍ଣାଟକର ଗୃହ ମନ୍ତ୍ରୀ ତଥା ଦଳିତ ନେତା ଜି.ପରମେଶ୍ୱରଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ପ୍ରଦର୍ଶନ କରିଥିଲେ। ଯେବେକି ସିଡବ୍ଲୁସି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଉପସ୍ଥିତ ଥିଲେ। କିଛି ଦିନ ତଳେ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଚୌକି ପାଳିର ବିବାଦ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭିତରେ ବ୍ରେକଫାଷ୍ଟ ଟେବୁଲରେ ତୁଟିଥିବା କୁହାଯାଇଥିଲା।ବିଜେପି କହିଛି, ବିହାରରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଏହା କଂଗ୍ରେସର ହ୍ୱାଇଟଓ୍ୱାସ୍ କମିଟି। ସିବ୍ଲୁସିର ସାହାସ ଅଛି କି, ବିହାର ପରାଜୟ ଲାଗି ରାହୁଲଙ୍କୁ ଦାୟୀ କରିପାରିବ। ରାହୁଲଙ୍କ ମିଛ ଭୋଟଚୋରୀ ପ୍ରଚାରରୁ ଦଳକୁ ଏତେ ବଡ଼ ମହଙ୍ଗା ପଡ଼ିଲା ବୋଲି କହିପାରିବ କି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ କଳିରୁ ଶାସନ ବ୍ୟବସ୍ଥା ଭୁଷୁଡ଼ିପଡ଼ିଲାଣି। ଜନତା ତ୍ରାହି ତ୍ରାହି ଡାକିଲେଣି। ଏ କଥା ସିଡବ୍ଲୁସି ଦେଖି ନଦେଖିଲା ଭଳି ରହିବ। କଂଗ୍ରେସ ଅସୁରକ୍ଷିତ ମଣୁଛି। ନା ଜନତାଙ୍କ ବିଶ୍ୱାସ ଜିତିପାରୁଛି ନା ବିଫଳତା ପାଇଁ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିପାରୁଛି କଂଗ୍ରେସ। ଶ୍ରମିକଙ୍କ ସ୍ୱାର୍ଥ ସକାଶେ ମୋଦି ସରକାର ସଂକଳ୍ପବଦ୍ଧ। ଶ୍ରମିକଙ୍କୁ କାମ ଦେବାର ଅବଧି ଶହେ ଦିନରୁ ୧୨୫ ଦିନ ବଢ଼ିଛି। ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ପାଥେୟ କରି ହିଁ ଜି-ରାମ-ଜି ଆଇନ ଆସିଛି। ସିଡବ୍ଲୁସି ବୈଠକରେ ଆଗାମୀ ରଣନୀତି ନେଇ ଖସଡ଼ା ପ୍ରସ୍ତୁତ ହୋଇଛି। ଏହାରି ଭିତରେ ଆଭ୍ୟନ୍ତରୀଣ କନ୍ଦଳକୁ ସମାପ୍ତ, ମେଣ୍ଟ ସହଯୋଗୀଙ୍କ ସହ ଉତ୍ତମ ବୁଝାମଣା ରଖିବା, ତୃଣମୂଳସ୍ତରର କର୍ମୀଙ୍କ ମନୋବଳ ବୃଦ୍ଧି ସହ ପ୍ରସଙ୍ଗଭିତ୍ତିକ ଲଢ଼େଇକୁ ଜୋରଦାର କରିବାକୁ ମୋହର ମାରିଛି ସିଡବ୍ଲୁସି।

Naxatra News is now on Whatsapp
Join and get latest news update delivered to you via whatsapp
Join Now