ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଅତିଶୀଙ୍କ ବୟାନକୁ ନେଇ ବିବାଦ ଥମିବାର ନାଁ ଧରୁନି କି ରାଜନୀତି ସରୁନି। ବିଧାନସଭାରେ ଅତିଶୀ ଧର୍ମଗୁରୁ ତେଗ୍ ବାହାଦୂର ସାହିବଙ୍କ ବିରୁଦ୍ଧରେ କୁଆଡ଼େ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏବେ ଏ ଭିଡ଼ିଓର ଫରେନସିକ ଲ୍ୟାବ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହାକୁ ନେଇ ଆମ୍ ଆଦମୀ ଦଳ ଓ ପଞ୍ଜାବ ପୁଲିସର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଏ ମାମଲାରେ ନୂଆ ମୋଡ଼ ଆସିଛି। ଗୋଟିଏ ପଟେ ଜଳନ୍ଧର କୋର୍ଟ ଏହି ବିବାଦ ସମ୍ୱନ୍ଧିତ ଭିଡ଼ିଓକୁ ଏଡିଟେଡ୍ କହିଥିଲେ। ଆଉ ଏବେ ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା ପ୍ରେସମିଟ୍ କରି କହିଲେଣି, ଏହା ଏଡିଟେଡ୍ ଭିଡ଼ିଓ ନଥିଲା। ଏହା ସହ ଆପ୍ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବି ଚେତାବନୀ ଦେଇଛନ୍ତି। ପଞ୍ଜାବ ପୁଲିସ ଦ୍ୱାରା କରାଯାଇଥିବା ଫରେନସିକ ଯାଞ୍ଚ ରିପୋର୍ଟ ଆଧାରରେ ଜଳନ୍ଧର କୋର୍ଟ କହିଥିଲେ, ଭିଡ଼ିଓକୁ ଏଡିଟ୍ ହୋଇଛି। ପଞ୍ଜାବ ପୁଲିସର କହିବା ଅନୁସାରେ, ନିଜ ଭାଷଣରେ ଗୁରୁ ଶବ୍ଦର ପ୍ରୟୋଗ କରିନଥିଲେ ଅତିଶୀ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିଲାଗି ୨୪ ଘଣ୍ଟା ଭିତରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏ ଭିଡ଼ିଓ ହଟାଇବାକୁ ବିଜେପି ନେତାଙ୍କୁ ଜାନୁଆରୀ ୧୫ରେ ଆଦେଶ ଦେଇଥିଲେ ଅଦାଲତ। ଏ କାରଣରୁ ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ରା ଓ ଅନ୍ୟ ନେତାଙ୍କ ବିରୁଦ୍ଧରେ ଏତଲା ହୋଇଥିଲା। ଅତିଶୀ କୁଆଡ଼େ ଗାଏବ ହୋଇଯାଇଛନ୍ତି। ଏଭଳି ପୋଷ୍ଟର କରି କଟାକ୍ଷ ଫଙ୍ଗିଥିଲେ କପିଲ ମିଶ୍ରା।କିନ୍ତୁ ଆଜି ବିଧାନସଭା ବାଚସ୍ପତି କହିଛନ୍ତି, ବିଧାନସଭା ଦ୍ୱାରା କରାଯାଇଥିବା ଏଫଏସଏଲ ଯାଞ୍ଚରେ ଅତିଶୀଙ୍କ ଅଡ଼ିଓ ଓ ଭିଡ଼ିଓ ପରସ୍ପର ସହ ମେଳ ଖାଉଛି। ଏଭଳି ବୟାନ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ନିଜ ଦଳର ନେତାଙ୍କୁ ରକ୍ଷା କରିବାକୁ ତଦନ୍ତ ଏଜେନ୍ସିର ଦୁରୁପଯୋଗ କରିଛନ୍ତି ପଞ୍ଜାବ ସରକାର। ବିଧାନସଭାର ଗାରିମାକୁ ବି ନଜର ଦିଆଗଲାନି। ସେଥିଲାଗି ଅତିଶୀ କ୍ଷମା ମାଗନ୍ତୁ। ନିଜ ବୟାନ ପ୍ରତ୍ୟାହାର କରନ୍ତୁ। ଏହାକୁ କାଉଣ୍ଟର କରିଛି ଆପ୍। ଭିଡ଼ିଓ ଏଡିଟ୍ ଦୁଇ ପ୍ରକାର ହୋଇପାରେ। ଅଡ଼ିଓରେ ଗୁରୁ ଶବ୍ଦ ପକାଇଦେବା। ହଟ୍ଟଗୋଳ ବେଳେ ଏଡିଟ୍ କରି ଗୁରୁ ଶବ୍ଦ ଲେଖିଦେବା। ଏଫଏସଏଲ କେବଳ ସ୍ପଷ୍ଟ କରିଦେବା କଥା। ଅତିଶୀ ଗୁରୁ ଶବ୍ଦ ଉଚ୍ଚାରଣ କରିଥିଲେ। ଏହା କାହିଁକି କହୁନି ଏଫଏସଏଲ। ବିଜେପି ତୁଛାରେ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ବିଧାନସଭାକୁ କାହିଁକି ଜଣେ ସମ୍ପର୍କ କରିବ ଭିଡ଼ିଓ ପାଇଁ। ଉଭୟ ଫରେନସିକ ଭିଡ଼ିଓ ସ୍ପଷ୍ଟ କରିଛି ଯେ, ଅତିଶୀ ଗୁରୁଙ୍କୁ ନେଇ କୌଣସି ଶବ୍ଦ ପ୍ରୟୋଗ କରିନାହାନ୍ତି। ବିଜେପି ଫେକ୍ ଭିଡ଼ଓ ଅପଲୋଡ୍ କରି ଘୃଣା ଓ ହିଂସାର ପ୍ରଚାର କରୁଥିଲା। ଏଥିଲାଗି କପିଲ ମିଶ୍ରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ। ଆଉ ମୋଦି ଶାହାଙ୍କ ଲାଗି ବିଜେପି କେମିତି ମିଛ ଫ୍ୟାକଟ୍ରି ପାଲଟିଛି, ତାହାର ପ୍ରମାଣ ମିଳିଲା।ଗୁରୁଙ୍କୁ ନେଇ ଅତିଶୀଙ୍କ ଆପତ୍ତିଜନକ ଭିଡ଼ିଓକୁ ନେଇ ଶିଖ୍ ସମ୍ପ୍ରଦାୟ ଭିତରେ ରୋଷ ତେଜିଥିଲା। ଅତିଶୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ସ୍ୱର ଶାଣିତ ସହ ଆନ୍ଦୋଳନ ତେଜିଥିଲା। ଅତିଶୀଙ୍କ ବିଧାନସଭା ସଦସ୍ୟତା ରଦ୍ଦ ଦାବି ଉଠିଥିଲା। ଦିଲ୍ଲୀ, ପଞ୍ଜାବ, ହରିଆଣାର ଅନେକ ଶିଖ ସଂଗଠନ ଆନ୍ଦୋଳନ କରିଥିଲା। ହେଲେ ଦୁଇ ଦୁଇଟି ଫରେନସିକ ରିପୋର୍ଟ ଏ ଘଟଣାରେ ନୂଆ ମୋଡ଼ ଆଣିଛି। ଆଉ ଆପ୍ ଓ ବିଜେପି ଭିତରେ ନୂଆ ବିବାଦର ମଞ୍ଜିକୁ ବୁଣିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now