୨୦୨୫ ବର୍ଷ କେମିତି ରହିଲା। ଭାରତ କଅଣ ପାଇଲା। ମୋଦିଙ୍କ ନେତୃତ୍ୱରେ ଦେଶର ସମୃଦ୍ଧି କେତେ ହେଲା। ପ୍ରଧାନମନ୍ତ୍ରୀ ମୋଦି ନମୋ ଆପ୍ ରେ କୂଟନୈତିକ, ସାଂସ୍କୃତିକ ଇଭେଣ୍ଟର ଫଟୋ ସେୟାର କରି ଏହାକୁ ଦର୍ଶାଇଛନ୍ତି। ମନ୍ଦିର, ସୀମାବର୍ତ୍ତୀ ଏରିଆକୁ ଗସ୍ତ, ଭିତ୍ତିଭୂମି ମାଇଲଷ୍ଟୋନ ଓ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମର ନଜିର ଦେଇଛନ୍ତି ମୋଦି। ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଣତ ହୋଇଛି। ଜାପାନକୁ ପଛରେ ପକାଇଦେଇଛି ଭାରତ। ସରକାରଙ୍କ ଦାବି, ଭାରତର ମୋଟ୍ ଜିଡିପି ୪.୧୮ ଟ୍ରିଲିୟନ ଡଲାର ଯାଏଁ ପହଞ୍ଚିଛି। ଆସନ୍ତା ୩ ବର୍ଷ ଭିତରେ ଜର୍ମାନୀକୁ ପଛରେ ପକାଇବ ବୋଲି ଆଶାବାଦୀ। ୨୦୩୦ ସୁଦ୍ଧା ଜିଡିପି ୭.୩ ଟ୍ରିଲିୟନ ଡଲାର ଛୁଇଁପାରେ। ନୀତି ଆୟୋଗ ବୈଠକରେ ଆଗାମୀ ବଜେଟର ରୂପରେଖ ନେଇ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେଇଛନ୍ତି ମୋଦି। ବିଜ୍ଞାନ, ପ୍ରତିରକ୍ଷା, କ୍ରୀଡ଼ା ସବୁ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଉପଲବ୍ଧି କରିଛି। ଆତ୍ନନିର୍ଭର ଭାରତର ମଡେଲ୍ ଭାରତର ଭବିଷ୍ୟତକୁ ସୁନିଶ୍ଚିତ କରୁଛି। ବିଜେପି କହିଛି, ମୋଦିଙ୍କ ନେତୃତ୍ୱରେ କେବଳ ବର୍ତ୍ତମାନର ଆହ୍ୱାନ ସହ ଲଢ଼ିବା ନୁହେଁ। ବରଂ ଆସନ୍ତା ୨୫ ବର୍ଷ ଠୋସ୍ ଯୋଜନା ସହ ଭବିଷ୍ୟତର ମୂଳଦୁଆକୁ ବି ମଝଭୁତ କରାଯାଉଛି। ସ୍ପଷ୍ଟ ଭିଜନ, ନିର୍ଣ୍ଣାୟକ ନେତୃତ୍ୱ ଓ ରାଷ୍ଟ୍ରହିତରେ ନିଆଯାଉଥିବା ଅନେକ ଐତିହାସିକ ନିଷ୍ପତ୍ତିକୁ ସାକାର କରାଯାଉଛି। ଅପରେସନ ସିନ୍ଦୂରର ସଫଳତା, ଦିଲ୍ଲୀ ଓ ବିହାରରେ ଜିତ୍ ଭାରତୀୟ ରାଜନୀତିକୁ ନୂଆ ଦିଶା, ଜିଏସଟିରେ ସୁଧାର, ଇନକମ ଟାକ୍ସରେ ରିହାତି ଆଦି ଅନେକ ସଫଳତାର ଶ୍ରେୟ ମୋଦିଙ୍କୁ ଦେଇଛି ଦଳ। କିନ୍ତୁ ପୁରା ବିରୋଧୀ ଦଳ ମୋଦିଙ୍କ ବିରୁଦ୍ଧରେ ଘୃଣା କ୍ୟାମ୍ପେନ ଜାରି ରଖିଛନ୍ତି। ଯାହାକୁ ଜନତା ବାରମ୍ୱାର ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ସଂସ୍କାର ପାଇଁ ଠୋସ୍ ନିଷ୍ପତ୍ତିର ମିସାଲ୍ ଅଟନ୍ତି ମୋଦି। ସ୍ଲୋଗାନରେ ସୀମିତ ନୁହଁନ୍ତି। ବିରୋଧୀ କହିଛନ୍ତି, ସବୁଥିରେ ମୋଦି ଫେଲ୍। ଜିଡିପିରେ ଆଗକୁ ବଢ଼ିବା ସତ୍ତ୍ୱେ ଭାରତୀୟଙ୍କ ଆୟ ଏବେ ବି ବହୁ କମ୍ ରହିଛି ବୋଲି କହିଛନ୍ତି ବିରୋଧୀ। ବିଶ୍ୱବ୍ୟାଙ୍କ୍ ଆକଳନ ଅନୁସାରେ, ୨୦୨୪ରେ ଭାରତର ପ୍ରତି ବ୍ୟକ୍ତିର ଆୟ ୨,୬୯୪ ଡଲାର ଥିଲା। ଯାହା ଜାପାନରୁ ୧୨ ଗୁଣା ଓ ଜର୍ମାନୀରୁ ୨୦ଗୁଣା କମ୍। ୨୦୨୫ ବର୍ଷ ଭାରତ ଲାଗି ଭଲ ରହିଲାନି। ଅର୍ଥନୀତି ବ୍ୟବସ୍ଥା ଭୁଷୁଡ଼ିଛି। ସୁରକ୍ଷା ସହ ଖେଳାଗଲା। ଜାତି, ଧର୍ମ ନାଁରେ ନିର୍ଦୋଷ ଲୋକଙ୍କ ଜୀବନ ଗଲା। ବୈଦେଶିକ ନୀତି ଅତି ଦୁର୍ବଳ। ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ବୋଝ ଲଦିଲେ। ମେକ୍ସିକୋ ବି ୫୦ ପ୍ରତିଶତ ଟାରିଫ ମାଡ଼ କଲା। ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲା। ଦୁଷିତ ପାଣିରୁ ଇନ୍ଦୋରରେ ଜୀବନ ଯାଉଛି। ବାୟୁ ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ମୁକାବିଲା ଲାଗି କୌଣସି ରୋଡମ୍ୟାପ୍ ନାହିଁ। କଫ୍ ସିରପ କାଳ ସାଜିଛି। ବିଜେପିର ୧୧ ବର୍ଷ ଶାସନରେ ମନରେଗାକୁ ଖତମ କରି ଗରିବଙ୍କ କାମ କରିବାର ଅଧିକାରକୁ ଛଡ଼ାଇନିଆଗଲା। ଏସଆଇଆର ଆଳରେ ଭୋଟ ଚୋରୀ କଲା ବିଜେପି। ପାକିସ୍ତାନ ସହ ଯୁଦ୍ଧ ବନ୍ଦ ପଛରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ଉପରେ ମୋଦିଙ୍କ ମୌନତା କାହିଁକି। ଏବେ ଚୀନ ବି କହିଲାଣି, ସେମାନଙ୍କ ମଧ୍ୟସ୍ଥତାରୁ ଯୁଦ୍ଧ ବନ୍ଦ ହେଲା। ମଣିପୁରରେ ରାଷ୍ଟ୍ରପତି ଶାସନ କାହିଁକି। ବର୍ଣ୍ଣବୈଷମ୍ୟତାର ଶୀକାର ହୋଇ ତ୍ରିପୁରାରେ ଏମବିଏ ଛାତ୍ରଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ।ମହଙ୍ଗା ମାଡ଼ରେ ଲୋକେ ସନ୍ତୁଳିତ ହେଉଛନ୍ତି। ଦଳିତ, ଆଦିବାସୀ, ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସୁପ୍ରିମକୋର୍ଟର ସିଜେଆଇଙ୍କୁ ବି ଛାଡ଼ିଲେନି। ଆରାବଳୀକୁ ଖୋଳି ଖଣି ମାଫିଆଙ୍କୁ ଦେବାର ଷଡ଼ଯନ୍ତ୍ର ଧରାପଡ଼ିଛି। କୁମ୍ଭମେଳାରୁ ନେଇ ଦିଲ୍ଲୀ ଷ୍ଟେସନରେ ଦଳାଚକଟା। କୌଣସି ଉତ୍ତରଦାୟିତ୍ୱ ନାହିଁ। ମୋଟ୍ ଉପରେ ୨୦୨୫ରେ ବିଜେପିର ଲୁଟ୍, ଭ୍ରଷ୍ଟାଚାର ଓ କୁଶାସନ ଦେଶର ଜନତାଙ୍କ ଉପରେ ଭାରି ପଡ଼ିଲା।ସେପଟେ ଓଡ଼ିଶାରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ନେଇ କଟାକ୍ଷ କରିଛି ବିଜେଡି। ୨୦୨୫ରେ ଡବଲ ଇଞ୍ଜିନ୍ ସରକାର ଆଇନଶୃଙ୍ଖଳାରେ ବିଫଳ ହୋଇଛି। ଗଲା ଦେଢ଼ ବର୍ଷରେ ୪୦ହଜାରରୁ ଅଧିକ ମହିଳା ଓ ଶିଶୁ ବିରୋଧୀ ମାମଲା ହେଲାଣି। ବିଏମସି ଅଫିସରେ ପଶି ଅଫିସରଙ୍କୁ ବାଡ଼େଇଲେ। ଏ ଭୟ ନବୀନ ସରକାରରେ ନଥିଲା। ୨୦୨୬ରେ ଅନ୍ତତଃ ସରକାର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି କହିଛି ବିଜେଡି। କଂଗ୍ରେସ କହିଛି, ଟାଟା ପାଓ୍ୱାରର ବେନିୟମ ନୀତିକୁ କେମିତି ବରଦାସ୍ତ କରୁଛନ୍ତି ସରକାର। ସୁରକ୍ଷା ରାଶି ପ୍ରତ୍ୟାହାର ଓ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଣ ନ ହେବା ଯାଏଁ, ଟାଟା ପାଓ୍ୱାରରେ ତାଲାପକା ଆନ୍ଦୋଳନ ଜାରି ରହିବ। ମୋହନ ସରକାର ଗରିବମାରଣ ନୀତି ଆପଣାଇ ଶିଳ୍ପପତି, ପୁଞ୍ଜିପତିଙ୍କ ହାତବାରିସି ସାଜିଥିବାର ଆରୋପ ଲଦିଛନ୍ତି ପିସିସି ସଭାପତି। ଜୟଦେବ ଭବନରେ ଚାଏ ପେ ଚର୍ଚ୍ଚା ଆଳରେ ଡବଲ ଇଞ୍ଜିନ ସରକାରର ଗୋହି ଖୋଳିଛି କଂଗ୍ରେସ। ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ଅଛି। ବିଜେଡି ନିଜର ମତଭେଦକୁ ଆଗ ସମ୍ଭାଳୁ। ୨୦୨୫ର ରିପୋର୍ଟ କାର୍ଡ। ବିକାଶ, ସମୃଦ୍ଧି ଓ ଉପଲବ୍ଧିର କଥା ଡବଲ ଇଞ୍ଜିନ ସରକାର କହୁଥିଲା ବେଳେ ବିରୋଧୀ ଏହାକୁ କାଉଣ୍ଟର କରି ହିସାବ ଥୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now